ନୂଆଦିଲ୍ଲୀ ୧୬/୦୨: ଆମ ଦେଶରେ ପରୀକ୍ଷା ନାଁ ଶୁଣିଲେ ପିଲାଙ୍କ ସମେତ ଅଭିଭାବକମାନେ ବି ଛାନିଆ ହୋଇପଡ଼ନ୍ତି । ପରୀକ୍ଷା ଅନେକ ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରିଦେଇଥାଏ । ତେବେ ଜାଣନ୍ତି କି ଫିନଲ୍ୟାଣ୍ଡର ଶିକ୍ଷା ବ୍ୟବସ୍ଥାନୁସାରେ ପରୀକ୍ଷା ହୋଇନଥାଏ । ଅଥଚ ସେହି ଛୋଟ ୟୁରୋପୀୟ ଦେଶର ଶିକ୍ଷା ବ୍ୟବସ୍ଥାକୁ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ବୋଲି ଦାବି କରାଯାଇଛି । ଏହି ଦାବି କରିଛି ୟୁନେସ୍କୋ ।
ୟୁନେସ୍କୋ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଶିକ୍ଷାରେ ଆମେରିକା, ବ୍ରିଟେନ୍ ଭଳି ଦେଶର ଶିକ୍ଷା ବ୍ୟବସ୍ଥାକୁ ପଛରେ ପକାଇଛି ଫିନଲ୍ୟାଣ୍ଡ । ଅଥଚ ସେଠାକାର ଅଭିନବ ବ୍ୟବସ୍ଥାରେ ଅତି ସାନ ବୟସରୁ ପିଲାମାନେ ସ୍କୁଲ୍ ଯାଆନ୍ତି ନାହିଁ । ଏମିତିକି ଅଳ୍ପ ବୟସର ଛାତ୍ରଛାତ୍ରୀମାନଙ୍କ ପାଇଁ କୌଣସି ପରୀକ୍ଷା ବ୍ୟବସ୍ଥା ନାହିଁ ସେ ଦେଶରେ । ସ୍କୁଲ ଯାଉଥିବା ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିଥାଆନ୍ତି । ତା’ହେଲେ କେଉଁ ମନ୍ତ୍ର ବଳରେ ପାଠପଢ଼ାରେ ଶ୍ରେଷ୍ଠତ୍ୱର ଶିରପା ପିନ୍ଧିଛି ଫିନଲ୍ୟାଣ୍ଡ ।
ଏହି ଦେଶରେ ଆନୁଷ୍ଠାନିକ ଶିକ୍ଷା ଆରମ୍ଭ ହୁଏ ପିଲାକୁ ସାତ ବର୍ଷ ବୟସ ହେଲେ । ତାହା ପୂର୍ବରୁ ପିଲାମାନେ ସ୍କୁଲ୍ ଯାଆନ୍ତି ନାହିଁ । ପିଲାମାନଙ୍କ ପାଇଁ ନର୍ସରୀ ସ୍କୁଲ୍ର ଅସ୍ତିତ୍ୱ ଥିଲେ ବି ସେସବୁ ସ୍କୁଲରେ ଆଦୌ ଲେଖାପଢ଼ା ହୁଏ ନାହିଁ । କେବଳ ଖେଳକୁଦ ଓ ମନୋରଞ୍ଜନ ପାଇଁ ପିଲାମାନେ ସେଭଳି ସ୍କୁଲ୍ ଯାଇଥାଆନ୍ତି । ଫିନଲ୍ୟାଣ୍ଡର ଲୋକମାନେ ମନେ କରନ୍ତି, ସାତ ବର୍ଷ ବୟସ ଆଗରୁ ଶିଶୁମାନଙ୍କ ମୁଣ୍ଡରେ ପାଠପଢ଼ାର ଚାପ ଦେବା ଆଦୌ ଠିକ୍ ନୁହେଁ । ସେମାନଙ୍କର ସ୍ୱାଭାବିକ ମାନସିକ ବିକାଶ ପାଇଁ ସମୟ ଦେବା ଦରକାର । ସାତ ବର୍ଷ ବୟସ ପୂର୍ବରୁ ପିଲାଟି ପରିବାର ଲୋକଙ୍କ ଗହଣରେ ଲେଖାପଢ଼ାର ପ୍ରାଥମିକ ଶିକ୍ଷା ପାଇପାରେ । ତେବେ ସ୍କୁଲ ଭଳି ଆନୁଷ୍ଠାନିକ ଶିକ୍ଷା ନୁହେଁ । ସେ ଦେଶରେ ସାତ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଖେଳକୁଦ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଥିବା ସୃଜନଶୀଳତାର ବିକାଶ କରାଯାଏ ।
ଫିନଲ୍ୟାଣ୍ଡରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ୍ କେବଳ ୯ ବର୍ଷ ବାଧ୍ୟତାମୂଳକ । ଅର୍ଥାତ ୭ ବର୍ଷରୁ ୧୬ ବର୍ଷ ବୟସ ମଧ୍ୟରେ ଆନୁଷ୍ଠାନିକ ଶିକ୍ଷା ଦିଆଯାଇଥାଏ । ଏହାପରେ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ କଲେଜ୍, ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଥାନ୍ତି । ତେବେ ଉଚ୍ଚଶିକ୍ଷା ମଧ୍ୟ ଇଚ୍ଛାଧୀନ, ସେଥିରେ ବାଧ୍ୟବାଧକତା ନଥାଏ । ଫିନଲ୍ୟାଣ୍ଡରେ କୌଣସି ସ୍କୁଲରେ ପ୍ରଥମ ଛଅ ବର୍ଷ କୌଣସି ପରୀକ୍ଷା ହୋଇନଥାଏ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌଣସି ପ୍ରକାର ପ୍ରତିଯୋଗିତାମୂଳକ ମନୋଭାବକୁ ପ୍ରଶ୍ରୟ ଦିଅନ୍ତି ନାହିଁ ସେଠାକାର ଶିକ୍ଷକ-ଶିକ୍ଷୟିତ୍ରୀ । ୧୬ ବର୍ଷ ବୟସରେ ଉପନୀତ ହୋଇସାରିଲେ ପ୍ରତ୍ୟେକ ଛାତ୍ରଛାତ୍ରୀ ଏକ କେନ୍ଦ୍ରୀୟ ପରୀକ୍ଷା ଦେଇଥାଆନ୍ତି ଯାହାକୁ ‘ନ୍ୟାସନାଲ ମ୍ୟାଟ୍ରିକୁଲେସନ୍ ଏକ୍ସାମ୍’ କୁହାଯାଇଥାଏ । ପୃଥିବୀର ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ତୁଳନାରେ ସବୁଠୁ ଅଳ୍ପ ସମୟ କ୍ଲାସ୍ କରିଥାଆନ୍ତି ଫିନଲ୍ୟାଣ୍ଡର ଛାତ୍ରଛାତ୍ରୀ । ତଥାପି ସେମାନଙ୍କର ଶିକ୍ଷାଗତ ପାରଦର୍ଶିତା ଅନ୍ୟ ୟୁରୋପୀୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ବୋଲି ଦାବି କରାଯାଇଥାଏ । ଅତି ବେଶିରେ ୫ ଘଣ୍ଟା ପଢ଼ିଥାଆନ୍ତି ଛାତ୍ରଛାତ୍ରୀମାନେ । ପ୍ରତି ୪୫ ମିନିଟ୍ରେ ଥରେ ୧୫ ମିନିଟ୍ର ବିରତି ଦିଆଯାଇଥାଏ । ସେଠାକାର ଶିକ୍ଷା ବ୍ୟବସ୍ଥାର ମୂଳମନ୍ତ୍ର, ‘ପ୍ରତିଯୋଗିତା ନୁହେଁ, ସହଯୋଗିତା ହିଁ ଛାତ୍ରଜୀବନକୁ ଶୃଙ୍ଖଳିତ କରିଥାଏ’ ।