ଫିରିଙ୍ଗିଆ, ୧୭/୫ : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳମାନଙ୍କରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଥିବା କହୁଛନ୍ତି । ମାତ୍ର ଅନେକ ସ୍ଥାନରେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି I ଅନେକ ଯୋଗ୍ୟ ହିତାଧିକାରୀ ଏବେ ବି ଏହି ଆବାସ ଯୋଜନାରେ ସାମିଲ ହୋଇନପାରି ବହୁ ଅସୁବିଧାରେ ଜୀବନ ଯାପନ କରୁଛନ୍ତି । ଆବାସ ଯୋଜନାରେ ପକ୍କା ଘର ଖଣ୍ଡିଏ ପାଇବା ପାଇଁ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନିଦା ବିଷ୍ଣୁ ପାଲଟିଛି I ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଜଜେଶପାଙ୍ଗା ପଞ୍ଚାୟତର ଲଦଡି ଗାଁରେ I
ସୂଚନା ଅନୁସାରେ ଲଦଡି ଗାଁରେ ବାଗୁଲି ଦିଗାଲ ତାଙ୍କ ପୁଅ ବୋହୁଙ୍କ ସହ ମିଶି ମୋଟ୍ ୭ ଜଣ ସଦସ୍ୟ ରହି ଆସୁଛନ୍ତି I ପୁଅ ଜୟ ଦିଗାଲ ପ୍ରାୟ ଚାରି ବର୍ଷ ହେବ ରୋଗୀଣା ହୋଇ ରହିଥିବାବେଳେ ବହୁ ମାଳତୀ ଦିଗାଲ ଜଣେ ମାନସିକ ଭିନ୍ନକ୍ଷମ ରୋଗୀ I ବର୍ତ୍ତମାନ ମାଳତୀ ଓ ଜୟଙ୍କର ଚାରୋଟି ସନ୍ତାନ ଅଛନ୍ତି I ପରିବାର ପ୍ରତିପୋଷଣ ପାଇଁ ବୁଢ଼ୀ ମା’ ଏକମାତ୍ର ରୋଜଗାର କ୍ଷମ ହୋଇଥିବାବେଳେ ସରକାରଙ୍କ ତରଫରୁ ମିଳୁଥିବା ଭତ୍ତା ଓ ଘରକୁ ଆସୁଥିବା ପିଡିଏସ୍ ଚାଉଳ ଏକ ମାତ୍ର ସାହାରା ସାଜିଛି I ତେବେ ଏହି ପରିବାରକୁ ଖାଇବାକୁ ମିଳୁଛି ତାହା ସତ କିନ୍ତୁ ରହିବା ପାଇଁ ଭଲ ଘର ଖଣ୍ଡିଏ ନାହିଁ I
ଝାଟି ମାଟି କୁଡ଼ିଆ କରି ପଲିଥିନ ଟାଣି ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି ଏହି ପରିବାର I ବର୍ଷା ପବନ ହେଲେ ପଲିଥିନ ସହ ଛପର ଉଡ଼ିଯିବାର ଭୟ ଥିବାରୁ ପାଖ ଜଙ୍ଗଲରୁ କାଠ ବହ୍ଲା ଆଣି ଛପର ଉପରେ ଲଦା ଯାଇଛି I ଘର ଖଣ୍ଡିଏ ପାଇଁ ପରିଣତ ବୟସରେ ମଧ୍ୟ ବାଗୁଲି ଅନେକ ଥର ପଂଚାୟତ ମୁଖ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଯାଏଁ ସବୁଠି ଗୁହାରି କରି ସାରିଲେଣି I କିନ୍ତୁ ଏହି ପରିବାରକୁ ଘର ଖଣ୍ଡିଏ ଦିଆଯାଇ ପାରୁନାହିଁ I ଯାହା ପାଇଁ ବାଗୁଲି କ୍ଷୋଭ ପ୍ରକାଶ କରିବା ସହ ଗଣମାଧ୍ୟମ ସମ୍ମୁଖରେ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି I