ନୂଆଦିଲ୍ଲୀ ୧୯/୦୨: ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ଡାଇନୋସର ରହୁଥିଲେ। ଦିନେ ବିପର୍ଯ୍ୟୟ ଆସିଲା ଆଉ ସବୁକିଛି ଶେଷ ହୋଇଗଲା। ଏହା ପରେ ଅସ୍ତିତ୍ୱକୁ ଆସିଲା ମଣିଷ । କୁହାଯାଏ ଡାଇନୋସର ପରି ଦିନେ ଏହି ମଣିଷ ମଧ୍ୟ ଶେଷ ହୋଇଯିବ। ପ୍ରଳୟ ଆସିବ ଆଉ ତା’ପରେ ପୁନଃ ନିର୍ମାଣ ହେବ।
ଏହି ପ୍ରଳୟ କେବେ ଓ କିପରି ଆସିବ, ଏହାକୁ ନେଇ ବାବା ଭେଙ୍ଗା ଠାରୁ ଆରମ୍ଭ କରି ଅନେକ ବୈଜ୍ଞାନିକ ବିଭିନ୍ନ ଦାବି ଏବଂ ଭବିଷ୍ୟବାଣୀ କରିଛନ୍ତି। ହେଲେ ଜଳବାୟୁ ପରିବର୍ତ୍ତନ, ଆଣବିକ ଯୁଦ୍ଧର ଆଶଙ୍କା ଏବଂ ଅନେକ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ହେତୁ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ମନୁଷ୍ୟ ସମାଜର ବିନାଶ ଘଟିବ। ଏହି ବିନାଶ କେବେ ଏବଂ କିପରି ଘଟିବ ସେ ସମ୍ବନ୍ଧରେ ଏକ ଘଣ୍ଟା ପ୍ରସ୍ତୁତ କରାଯାଇଛି, ଯାହାକୁ 'ଡୁମ୍ସଡେ କ୍ଲକ୍' କୁହାଯାଉଛି। ବୈଜ୍ଞାନିକମାନେ କହିଛନ୍ତି ଯେ ଯେତେବେଳେ ବି ଏହି ଘଣ୍ଟାରେ ୧୨ ବାଜିବ, ସେହି ଦିନ ସବୁକିଛି ଶେଷ ହୋଇଯିବ ।
'ଡୁମ୍ସଡେ କ୍ଲକ୍' ହେଉଛି ଏକ ସାଙ୍କେତିକ ଘଣ୍ଟା। ଯେଉଁଥିରେ ଦେଖାଯାଇଥିବା ସମୟ ଜଗତର ସାମ୍ପ୍ରତିକ ସ୍ଥିତିକୁ କହିଥାଏ । ଯେତେବେଳେ ମନୁଷ୍ୟର ପରୀକ୍ଷଣ ଏବଂ ବିନାଶକାରୀ ପରିସ୍ଥିତି ଯୋଗୁଁ ପୃଥିବୀରେ ବିପଦ ବଢିଯାଏ, ଏହି ଘଣ୍ଟାର ସମୟ ବଢିଯାଇଥାଏ । ଘଣ୍ଟା ଯେତେ ୧୨ ଟାର ପାଖାପାଖି ହେବ ପୃଥିବୀ ପ୍ରତି ବିପଦ ବଢି ଚାଲିବ। ଯେତେବେଳେ ଘଣ୍ଟାରେ ୧୨ ବାଜିବ, ଦୁନିଆ ଶେଷ ହେବ।
ଆଲବର୍ଟ ଆଇନଷ୍ଟାଇନ ଏବଂ ରୋବର୍ଟ ଓପେନହାଇମରଙ୍କ ପରି ମହାନ ବୈଜ୍ଞାନିକମାନେ ମିଳିତ ଭାବରେ 'ବୁଲେଟିନ୍ ଅଫ୍ ଆଟୋମିକ୍ ସାଇଣ୍ଟିଷ୍ଟସ୍' ନାମକ ଏକ ସଂଗଠନ ଗଠନ କରିଥିଲେ। ଏହି ସଂସ୍ଥା ୧୯୪୭ ରେ 'ଡୁମ୍ସଡେ କ୍ଲକ୍' ତିଆରି କରିଥିଲା । ଯେତେବେଳେ ଏହି ଘଣ୍ଟା ତିଆରି ହୋଇଥିଲା, ଏହାର ସମୟ ୧୧:୫୩ ମିନିଟରେ ସ୍ଥିର ହୋଇଥିଲା। ୧୯୪୯ରେ ଯେତେବେଳେ ସୋଭିଏତ୍ ୟୁନିଅନ୍ ପରମାଣୁ ପରୀକ୍ଷଣ କରିଥିଲା, ଏହି ଘଣ୍ଟାର ସମୟ ୧୧:୫୭ କୁ ବଢାଯାଇଥିଲା। ଏହା ପରେ, ଆମେରିକା ୧୯୫୨ ରେ ଆଣବିକ ପରୀକ୍ଷଣ କରିଥିଲା, ଯାହା ପରେ ୧୯୫୩ ରେ ସୋଭିଏତ୍ ୟୁନିଅନ୍ ଦ୍ୱାରା ହାଇଡ୍ରୋଜେନ୍ ତିଆରି କରାଯାଇଥିଲା। ଏହା ପରେ ଘଣ୍ଟା ସମୟକୁ ଆହୁରି ୨ ମିନିଟ୍ ବୃଦ୍ଧି କରାଯାଇଥିଲା । ଅର୍ଥାତ୍ ଯେତେବେଳେ ମଣିଷ କୌଣସି ପରୀକ୍ଷଣ କରେ ତାହା ପୃଥିବୀ ପାଇଁ ବିପଦ ସୃଷ୍ଟି କରେ ଏବଂ ଘଣ୍ଟାର ସମୟକୁ ବଢାଇ ଦିଆଯାଏ। ଘଣ୍ଟାର ସମୟ ପରିବର୍ତ୍ତନ କରିବାର କାର୍ଯ୍ୟ 'ବୁଲେଟିନ୍ ଅଫ୍ ଆଟୋମିକ୍ ସାଇଣ୍ଟିଷ୍ଟସ୍' ଦ୍ୱାରା କରାଯାଇଥାଏ । ତେବେ 'ଡୁମ୍ସଡେ କ୍ଲକ୍'ରେ ସମୟ ଧୀରେ ଧୀରେ ବଢିଚାଲିଛି। ଏହି ଘଣ୍ଟାରେ ୧୨ଟା ବାଜିବାକୁ ପର୍ଯ୍ୟନ୍ତ ମାତ୍ର ୮୯ ସେକେଣ୍ଡ ବାକି ଅଛି । ଏହାର ଅର୍ଥ ସଂସାର ବିନାଶର ଅତି ନିକଟତର।