ମାଲକାନଗିରି,୯/୨(ଆପ୍ର): ସ୍ୱାଧୀନତା ର ୭୮ବର୍ଷ ପରେ ମଧ୍ୟ ଗାଁ କୁ ନାହିଁ ରାସ୍ତା,ବିଜୁଳି, ପାଣି। ଅନ୍ଧାର ଦୂର ପାଇଁ ଡିବିରୀ ଭରସା । ଚୁଆ ପାଣିରେ ମେଣ୍ଟୁଛି ଶୋଷ । ଜମି ହିଡ଼ ସାଜିଛି ରାସ୍ତା।
ମାଲକାନଗିରି ବ୍ଳକ ଗୌଡ଼ଗୁଡା ପଞ୍ଚାୟତ କାଦବାହାଲ ଗାଁ ଶେଷ ମୁଣ୍ଡ ପଥର ପାହାଡ଼ ନିକଟରେ ରହିଛି ସମରଥଗୁଡା ଗାଁ I ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଗ୍ରାମବାସୀ ଦୁର୍ବିଷହ ଜୀବନ ଅତିବାହିତ କରୁଛନ୍ତି । ଗାଁକୁ ସବୁଦିନିଆ ରାସ୍ତା ନଥିବା ରୁ ବିଲ ର ହିଡ଼ ଗାଁ ଲିଙ୍କ ଙ୍କ ପାଇଁ ସାଜିଛି ରାସ୍ତା । ଗାଁ ରେ ନଳକୂଅ ଟିଏ ନଥିବାରୁ କି ପାନୀୟଜଳ ପାଇଁ କେନାଲ କୂଳ ରେ ଚୁଆ ଖୋଳି ପାଣି ସଂଗ୍ରହ କରି ଥାନ୍ତି ଗାଁର ମହିଳା ମାନେ । ବିଦ୍ୟୁତ ସେବା ଆଜିପର୍ଯ୍ୟନ୍ତ ଯୋଗାଇ ଦିଆଯାଇ ନାହିଁ I ବିଦ୍ୟୁତ ଆଲୋକ ନଥିବାରୁ ରାତିରେ ଡିବିରୀ ଆଲୁଅ ଓ କାଠ ନିଆଁ ଯୋଗାଇଥାଏ ଗ୍ରାମବାସୀଙ୍କୁ ଆଲୋକ।
ଏହି ଗାଁରେ ୧୦ଟି ପରିବାରର ୬୦ ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ସମସ୍ତ ପରିବାର କୁଲିମଜୁରି କରିବା ସହ ଜଙ୍ଗଲ ରୁ କାଠ ଓ କେନାଲ ରୁ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି । ଗାଁରେ ଆଜିପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରି ନାହିଁ I ଯାତାୟତ ପାଇଁ ମାଟି ରାସ୍ତା ଟିଏ ମଧ୍ଯ ନାହିଁ । ବିଦ୍ୟୁତ ସେବା, ପାନୀୟଜଳ ବ୍ୟବସ୍ଥା ନାହିଁ । ଖରାଦିନେ କେନାଲହୁଡ଼ା ଓ ଜମି ହିଡ଼ ଦେଇ ଯାତାୟତ କରିବାକୁ ପଡୁଛି। କିନ୍ତୁ ବର୍ଷା ଦିନେ ଅଣ୍ଟୁଏ ଲେଖା କାଦୁଅ ପାଣିହେଉ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତା ନଥିବାରୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନି। ନଳକୂଅ ନଥୁବାରୁ ଗ୍ରାମବାସୀ କେନାଲ ଓ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ରାସ୍ତା ନଥିବାରୁ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ପଡ଼ୁଛି । ଗତ ୨୨ବର୍ଷ ତଳେ ବଣଜଙ୍ଗଲ ସଫା କରି କେତେକ ଆଦିବାସୀ ଲୋକ ଏଠାରେ ଗାଁ ବସାଇଥିଲେ। ସେମାନେ ଭାବିଥିଲେ ସରକାରଙ୍କ ପକ୍ଷରୁ ରାସ୍ତା, ବିଦ୍ୟୁତସେବା, ପାନୀୟଜଳ, ପ୍ରଧାନମନ୍ତ୍ରୀ ଆବାସଗୃହ ମିଳିବ,ହେଲେ ସରକାରୀ ଯୋଜନା ଲୋକଙ୍କ ପାଇଁ ସାତ ସପନ ପାଲଟିଛି।
ବିଲ ହିଡ଼ ଓ କାଦୁଅ ରାସ୍ତା ରେ ବିପଦ ସଂକୁଳ ଅବସ୍ଥା ରେ ଦୁଇ କିଲୋମିଟର କଦବାହାଲ କୁ ଚାଲି ଚାଲି ଯାଇ ଛୋଟ ପିଲା ମାନେ ସ୍କୁଲ ଓ ଅଙ୍ଗନୱାର୍ଡ ରେ ପାଠ ପଢିଥାନ୍ତି। ଗାଁ କୁ ଭଲ ରାସ୍ତା ଟିଏ ନଥିବାରୁ ଅନେକ ପିଲା ସ୍କୁଲ କୁ ନଯାଇ ଗାଇ ଚରାଇ ଥାନ୍ତି। ୫ ବର୍ଷରେ ଥରେ ନେତାମାନେ ଗାଁକୁ ଆସି ଭୋଟ ମାଗୁଛନ୍ତି । ସମସ୍ତ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି। ଜିଣିଗଲା ପରେ ଗାଁ କଥା ଭୁଲି ଯାଉଛନ୍ତି। ତୁରନ୍ତ ଗାଁର ମୌଳିକ ସମସ୍ୟା ଦୂର କରା ନଗଲେ ଆଗମୀ ଦିନରେ ରାଜ ରାସ୍ତା ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଗାଁର ତ୍ରିନାଥ ସମରଥ, ଅର୍ଜୁନ ସମରଥ, ରାମଚନ୍ଦ୍ର ସମରଥ, ଲବି ସମରଥ, ଶ୍ୟାମସୁନ୍ଦର ସମଉଥ, ଶଙ୍କର ସମରଥ ପ୍ରମୁଖଙ୍କ ସହ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।