ବାଲେଶ୍ଵର, ୧୪/୫ (ଆଲୋକ କୁମାର ବାରିକ) : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ ଅଞ୍ଚଳର ସସ୍ମିତା ପାତ୍ର (୪୨ ବର୍ଷ)। ୧୨ ଏକର ଟାଙ୍ଗରା ଜମିରେ କଲେଣି ବନୀକରଣ। ପରିବାରର ସମସ୍ତ କଥା ବୁଝାସୁଝା କରି ବଳକା ସମୟରେ ବନୀକରଣକୁ ଦେଉଛନ୍ତି ଗୁରୁତ୍ଵ। ତାଙ୍କର ଏଭଳି କାମକୁ କିଛି ଲୋକ ସମାଲୋଚନା କରିଥିଲେ ବି ସେ ଅଟକି ନାହାଁନ୍ତି। ବରଂ ଟାଙ୍ଗରା ଜମିକୁ ସବୁଜ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବର୍ଷ କେଇଟା ଭିତରେ ସେ ଗୋଟିଏ ପଞ୍ଚାୟତର ୧୨ ଏକର ଜମିକୁ ବନୀକରଣ କରିପାରିଛନ୍ତି।
ପିଲାଦିନୁ ସସ୍ମିତା ଚାରା ଗଛ ଲଗାଇବାକୁ ଭଲ ପାଉଥିଲେ। ବଡ଼ ହେବା ପରେ ମଧ୍ୟ ଏହି ଅଭ୍ୟାସ ଜାରି ରଖିଥିଲେ। ବିବାହ ପରେ ଶାଶୂଘର ଲୋକ ତାଙ୍କୁ ଏହି କାମରେ ସହଯୋଗ କରିଥିଲେ। ଘର ଆଖପାଖ ଅଞ୍ଚଳରେ ସେ ଗଛ ଲଗାଇବା ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ତାଙ୍କର ଏହି କାମକୁ କେହି ସମର୍ଥନ କରୁନଥିଲେ। ମାତ୍ର ସେ ଏଥିରେ କିଛିଟା ସଫଳ ହେବା ପରେ ଧୀରେ ଧୀରେ ଅନ୍ୟ ମହିଳାଙ୍କ ସମର୍ଥନ ମିଳିଲା। ୨୦୦୪ରେ ସସ୍ମିତା ଏକ ବନ ସୁରକ୍ଷା କମିଟି ଗଠନ କଲେ। ସେ ସଭାପତି ଦାୟିତ୍ଵରେ ରହିଲେ। ପରବର୍ତ୍ତୀ ସମୟରେ ଏହି କମିଟି ବନୀକରଣ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେଇଥିଲା। ସେବେଠାରୁ ସସ୍ମିତା ଆଉ ପଛକୁ ଚାହିଁନାହାନ୍ତି। ନିଜ ଲକ୍ଷ୍ୟପଥରେ ସେ ଆଗେଇ ଚାଲିଛନ୍ତି।
ବର୍ତ୍ତମାନ ବନ ସୁରକ୍ଷା କମିଟିରେ ୨୫ରୁ ଉର୍ଦ୍ଧ୍ଵ ମହିଳା ସଦସ୍ୟତା ଗ୍ରହଣ କରିଛନ୍ତି। ଏହି କିଛି ବର୍ଷ ଭିତରେ ସସ୍ମିତାଙ୍କ ନେତୃତ୍ୱରେ ସେମାନେ ଚୌମୁଖ ପଞ୍ଚାୟତରେ ୧୨ ଏକରରୁ ଉର୍ଦ୍ଧ୍ଵ ସମୁଦ୍ର ଉପକୂଳ ଅଞ୍ଚଳକୁ ବନୀକରଣ କରିଛନ୍ତି। ଯେଉଁଥିରେ କଙ୍କଡ଼ାମାଳ ମୁହାଣ ଅଞ୍ଚଳର କେବଳ ୭ ଏକର ଜମି ଅଛି। ସେଠାରେ ଝାଉଁ, ଆକାଶିଆ ଗଛ ଲାଗିଛି। ସବୁଠାରୁ ବଡ଼ କଥା ହେଲା ସମୁଦ୍ରକୂଳ ଅଞ୍ଚଳରେ ବନୀକରଣ କରିବାକୁ ହେଲେ ହେନ୍ତାଳ ବ୍ୟତୀତ ଅନ୍ୟ ଚାରା ଲଗାଇବାକୁ ସରକାରଙ୍କ ପକ୍ଷରୁ ସହାୟତା ମିଳେନି। ଏଭଳି ସମୟରେ ସସ୍ମିତା ଏବଂ କମିଟି ସଦସ୍ୟମାନେ ଗାଁକୁ ଗାଁ ବୁଲି ମାଗିଯାଚି ଅର୍ଥ ସଂଗ୍ରହ କରୁଛନ୍ତି। ସେହି ଅର୍ଥରେ ନର୍ସରୀ ତିଆରି କରିଛନ୍ତି। ସେଥିରୁ ପ୍ରସ୍ତୁତ ଚାରାରେ ବନୀକରଣ କରିଆସୁଛନ୍ତି।
ସସ୍ମିତା କୁହନ୍ତି, ଚାରା ଗଛ ଲଗାଇବା ପାଇଁ ଆମେ ଗାଁ କୁ ଗାଁ ବୁଲି ଲୋକଙ୍କୁ ବୁଝାଉ। ଯେଉଁମାନେ ରାଜି ହୁଅନ୍ତି ସେମାନଙ୍କ ନିକଟରୁ ୧୦ରୁ ୨୦ ଟଙ୍କା ଲେଖାଏଁ ସଂଗ୍ରହ କରୁ। ସେହି ଟଙ୍କାରେ ଆମେ ଝାଉଁ ମଞ୍ଜି ସମେତ ଅନ୍ୟ ଗଛର ମଞ୍ଜି ସଂଗ୍ରହ କରୁ। ପରେ ଆମେ ନିଜେ ନର୍ସରୀ କରି ଚାରା ତିଆରି କରୁ। ସେହି ଚାରାକୁ ଆମେ ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଗାଉ। ଏହି କାମରେ ସ୍ଥାନୀୟ ଲୋକଙ୍କ ସମର୍ଥନ ରହୁଛି। ଗଛ ବଢିବା ପରେ ବାଡ଼ ବୁଜିବାକୁ ମଧ୍ୟ ଲୋକେ ସହାୟତା କରନ୍ତି।
ସସ୍ମିତା ଏବଂ ତାଙ୍କ କମିଟିର ସଦସ୍ୟାଙ୍କ ଏଭଳି କାମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଚଳିତବର୍ଷ ସେମାନେ ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୧୦ ଏକରରୁ ଅଧିକ ଜମିରେ ହେନ୍ତାଳ ବଣ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏନେଇ ସମସ୍ତ କାମ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏଭଳି ସମୟରେ ଯଦି ବନ ବିଭାଗ ପକ୍ଷରୁ ସେମାନଙ୍କୁ ଚାରା ସମେତ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦିଅନ୍ତେ, ତେବେ ଏହି କାମ ଆହୁରି ସହଜ ହୋଇପାରନ୍ତା ବୋଲି ସସ୍ମିତାଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ କହିଛନ୍ତି।