ହରଭଙ୍ଗା (ଚିତ୍ତରଞ୍ଜନ ସିଂହ), ୧୭/୫ : ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ତାତି ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗ ୪୫ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜିଲ୍ଲାବାସୀ ସନ୍ତୁଳି ହେଉଛନ୍ତି। ଅସହ୍ୟ ତାତି ଯୋଗୁଁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ମୃଦୁ ପାନୀୟ ଜଳ, ତରଭୁଜ, ସର୍ବତ ଦୋକାନରେ ଏବେ ଲୋକଙ୍କ ଭିଡ଼ ଜମିଛି। ଏବେ ଅଦିନିଆ ତାଳ ସଜ ଲୋକଙ୍କ ତୃଷ୍ଣା ମେଣ୍ଟାଉଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଠାରୁ ବଜାର ଏବଂ ଗାଁ ଗହଳିରେ ଲୋକମାନେ ତାଳ ସଜର ମଜା ନେଉଛନ୍ତି।
ତାଳ ସଜ ପାଟିକୁ ସ୍ୱାଦ ସହିତ ଦେହ ପାଇଁ ମଧ୍ୟ ହିତକର। ବ୍ୟବସାୟୀମାନେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ କେନ୍ଧା କେନ୍ଧା ତାଳ କାଟି ଫଳରୁ ତାଳ ସଜ କାଢି କିଲୋ ପିଛା ୧୦୦ରୁ ୧୨୦ଟଙ୍କାରେ ବିକ୍ରି କରୁଛନ୍ତି। ଅନ୍ୟ ପଟେ ତାଳ ଗୋଟାକୁ ୭ରୁ ୧୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହି ଫଳ ବର୍ଷକୁ ଥରେ ଗଛରେ ଆସିଥାଏ ଓ ବୈଶାଖ ମାସ ସମୟରେ କଅଁଳ ରହିଥାଏ। ତେଣୁ ଏହି ସମୟରେ ତାଳ ସଜର ଚାହିଦା ଅଧିକ ରହିଥାଏ। ବ୍ୟବସାୟୀମାନେ ପ୍ରାୟ ଦେଢ଼ ମାସ ଧରି ସାବିତ୍ରୀ ଅମାବାସ୍ୟା ପର୍ଯ୍ୟନ୍ତ ତାଳ ସଜ ବେପାର କରି ବେଶ ଦୁଇ ପଇସା ରୋଜଗାର କରନ୍ତି।
ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା, କଣ୍ଟାମାଳ ବ୍ଲକ ଅଞ୍ଚଳରେ ଦୁଇ ପ୍ରକାର ତାଳ ଫଳ ମିଳିଥାଏ । କଇରୀ ଓ କଳା ହାଣ୍ଡିଆ ତାଳ ଏବଂ କଳା ହାଣ୍ଡିଆ ତାଳ ସଜ ଅଧିକ ସୁସ୍ୱାଦୁ। ବର୍ତ୍ତମାନ ତାଳ ଗଛ ସଂଖ୍ୟା ଜିଲ୍ଲାରେ ହ୍ରାସ ପାଉଥିବାରୁ ଆବଶ୍ୟକତା ଓ ଚାହିଦା ଠାରୁ କମ୍ ତାଳ ମିଳୁଛି। ତେଣୁ ବଜାରରେ ଏହାର ମୂଲ୍ୟ ବୃଦ୍ଧି ଘଟୁଛି ବୋଲି ଗ୍ରାହକ ବ୍ୟବସାୟୀ ମତ ପ୍ରକାଶ କରୁଛନ୍ତି। ଅନ୍ୟ ପଟେ ତାଳ ଗଛ କୃଷକ ବନ୍ଧୁ, ବାଇ ଚଢେଇର ବସା ବାନ୍ଧିବା ସ୍ଥାନ ଏବଂ ବଜ୍ରପାତରୁ ଜୀବଜଗତକୁ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରେ। ତାଳ ପାଚିଲେ ତାର ରସରୁ ସୁସ୍ବାଦୁ ମିଠା, ପିଠା, ଚକୋଲେଟ୍ ତିଆରି ହୁଏ।
ସେହିପରି ତାଳ ଗଛ ରସରୁ ପ୍ରସ୍ତୁତ ଗୁଡ଼ ସ୍ୱାଦିଷ୍ଟ ସହିତ ଉତ୍ତମ ମାନର ହୋଇ ଥିବାରୁ ତତକାଳୀନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଜିଲ୍ଲାର ନାଏକ ପଡ଼ା ଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେଇ ଗୁଡ଼ ପ୍ରସ୍ତୁତ କରାଇଥିଲେ। ମାରଡ଼ାଠାରେ ମଧ୍ୟ ଜନସାଧାରଣଙ୍କୁ ତାଳ ଓ ଖଜୁରୀ ଗଛର ରସରୁ ଗୁଡ଼ ତିଆରି ପାଇଁ ପ୍ରବର୍ତ୍ତାଇଥିଲେ। ସେହି ସମୟରେ ବାହାର ରାଜ୍ୟରୁ କାଠ ବ୍ୟବସାୟୀ ଜିଲ୍ଲାକୁ ଆସି ଶାଗ ମାଛ ଦରରେ ଲୋକଙ୍କଠୁ ତାଳ ଗଛ କିଣି ଚାଲାଣ କରୁଥିବାରୁ ତାହା ଉପରେ ମଧ୍ୟ ରୋକ୍ ଲଗାଇବାରେ ପ୍ରୟାସ କରିଥିଲେ।
ଅନ୍ୟପଟେ ସରକାର ବଜ୍ରପାତରୁ ରକ୍ଷା ପାଇବା ପାଇଁ ରାଜ୍ୟରେ ତାଳ ଗଛ ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏଥିପାଇଁ ଜିଲ୍ଲା ସ୍ତରରେ ବନ ବିଭାଗକୁ ଅର୍ଥ ମଧ୍ୟ ମଞ୍ଜୁର କରିଥିଲେ। ତାଳ ଗଛ ବୃଦ୍ଧି କରିବା ପାଇଁ ବୌଦ୍ଧ ବନ ବିଭାଗ ପକ୍ଷରୁ ଜିଲ୍ଲାରେ ପ୍ରାୟ ୫ ଲକ୍ଷ ତାଳ ମଞ୍ଜିରୁ ଗଛ ଲଗାଯାଇଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ବିଭାଗ ଲଗାଇଥିବା ଗୋଟିଏ ବି ନୂଆ ତାଳ ଗଛ ନଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ତେଣୁ ତାଳ ଗଛ ବଂଶ ବୃଦ୍ଧି ପାଇଁ ବିଗତ ବର୍ଷ ଗୁଡିକରେ କେତେ ଟଙ୍କା ମଞ୍ଜୁର ହୋଇଥିଲା ଓ କେତେ ଗଛ ବନ ବିଭାଗ ପକ୍ଷରୁ ଲଗାଯାଇଥିଲା,ବର୍ତ୍ତମାନ ସେଥିରୁ କେତେ ଗଛ ଜୀବିତ ଅଛି ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ଓ ପରିବେଶବିତ୍ଙ୍କ ମଧ୍ୟରେ ଦାବି ଦେଉଛି।