ଭଦ୍ରକ, ୨୩।୩: ଶୁଭ ଭିତ୍ତି ପ୍ରସ୍ତର ଫଳକରେ ସରପଞ୍ଚଙ୍କ ଓ ସମିତି ସଭ୍ୟଙ୍କ ନାଁ ନାହିଁ । ଏଥିପାଇଁ ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ଫଳକ ଭାଙ୍ଗିଦେଇଛନ୍ତି । ଭଦ୍ରକ ବ୍ଲକ ଅଧିନ ଅଣ୍ଡାଇପଲ୍ଲୀ ପଞ୍ଚାୟତର ମିନତୀ ଦେବୀ ଉଚ୍ଚ ବାଳିକା ବିଦ୍ୟାଳୟ ଶ୍ରେଣୀ ଗୃହର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଥିଲା । କିନ୍ତୁ, ଏହି ଫଳକରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ନଥିଲା । ଯାହାକୁ ନେଇ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ ।
ଗ୍ରାମବାସୀମାନେ ସ୍କୁଲ କାମକୁ ବିରୋଧ କରୁନଥିବା ବେଳେ ଫଳକରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ନାଁ କାହିଁକି ନଥିଲା ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପରେ ଗ୍ରାମବାସୀ, ସରପଞ୍ଚ, ସମିତି ସଭ୍ୟ ସେଠାକୁ ଯାଇ ହୋ ହାଲ୍ଲା କରିବା ସହ ଫଳକକୁ ଭାଙ୍ଗିଦେଇଥିଲେ । ସରପଞ୍ଚ ଏନେଇ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ଘଟଣା ବାବଦରେ ବିଡିଓ କୌଣସି ସୂଚନା ପାଇନଥିବା କହିଛନ୍ତି । ଗ୍ରାମରେ ଫଳକ ରାଜନୀତିକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଫଳକରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାଁ ନଥିବାରୁ ଏ ଘଟଣାକୁ ସାଧରଣରେ ନିନ୍ଦା କରାଯାଇଛି ।