ନୂଆଦିଲ୍ଲୀ,୧୫।୯: ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ମହାକାଶରେ ରଚିଲା ଇତିହାସ। ଘରୋଇନ ମହାକାଶ ମିଶନ୍କୁ ସଫଳତାର ସହ ଶେଷ କରିଛି। ୪ ମହାକାଶ ଯାତ୍ରୀଙ୍କୁ ନେଇକି ଯାଇଥିବା ସ୍ପେସ୍ ଏକ୍ସର ‘ପୋଲାରିସ୍ ଡନ୍ କ୍ରୁ’ ସଫଳତାର ସହ ଫେରିଛି। ଶନିବାର ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ଫ୍ଲୋରିଡାର ଟୋର୍ଟୁଗାସ୍ କୋଷ୍ଟରେ ଲ୍ୟାଣ୍ଡ କରିଛି। ଏହି ସମୟରେ ବହୁ ପରିମାଣରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୫ ଦିନର ଏହି ମିସନ୍ ୧୦ ସେପ୍ଟେମ୍ବରରେ ଲଞ୍ଚ ହୋଇଥିଲା। ଏହି ଅଭିଯାନ ବେଳେ ଦୁଇ ମହାକାଶଯାତ୍ରୀ ସ୍ପେସ୍ଓ୍ବାକ୍ ମଧ୍ୟ କରିଥିଲେ।
ଏହି ଅଭିଯାନର ନେତୃତ୍ବ ନେଇଥିଲେ ଫିନଟେକର ଅରବପତି ଜେରେଡ୍ ଇସାକମ୍ୟାନ୍। ତାଙ୍କ ଛଡା କିଡ୍ ପୋଟେଟ୍, ସାରା ଗିଲିସ୍ ଓ ଆନ୍ନା ମେନନ୍ ମଧ୍ୟ ସ୍ପେସଶିପ୍ରେ ଥିଲେ। ଏହି ସମସ୍ତେ କେନେଡି ସ୍ପେସ୍ ସେଣ୍ଟରରୁ ନିଜର ଯାତ୍ରା ଆରମ୍ଭ କରିଥିଲେ। ଏହି ସ୍ପେସ୍କ୍ରାଫ୍ଟକୁ ମସ୍କଙ୍କ କମ୍ପାନୀ ଫାଲକନ୍-୯ ରକେଟ୍ରୁ ଲଞ୍ଚ କରାଯାଇଥିଲା। ଯାତ୍ରା ଏଥିପାଇଁ ବିପଦଜନକ ଥିଲା, କାରଣ ସେମାନେ ସେହି ସ୍ଥାନକୁ ଯାଇଥିଲେ, ଯେଉଁଠିକୁ ବିଗତ ୫୦ ବର୍ଷରେ କୌଣସି ମହାକାଶ ଯାତ୍ରୀ ଯାଇ ନାହାନ୍ତି।ସେମାନେ ଅର୍ବିଟରେ ୧୪୦୮.୧ କି.ମି ଦୂରକୁ ଯାଇଥିଲେ। ଏହି ଦୂରତ୍ବ ମହାକାଶରେ ଥିବା ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନ୍ରୁ ମଧ୍ୟ ଅଧିକ ଗଭୀରରେ ରହିଛି।
ଏହି ମିଶନ୍ ଖୁବ୍ ଚ୍ୟାଲେଞ୍ଜିଂ ଥିଲା। ସ୍ପେସ୍କ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ଯେତେବେଳେ ପ୍ରବେଶ କରିଥିଲା ଏହାର ବେଗ ଘଣ୍ଟା ପ୍ରତି ପ୍ରାୟ ୨୭୦୦୦ କିମି ରହିଥିଲା। ବାୟୁ ସହ ମାଡ଼ ହେବାପରେ ତାପମାତା ୧୯୦୦ ଡିଗ୍ରି ସେଲସିୟସ୍ରେ ପହଁଞ୍ଚି ଯାଇଥିଲା। ତେବେ ସ୍ପେସ୍କ୍ରାଫ୍ଟ ତଳେ ଥିବା ଚାରି ମିଟର ଚଉଡା ହିଟ୍ଶିଲ୍ଡ ଏହାକୁ ରକ୍ଷା କରିଥିଲା। ତଳକୁ ଆସିବା ସହ ଏହାର ବେଗ ଉପରେ ନିୟନ୍ତ୍ରଣ ରଖାଯାଇଥିଲା। ଶେଷରେ ପାରାସୁଟ୍ ଖୋଲା ଯାଇଥିଲା ଓ ପାଣିରେ ଲ୍ୟାଣ୍ଡ କରାଯାଇଥିଲା।