କେନ୍ଦୁଝର,୧୭/୦୫: ରାତିରେ ଖାଇପିଇ ଶୋଇଲେ । ହେଲେ କିଏ ଜାଣିଥିଲା ସେ ଆଉ ଉଠିବେନି ବୋଲି । କେନ୍ଦୁଝର ଜିଲ୍ଲା ଡ଼ିମିରିଆ ଗାଁ ମଶାଣି ସାହିରେ ଏକ ଅଘଟଣ ଘଟିଛି । ସାପ କମୁଡ଼ାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଯମୁନା ହେମ୍ବ୍ରମ । ତାଙ୍କ ବୟସ ୨୫ ବର୍ଷ ହେବ ।
ଯମୁନା ଶୁକ୍ରବାର ସବୁଦିନ ପରି ରାତିରେ ଖାଇପିଇ ପରିବାର ସହ ଶୋଇଥିଲେ । ହେଲେ ସକାଳୁ ଆଉ ଉଠି ନଥିଲେ । ସମୟ ପରେ ସମୟ ଗଡ଼ି ଥିଲା ହେଲେ ଯମୁନା ଆଖି ଖୋଲି ନଥିଲେ । ନ ଉଠିବାରୁ ପରିବାର ଲୋକ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଳମ୍ବିତ ରାତିରେ କୌଣସି ଏକ ବିଷଧର ସାପ କାମୁଡି଼ ଦେଇ ଥିବାରୁ ଯମୁନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଖବର ପାଇ ତେଲକୋଇ ଥାନା ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି । କେନ୍ଦୁଝର ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଅନେକ ସମୟରେ ବିଷଧର ସାପ ଘରେ ପଶିଯାଇଥାନ୍ତି । ତେଣୁ ଯମୁନାଙ୍କୁ ସାପ କମୁଡି଼ଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।