ନୂଆଦିଲ୍ଲୀ,୩।୬: ସେମି ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ପରେ ଏବେ ଦେଶକୁ ମିଳିବ ଏୟାର ଟ୍ୟାକ୍ସି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅର୍ବାନ ଏୟାର ମୋବିଲିଟି ପ୍ରୋଜେକ୍ଟ ଉପରେ କାମ କରୁଛି। ତେବେ ସରକାରଙ୍କ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। କୁହାଯାଉଛି ଯେ, ୨୦୨୬ ସୁଦ୍ଧା ମିଳିପାରେ ଖୁସି ଖବର।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଡିଜିସିଏ୍ ଦେଶରେ ଏୟାର ଟ୍ୟାକ୍ସି ଉଡାଣକୁ ନେଇ ରୋଡମ୍ୟାନ୍ ତିଆରି କରିବାକୁ ଏକ କମିଟି ଗଠନ କରିଛି। ଇ-ଭର୍ଟିକାଲ ଟେକଅଫ୍ ଓ ଲ୍ୟାଣ୍ଡିଂ ଅର୍ଥାତ eVTOL ସମ୍ପର୍କିତ ନିମୟ ତିଆରି କରିବା ପରେ ଇଣ୍ଡିଗୋର ପ୍ୟାରେଣ୍ଟ କମ୍ପାନୀ ଇଣ୍ଟରଗ୍ଲୋବ୍ ଇନଫ୍ରାଷ୍ଟ୍ରକଚର(ଆଇଜିଇ) ଇନଫ୍ରାକୁ ନେଇ କାମ ଆରମ୍ଭ କରିବ। ଆଇଜିଇ ଆମେରିକା ଏୟାର ଟ୍ୟାକ୍ସି କମ୍ପାନୀ ଆର୍ଚର ଏଭିଏସନ୍ ସହ ମିଶି କାମ କରିବାକୁ ଯାଉଛି।
ଡିଜିସିଏ ଏୟାର ଟ୍ୟାକ୍ସି ସମ୍ପର୍କିତ ଅଲଗା ଅଲଗା ଦିଗ ବିଷୟରେ ସୂଚନା ଏକାଠି କରିବାକୁ ପ୍ୟାନେଲ ଗଠନ କରିଛି। ଏଥିରେ ଏୟାର ନାଭିଗେସନ୍, କେଉଁ ରୁଟ୍ରେ ଟ୍ୟାକ୍ସି କାମ କରିବ, ସୁରକ୍ଷା ଓ ଭାର୍ଟିପୋର୍ଟସ ସମ୍ପର୍କିତ ଷ୍ଟାଣ୍ଡାର୍ଡ ରହିଛି। ଭାରତରେ ଏୟାର ଟ୍ୟାକ୍ସି ସମ୍ପର୍କିତ ସବୁ କାମ ୨୦୨୬ ପର୍ଯ୍ୟନ୍ତ ପୁରା ହୋଇଯିବ।