ଅମୃତସର,୧୭/୦୨: ଆମେରିକାରେ ଅବୈଧ ଭାବେ ବସବାସ କରୁଥିବା ଆଉ ୧୧୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଏହି ଭାରତୀୟଙ୍କୁ ଧରି ଆମେରିକାର ତୃତୀୟ ବିମାନ ସି-୧୭ ଗ୍ଲୋବମାଷ୍ଟର ଆଜି ରାତି ପ୍ରାୟ ୧୦ଟାରେ ଅମୃତସର ବିମାନବନ୍ଦରରେ ଅବତରଣ କରିଛି । ସେମାନଙ୍କ ମଧ୍ୟରେ ପଞ୍ଜାବର ୩୧, ହରିୟାଣାର ୪୪, ଗୁଜରାଟର ୩୩, ଉତ୍ତରପ୍ରଦେଶର ୨ ଏବଂ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଜଣେ ଲେଖାଏ ଅଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ନିଜ ଘରକୁ ପଠାଇ ଦିଆଯାଇଛି ।
ଶନିବାର ରାତିରେ ଦ୍ୱିତୀୟ ପର୍ଯ୍ୟାୟରେ ୧୧୬ ଜଣ ଭାରତୀୟ ଆସିଥିଲେ । ତେବେ ମହିଳା ଓ ପିଲାଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ଗୋଡରେ ବେଡି ଓ ହାତରେ ହାତକଡି ପକାଯାଇଥିଲା । ଏହା ପୂର୍ବରୁ ଗତ ୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଆମେରିକାରୁ ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି ସି-୧୭ ଗ୍ଲୋବମାଷ୍ଟର ବିମାନ ଅମୃତସରରେ ପହଞ୍ଚିଥିଲା । ସମସ୍ତଙ୍କ ଗୋଡରେ ବେଡି ଓ ହାତରେ ହାତକଡି ଲଗାଯାଇଥିବାରୁ ତାକୁ ନେଇ ଭାରତରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।