ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଆମେରିକା ରାଜନୀତିରେ ଓଡ଼ିଆ ରାଇଜିଂ ଷ୍ଟାର୍‌, ଡେମୋକ୍ରାଟିକ୍‌ ପାର୍ଟିରେ ଚମକୁଛନ୍ତି ମୟୂରଭଞ୍ଜର ସମୟ ସାହୁ

ଜୟପୁର,୦୯/୦୯: ସମୟ ସାହୁ ।  ବୟସ ୨୧ । ମୟୂରଭଞ୍ଜ ଜିଲ୍ଲାର ମୂଳ ବାସିନ୍ଦା । କର୍ମକ୍ଷେତ୍ର କିନ୍ତୁ ଆମେରିକା । ପରିବାର ସହ ସେଠାରେ ବାପା ମାନସ ସାହୁ ଓ ମାଆ ଆୟଲିନ୍‌ ବନିକଙ୍କ ସହ ରହୁଛନ୍ତି । ଆମେରିକାର ସକ୍ରିୟ  ରାଜନୀତିରେ ପାଦ ଦେଇ ବେଶ୍‌ ଚର୍ଚ୍ଚିତ ସମୟ । ଡେମାକ୍ରାଟିକ ପାର୍ଟିର ଜଣେ ସକ୍ରିୟ  ସଦସ୍ୟ । ରାଜନୀତିରେ ତାଙ୍କ ଦମଦାର ଏଣ୍ଟ୍ରିକୁ  ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଥିବା କମଳା ହାରିସ ସ୍ୱାଗତ କରିଛନ୍ତି । ତାଙ୍କ ଉଚ୍ଚକୋଟୀର ରାଜନୈତିକ ଭାଷଣକୁ ପସନ୍ଦ  କରିଛନ୍ତି । ସମୟଙ୍କ ରାଜନୈତିକ କ୍ୟାରିୟର  ଏବଂ ସାଂଗଠନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି । ଆମେରିକା ଭଳି ପ୍ରଭାବଶାଳୀ ରାଷ୍ଟ୍ରର ସକ୍ରିୟ ରାଜନୀତିରେ ଜଣେ ଓଡ଼ିଆ ପୁଅର  ଏଭଳି ଚମକ ଏବେ ତାଙ୍କ ଗାଁ, ସମ୍ପର୍କୀୟଙ୍କ  ପାଇଁ ଖୁସିର କାରଣ ହୋଇଛି । କୋଟିକୋଟି  ଓଡ଼ିଆଙ୍କ ପାଇଁ ଏବେ ଗର୍ବର ବିଷୟ ହୋଇଛନ୍ତି ସମୟ । ପିଲାଟି ବେଳରୁ ରାଜନୀତି ପ୍ରତି ବିଶେଷ ରୁଚି ରଖିଥିବା ସମୟ ଆଗାମୀ ଦିନରେ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ରାଜନୀତିକୁ କେବେ ଛାଡ଼ିପାରିବେ ନାହିଁ ବୋଲି କହିଛନ୍ତି ।  

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର  ମୂଳ ବାସିନ୍ଦା ହେଉଛନ୍ତି ମାନସ । ପ୍ରଥମେ  ରାୟଗଡ଼ାରେ ଚାକିରି କରୁଥିଲେ । ପରେ  ଅନ୍ୟ ଏକ ଚାକିରି ପାଇ ଚାଲିଯାଇଥିଲେ  ଆମେରିକା । ସେଠାରେ ନ୍ୟୁ ହାମ୍‌ସସାୟାର  ରାଜ୍ୟର ନାସୁଆ ସହରରେ ରହୁଛନ୍ତି । ଚାକିରି  ଛାଡ଼ି ଏବେ ହୋଟେଲ ବ୍ୟବସାୟ କରୁଛନ୍ତି  ମାନସ । ସମୟଙ୍କ ଜନ୍ମ ଆମେରିକାରେ ।  ୨୦୦୪ ମସିହା ଏପ୍ରିଲ୍‌ ୧୯ତାରିଖରେ ।  ସେଠାକାର ସେ ନାଗରିକତ୍ୱ ଗ୍ରହଣ କରିଛନ୍ତି ।  ସମୟ ଯେତେବେଳେ ବିଦ୍ୟାଳୟରେ ପାଠପଢ଼ା  ଆରମ୍ଭ କଲେ ସେହି ସମୟରେ ଛାତ୍ର  ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ  ା ପାଠପଢ଼ା ସହ ରାଜନୀତିରେ ଅଧିକ ସମୟ  ବିତାଉଥିଲେ । ୨୦୧୬ରେ ନିର୍ବାଚନ ପୂର୍ବବର୍ତ୍ତୀ  ରାଲିରେ ଡେମୋକ୍ରାଟିକ୍‌ ଛାତ୍ର ଦଳର ନେତୃତ୍ୱ  ନେଇଥିଲେ । ୨୦୨୦ ମସିହାରେ ସକ୍ରିୟ  ରାଜନୀତିରେ ପ୍ରବେଶ କରିଥିଲେ ସମୟ । ହାଇସ୍କୁଲରେ ଭାଇସ୍‌ ଚେୟାରମ୍ୟାନ ହେବାର  ଗୌରବ ଅର୍ଜନ କରିଥିଲେ । ଡେମୋକ୍ରାଟିକ୍‌  ଦଳର ପ୍ରାର୍ଥୀ ଭାବେ ସେ ରିପବ୍ଲିକ୍‌ ପାର୍ଟି  ପ୍ରାର୍ଥୀଙ୍କୁ ପରାସ୍ତ କରି ଚର୍ଚ୍ଚାରେ ରହିଥିଲେ । ଛାତ୍ର  ଜୀବନରୁ ରାଜନୀତି ଆରମ୍ଭ କରିଥିବା ସମୟ  ଏବେ ଡାର୍ଟ ମାଉଥ୍‌ କଲେଜରେ ପଢ଼ୁଛନ୍ତି ।  

୨୦୨୨-୨୩ରେ ସେ ଡେମାକାଟ୍ରିକ  ପାର୍ଟିର ଏକ ଗୁରୁ ଦାୟିତ୍ୱ ପାଇଥିଲେ ।  ହାଇସ୍କୁଲ ଡେମୋକ୍ରାଟ୍‌ ଅଫ୍‌ ଆମେରିକାର  ସେ ନ୍ୟାସନାଲ୍‌ ଚେୟାରମ୍ୟାନ ଭାବେ  ମନୋନୀତ ହୋଇଥିଲେ । ଆମ ଦେଶର ବିଭିନ୍ନ  ଜାତୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ପଦ ଭଳି  ଡେମୋକ୍ରାଟିକ୍‌ ଦଳର ସର୍ବକନିଷ୍ଠ ସଦସ୍ୟ  ଭାବେ ସେ ଏହି ପଦ ହାସଲ କରିଥିଲେ । ସକ୍ରିୟ  ରାଜନୀତିରେ କଲେଜ ପଢ଼ୁଆ ସମୟଙ୍କ ଏଭଳି  ଯୋଗଦାନ ତାଙ୍କ ସମସାମୟିକ ଛାତ୍ରଛାତ୍ରୀଙ୍କୁ  ବେଶ୍‌ ପ୍ରଭାବିତ କରିଥିଲା । ଡେମୋକ୍ରାଟିକ୍‌  ଦଳର ନେତାଙ୍କ ପାଇଁ ଭାଷଣ ଦେବା ହେଉ  କିମ୍ବା ରାଲିରେ ସମ୍ବୋଧନ-ସବୁ କ୍ଷେତ୍ରରେ  ବେଶ୍‌ ଚର୍ଚ୍ଚିତ ସମୟ । ସେ ଏବେ ବୋର୍ଡ  ଅଫ୍‌ ଏଜୁକେସନରେ ପ୍ରତିନିଧିତ୍ୱ କରୁଛନ୍ତି ।  ଆମେରିକା ରାଜନୀତିରେ ଡେମୋକ୍ରାଟିକ୍‌ ଦଳର  ଦବ୍‌ଦବା ଥିବାବେଳେ ଉକ୍ତ ଦଳର ସକ୍ରିୟ  ରାଜନୀତିରେ ସମୟଙ୍କ ଭଳି ଯୁବ ପ୍ରତିନିଧିତ୍ୱ  ଓଡ଼ିଆ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ନିଶ୍ଚୟ । 

ବିଶାଖାପାଟଣାର ପୂର୍ବତନ ଡିଆର୍‌ଏମ୍‌  ଅନୁପ ଶତପଥୀ କହିଛନ୍ତି, ମାନସ ହେଉଛନ୍ତି  ତାଙ୍କର ଅତି ଘନିଷ୍ଠ ବନ୍ଧୁ । ନିକଟରେ  ସେ(ଅନୁପ) ଆମେରିକା ଯାଇଥିଲେ ।  ସେଠାକାର ରାଜନୀତିରେ ସମୟଙ୍କ ପତିଆରା  ଦେଖି ଚକିତ ହୋଇଥିଲେ । ଆଗାମୀ ଦିନରେ  ସମୟ ଏ କ୍ଷେତ୍ରରେ ଆହୁରି ସଫଳତା  ପାଇବେ ବୋଲି ଅନୁପ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.