ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ହ୍ୱାଇଟ୍‌ ହାଉସରୁ ମାଷ୍ଟରଷ୍ଟ୍ରୋକ୍‌, ଟ୍ରମ୍ପଙ୍କ ଟାରିଫ ପ୍ରହାରରେ ବିଶ୍ୱ ସ୍ତବ୍ଧ

Published By : Prameya | February 9, 2025 11:08 AM

ଆମେରିକାକୁ ମହାନ କରି ଗଢ଼ିବାକୁ ଟ୍ରମ୍ପ ଆପଣାଇଛନ୍ତି  ‘ଆମେରିକା ଫାଷ୍ଟ’ ନୀତି । ଅନ୍ୟ  ଦେଶର ସାମଗ୍ରୀ ଉପରେ ଟ୍ରମ୍ପ୍‌ ଲଗାଇଛନ୍ତି ଶୁଳ୍କ। ଟ୍ରମ୍ପଙ୍କ ପ୍ରଥମ ଚୋଟର ଶିକାର ହୋଇଛନ୍ତି ଚୀନ୍‌, କାନାଡ଼ା ଓ ମେକ୍ସିକୋ ।  ଆରମ୍ଭ ହୋଇଛି ବାଣିଜ୍ୟ ଯୁଦ୍ଧ ।  ଭାରତ ବର୍ତ୍ତି ଯାଇଥିଲା ବେଳେ  ଆଗକୁ କ’ଣ ହେବ ତାହା  ଉପରେ ସମସ୍ତଙ୍କ ଆଖି ।

ଆସୁ ଆସୁ ଶଙ୍କା, ଆଶଙ୍କା । ହ୍ୱାଇଟ୍‌ ହାଉସରୁ  ମାଷ୍ଟରଷ୍ଟ୍ରୋକ୍‌ । ଟ୍ରମ୍ପ ପ୍ରହାରରେ ବିଶ୍ୱ ସ୍ତବ୍ଧ ।  ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ  ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଛନ୍ତି ନୂଆ ଅଭିଯାନ । ଆମେରିକା  ବଜାରରେ ବିଭିନ୍ନ ଦେଶର ଉତ୍ପାଦିତ ସାମଗ୍ରୀ ଉପରେ ଲାଗିଛି ଶୁଳ୍କ । ଦେଶର ରାଜକୋଷକୁ ବଳୁଆ କରିବାକୁ ଟ୍ରମ୍ପ  ଚୀନ୍‌, କାନାଡା, ମେକ୍ସିକୋ ଭଳି ଦେଶ ଉପରେ ପ୍ରଥମ  ଚୋଟ ବସାଇଛନ୍ତି । ଏ ଦେଶର ସାମଗ୍ରୀ ଉପରେ ବାଣିଜ୍ୟିକ  ଶୁଳ୍କ ଲାଗୁ କରିବା ପରେ ଆରମ୍ଭ ହୋଇଛି ତୁ ତୁ ମେ ମେ ।  ଆମ ପାଇଁ ଆଶ୍ୱାସନା, ଭାରତ କିନ୍ତୁ ଏ ଶୁଳ୍କମାଡ଼ରୁ ବର୍ତ୍ତି  ଯାଇଛି । ଆଗକୁ କ’ଣ ହେବ କେବଳ ସ୍ୱୟଂ ଟ୍ରମ୍ପଙ୍କୁ ହିଁ ଜଣା । ଟ୍ରମ୍ପ ପ୍ରଶାସନର ଏଭଳି ଆକସ୍ମିକ ଗୋଟି ଚାଳନା ବିଶ୍ୱ  ବାଣିଜ୍ୟ ବଜାରରେ ଆଣିଛି ହଟଚମଟ । ଆରମ୍ଭ ହୋଇଛି  ବାଣିଜ୍ୟ ଯୁଦ୍ଧ । ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ଯୁକ୍ତି,  ଟ୍ରମ୍ପଙ୍କ ଏ କଠୋର ନିଷ୍ପତ୍ତି ସମଗ୍ର ବିଶ୍ୱ ଅର୍ଥନୀତି ଉପରେ  କଳାବାଦଲ ଢାଙ୍କି ଦେଇଛି । ଟ୍ରମ୍ପଙ୍କ ଆକ୍ରାମକ ଶୁଳ୍କ ନୀତି  ବିଶ୍ୱ ବାଣିଜ୍ୟକୁ ଭୟଙ୍କର ଭାବେ ପ୍ରଭାବିତ କରିବ । ବିଶ୍ୱ  ଅର୍ଥନୀତି ହେବ ବାଟବଣା । 

ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ୍‌’ 

ଯୁକ୍ତରାଷ୍ଟ୍ରରେ ଆରମ୍ଭ ହୋଇଛି ଟ୍ରମ୍ପ ଯୁଗ । ଦେଶର ୪୭ତମ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ  ପାଇଁ ଅଣ୍ଟା ଭିଡ଼ିଛନ୍ତି । ଆମେରିକାକୁ ମହାନ କରି ଗଢ଼ିବାକୁ  ଧରିଛନ୍ତି ‘ଆମେରିକା ଫାଷ୍ଟ’ ନୀତି । ମେକ୍‌ ଆମେରିକା  ଗ୍ରେଟ୍‌ ଏଗେନ୍‌ (ମାଗା) ରାଲିରେ ଟ୍ରମ୍ପ ଇତିହାସରେ  ସବୁଠୁ ଅସାଧାରଣ ପ୍ରଥମ ୧୦୦ ଦିନ ଦେବାକୁ କସରତ  କରୁଛନ୍ତି । ଦେଶରେ ବିକ୍ରି ହେଉଥିବା ଅନ୍ୟ ଦେଶର ସାମଗ୍ରୀ ଉପରେ ଟ୍ରମ୍ପ୍‌ ଟାରିଫ୍‌ (ବାଣିଜ୍ୟ ଶୁଳ୍କ) ଲଗାଇଛନ୍ତି । କାନାଡା  ଓ ମେକ୍ସିକୋ ଉପରେ ୨୫ ପ୍ରତିଶତ, ଚୀନ୍‌ ଉପରେ ୧୦  ପ୍ରତିଶତ ଶୁଳ୍କ ଲାଗିଛି । କାନାଡା, ମେକ୍ସିକୋ ଓ ଚୀନ୍‌  ଯୁକ୍ତରାଷ୍ଟ୍ର ବଜାରରେ ରାଜ କରୁଛନ୍ତି । ଏ ତିନି ଦେଶ ପାଇଁ  ଆମେରିକା ବାର୍ଷିକ ପ୍ରାୟ ୬୫ ହଜାର କୋଟି ଡଲାର କ୍ଷତି  ସହୁଛି । ଏହାକୁ ଭରଣା ଲକ୍ଷ୍ୟରେ ଟ୍ରମ୍ପ୍‌ ପ୍ରଥମେ ଏମାନଙ୍କୁ  ହିଁ ଟାର୍ଗେଟ୍‌ କରିଛନ୍ତି । 

ଆମେରିକା ସହୁଥିବା ବାଣିଜ୍ୟ ନିଅଣ୍ଟରେ ଚୀନ୍‌ର ବଡ଼  ଯୋଗଦାନ ଅଛି । ଚୀନ୍‌ ସାମଗ୍ରୀ ଯୋଗୁଁ ୱାଶିଂଟନ୍‌ ସର୍ବାଧିକ  ୩୦% କ୍ଷତି ସହୁଛି। ମେକ୍ସିକୋ ୧୯% ଏବଂ କାନାଡ଼ା ୧୪%  ବାଣିଜ୍ୟ ନିଅଣ୍ଟ ପାଇଁ ଦାୟୀ । ଭାରତ ଅଛି ନବମ ସ୍ଥାନରେ ।  ଆମେରିକାର ବାଣିଜ୍ୟ ନିଅଣ୍ଟରେ ଭାରତର ଯୋଗଦାନ ମାତ୍ର  ୩.୨% (୩୬୦୦ କୋଟି ଡଲାର) ରହିଛି।

ଟ୍ରମ୍ପ୍‌ ଆମେରିକାର ମୂଳ ବାସିନ୍ଦାଙ୍କୁ ସର୍ବାଧିକ ପ୍ରାଥମିକତା  ଦେବାକୁ ନେଇଛନ୍ତି ଶପଥ । ସମସ୍ତ ବିଦେଶୀ ସହାୟତା  ଉପରେ ରୋକ୍‌ ଲଗାଇଛନ୍ତି । ଗରିବ ଦେଶଗୁଡ଼ିକ ମଧ୍ୟ  ଟ୍ରମ୍ପଙ୍କ ପ୍ରହାରରୁ ବର୍ତ୍ତି ନାହାନ୍ତି । ଅବଶ୍ୟ ମେକ୍ସିକୋ ଏବଂ  କାନାଡା ଉପରେ ଟାରିଫ୍‌ କଟକଣାକୁ ମାସେ ପାଇଁ ସ୍ଥଗିତ  ରଖିବାକୁ ନିଷ୍ପତ୍ତି ନେଇଛି ହ୍ୱାଇଟ୍‌ ହାଉସ୍‌ । ଚୀନ୍‌ ବିରୋଧରେ  ନିଜ ଆଭିମୁଖ୍ୟରେ ଟ୍ରମ୍ପ କିନ୍ତୁ ଅଟଳ ।  

ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌  ଟ୍ରୁଡୋ କିନ୍ତୁ ଆମେରିକାର ଏ ନିଷ୍ପତ୍ତିକୁ ଖୋଲା ସମାଲୋଚନା  କରିଛନ୍ତି । ବିଶ୍ୱ ବାଣିଜ୍ୟ ସଂଗଠନ ପାଖରେ ଫେରାଦର  ଧମକ ଦେଇଛନ୍ତି । କାନାଡା ଓ ମେକ୍ସିକୋ ସହ ଆମେରିକାର  ମୁକ୍ତ ବାଣିଜ୍ୟ ରାଜିନାମା ହୋଇଛି। କୌଣସି ଆମଦାନି-ରପ୍ତାନି ଉପରେ ଶୁଳ୍କ ଲାଗୁ ହେବନାହିଁ ବୋଲି ରାଜିନାମାରେ  ଉଲ୍ଲେଖ ଥିଲେ ମଧ୍ୟ ଟ୍ରମ୍ପ ଏହାକୁ ଫୁତ୍‌କାରରେ ଉଡ଼ାଇ  ଦେଇଛନ୍ତି । 

ୱାଶିଂଟନ୍‌ ବନାମ ବେଜିଂ 

ଇଟାର ଜବାବ ପଥରରେ । ଟ୍ରମ୍ପଙ୍କ ଏଭଳି ମନମାନିକୁ  କିନ୍ତୁ ହଜମ କରିପାରିନି ଡ୍ରାଗନ୍‌ ଚୀନ୍‌ । ୱାଶିଂଟନ୍‌କୁ କଡ଼ା  ଜବାବ ଦେଇଛି ବେଜିଂ। ଚୀନ୍‌ ଉତ୍ପାଦ ଉପରେ ଆମେରିକା ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଛି । ଚାଇନା କିନ୍ତୁ ଯୁକ୍ତରାଷ୍ଟ୍ରର  ଉତ୍ପାଦରେ ଲଗାଇଛି ୧୫ ପ୍ରତିଶତ ଶୁଳ୍କ। କାନାଡା ଓ  ମେକ୍ସିକୋ ମଧ୍ୟ ନଛୋଡ଼ବନ୍ଧା ।  ‘ମେଡ୍‌ ଇନ୍‌ ଆମେରିକା’ ଉତ୍ପାଦ  କାନାଡା ଉପରେ ଲଗାଇଛି ୨୫  ପ୍ରତିଶତ ଶୁଳ୍କ । ଯୁକ୍ତରାଷ୍ଟ୍ରର ଏଭଳି  ଝଟ୍‌କାରେ ଡ୍ରାଗନ୍‌ ଦୋହଲିନି । ଆତ୍ମରକ୍ଷା ବଦଳରେ ଆକ୍ରମଣ  ଫର୍ମୁଲାକୁ ଧରି ପାଲଟା ଆକ୍ରମଣ କରିଛି । ଆମେରିକା ଉତ୍ପାଦ  ଉପରେ ବେଜିଂର ଶୁଳ୍କ ଲାଗୁ କାରଣରୁ ଆମେରିକାରୁ ବଡ଼  କାର, ପିକଅପ୍‌ ଟ୍ରକ୍‌, ଏଲ୍‌ଏନଜି, ଅଶୋଧିତ ତେଲ ଏବଂ କୃଷି ଯନ୍ତ୍ରପାତି ଆମଦାନୀ ଢେର ପ୍ରଭାବିତ ହେବ । ଟଙ୍ଗ୍‌ଷ୍ଟନ,  ଟେଲୁରିୟମ୍‌, ବିସମଥ୍‌, ମାଲିବଡେନମ୍‌ ଏବଂ ଇଣ୍ଡିୟମ୍‌  ରପ୍ତାନି ଉପରେ ଚାଇନା ନିୟନ୍ତ୍ରଣ ଲଗାଇଛି । ଗୁଗୁଲ୍‌  କାର୍ଯ୍ୟକଳାପର ତଦନ୍ତ ଆରମ୍ଭ ହୋଇଛି । ଆମେରିକାର  ପୋଷାକ କମ୍ପାନି ପିଭିଏଚ୍‌, ବାୟୋଟେକ୍ନୋଲଜି କମ୍ପାନି  ଇଲୁମିନାକୁ ଡ୍ରାଗନ୍‌ ଅବିଶ୍ୱାସ ସଂସ୍ଥା ତାଲିକାରେ ଯୋଡ଼ି  ତୀକ୍ଷ୍‌ଣ ନଜର ରଖିଛି । 

ଟ୍ରମ୍ପ ନିଜର ପ୍ରଥମ ପାଳିରେ ଏଭଳି କିଛି ପଦକ୍ଷେପ  ନେଇଥିଲେ । ସେ ସମୟରେ ଡ୍ରାଗନ୍‌ ଏହାକୁ ମଥାପାତି  ସହି ନେଇଥିଲା । ମାତ୍ର ସମୟ ବଦଳିଛି । ମାତ୍ର ୬ ନିୟୁତ  ଡଲାରରେ ଡିପ୍‌ ସିକ୍‌ ଭଳି ଏଆଇ ଛିଡ଼ା କରାଇ ଯୁକ୍ତରାଷ୍ଟ୍ରକୁ ଚମକାଇ ଦେଇଥିବା ବେଜିଂ ଏବେ ସୁପରପାୱାର । ବିଶ୍ୱର  ଦୁଇ ବୃହତ୍‌ ଅର୍ଥନୀତି ଆମେରିକା ଓ ଚୀନ୍‌ ପରସ୍ପର ସାମଗ୍ରୀ ଉପରେ ଶୁଳ୍କ ଲଗାଇବାରୁ ବଢ଼ିଛି ବାଣିଜ୍ୟିକ ବିବାଦ। ଆଗକୁ ଏ ବାଣିଜ୍ୟ ଯୁଦ୍ଧ ଆହୁରି ଜୋର ଧରିପାରେ । କୌଣସି  ପରିସ୍ଥିତିରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହିଁ ବେଜିଂ ।  ହୁଏତ ଆଗକୁ ଟ୍ରମ୍ପ-ପିଙ୍ଗ୍‌ଙ୍କ ଭେଟ୍‌ଘାଟ ସମାଧାନର  ବାଟ ଖୋଲିପାରେ । ମାତ୍ର ତାହା ବି ଅନିଶ୍ଚିତତାରେ । 

ଭାରତକୁ ଲାଭ ନା କ୍ଷତି 

ବାଣିଜ୍ୟ ଯୁଦ୍ଧରେ ଆଗକୁ ଭାରତ ଲାଭ ପାଇବ ନା  କ୍ଷତି? ଏ ପ୍ରଶ୍ନକୁ ନେଇ ଆରମ୍ଭ ହୋଇଛି ହିସାବ ନିକାସ ।  ଅର୍ଥନୀତି ବିଶେଷଜ୍ଞଙ୍କ ଅନୁମାନ, ଆମେରିକା-ଚୀନ୍‌  ବାଣିଜ୍ୟ ଯୁଦ୍ଧରୁ ଭାରତ ପାଇଁ ଲାଭ ଏବଂ ସଙ୍କଟର ସମ୍ଭାବନା  ଅଛି । ଆମେରିକାର ପ୍ରତିବନ୍ଧକରୁ ଭାରତୀୟ ରପ୍ତାନି  ବୃଦ୍ଧି ହୋଇପାରେ । ବହୁ କମ୍ପାନି ପୁଞ୍ଜି ବିନିଯୋଗ ପାଇଁ  ଭାରତମୁହାଁ ହୋଇ ପାରନ୍ତି । ଚାଇନାର ବିକଳ୍ପ ଭାବେ ଆମ  ଦେଶର ଇଲେକ୍ଟ୍ରାନିକ୍ସ, ବୟନ, ସବୁଜ ଶକ୍ତି, ସ୍ମାର୍ଟଫୋନ୍‌  ଏବଂ ରାସାୟନିକ କ୍ଷେତ୍ରଗୁଡିକ ଉପକୃତ ହେବାର ଆଶା  ରହିଛି । ଆମେରିକୀୟ ବ୍ୟାବସାୟିକ ସଂସ୍ଥା ଚୀନ୍‌ ବଦଳରେ  ଭାରତ କିମ୍ବା ଅନ୍ୟ ଦେଶକୁ ବାଛି ପାରନ୍ତି । ଚୀନ୍‌ ସାମଗ୍ରୀ  ଉପରେ ଶୁଳ୍କ ଯୋଗୁଁ ‘ମେଡ୍‌ ଇନ ଇଣ୍ଡିଆ’ର ବିଶ୍ୱ ବଜାରରେ  ଢେର ଚାହିଦା ବଢ଼ିବ । 

ଭାରତ ସରକାର ଇତିମଧ୍ୟରେ ବଜେଟରେ ଆମେରିକାକୁ  ସୁହାଇଲା ଭଳି ପଦକ୍ଷେପ ନେଇଛି । ବିଦେଶରୁ ଆମଦାନି  ହୋଇ ଆସୁଥିବା ବାଇକ୍‌ ଓ କାର୍‌ ଭଳି ସାମଗ୍ରୀ ଉପରେ  ଭାରତ ଆମଦାନି ଶୁଳ୍କ ହ୍ରାସ କରିଛି । ଆମେରିକାର ହାର୍ଲେ  ଡେଭିଡ୍‌ସନ ମୋଟରସାଇକେଲ, ଆପଲ୍‌ ଓ ଟେସ୍‌ଲା କାର୍‌  ଭଲ ଫାଇଦା ପାଇବ । ଭାରତ ପାଇଁ ଆଗକୁ ବ୍ୟାବସାୟିକ  ସଂକଟ ମଧ୍ୟ ଆସିପାରେ । ଚୀନ୍‌ ହେଉଛି ବିଶ୍ୱର ଏକ  ବିଶାଳ ବଜାର । ଆମେରିକା ଓ ଚୀନ୍‌  ମଧ୍ୟରେ ବାଣିଜ୍ୟ ଯୁଦ୍ଧର ପ୍ରଭାବ  ସାରା ବିଶ୍ୱରେ ଅନୁଭୂତ ହେଲେ  ଆର୍ଥିକ ମାନ୍ଦାବସ୍ଥା କେତେଦୂର?  ଏହା ଭାରତର ରପ୍ତାନିକୁ ବହୁଳ  ପ୍ରଭାବିତ କରିବ । ଭାରତ କପା,  ରାସାୟନିକ ପଦାର୍ଥ ଏବଂ ଲୁହାପଥର ପରି କଞ୍ଚାମାଲ ଚୀନ୍‌କୁ  ରପ୍ତାନି କରେ । ମାନ୍ଦାବସ୍ଥାରୁ ଚାହିଦା ହ୍ରାସ ପାଇପାରେ ।  ଆମେରିକୀୟ ଶୁଳ୍କ ଯୋଗୁ ଯଦି ଚୀନ୍‌ ସାମଗ୍ରୀ ମହଙ୍ଗା ହୁଏ,  ଇଲେକ୍ଟ୍ରୋନିକ୍ସ, ଯନ୍ତ୍ରପାତି ଭଳି ଦ୍ରବ୍ୟର ମୂଲ୍ୟ ସାରା ବିଶ୍ୱରେ  ବୃଦ୍ଧି ପାଇପାରେ । ଏହା ଭାରତୀୟ ଆମଦାନିକାରୀଙ୍କୁ ମଧ୍ୟ  ପ୍ରଭାବିତ କରିବ ବୋଲି ଅର୍ଥ ବିଶେଷଜ୍ଞ କହୁଛନ୍ତି । 

ଭାରତ ପ୍ରତି ଟ୍ରମ୍ପ ପ୍ରଶାସନର କ’ଣ ମନୋଭାବ? ଆଗକୁ  ଟ୍ରମ୍ପଙ୍କ ଶୁଳ୍ପ ବୁଢ଼ିଆଣୀ ଜାଲରେ ଭାରତ ଫସିବ କି? ଅବୈଧ  ଭାବେ ରହୁଥିବା ୨୦୫ ଭାରତୀୟଙ୍କୁ ଆମେରିକାରୁ ବିଦା  କରିଛନ୍ତି ଟ୍ରମ୍ପ ସରକାର । ଆଗକୁ ପ୍ରାୟ ୧୮ହଜାର ଭାରତୀୟ  ଦେଶାନ୍ତର ହେବେ । ଟ୍ରମ୍ପ ଘଡ଼ିକେ ଘୋଡ଼ା ଛୁଟିଲା ଭଳି  ନିଷ୍ପତ୍ତି ନେଉଥିଲା ବେଳେ ମୋଦି ସରକାର ମଧ୍ୟ ‘ହାତେ  ମାପି ଚାଖଣ୍ଡେ’ ଚାଲୁଛନ୍ତି । ଆଶା କରାଯାଉଛି ମୋଦି-ଟ୍ରମ୍ପଙ୍କ  ବନ୍ଧୁତା ଦୃଷ୍ଟିରୁ ଭାରତ ବିଶେଷ ପ୍ରଭାବିତ ହୋଇ ନପାରେ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ ଆମେରିକା ଗସ୍ତରେ  ଯିବେ । ଆମେରିକା ରାଷ୍ଟ୍ରପତିଙ୍କ ସହ ମୋଦିଙ୍କ ସାକ୍ଷାତ ହିଁ  ସ୍ପଷ୍ଟ କରିବ ଟ୍ରମ୍ପ ବନ୍ଧୁରେ ଦାୟ ନା ନିଜ କଠୋର ନିଷ୍ପତ୍ତିରେ ।  ଅଗ୍ନିପରୀକ୍ଷାରେ ଏବେ ମୋଦି ସରକାରଙ୍କ କୂଟନୀତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.