ଭୁବନେଶ୍ୱର ୧୧/୦୨: ପ୍ରତି ୭୦ ଲୋକଙ୍କ ପାଇଁ ଗୋଟିଏ ନଳକୂପ ରହିବ । ୭୦ରୁ ଅଧିକ ଲୋକ ଥିଲେ ଦୁଇଟି ନଳକୂପ ହେବ । ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାଣି ଦିଆଯିବ । ସବୁ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି, ପ୍ରତି ଗାଁକୁ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଗ୍ରୀଷ୍ମପ୍ରବାହ ପୂର୍ବରୁ ସବୁ ଗାଁରେ ବିଶୁଦ୍ଧ ପିଇବା ପାଣି ଯୋଗାଣକୁ ସରକାର ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ବିଦ୍ୟୁତ ଦେୟ ଦେଇନଥିବା ଗାଁର ଅନେକ ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ ସରବରାହ ବନ୍ଦ ହୋଇଥିଲା । ଏଥିପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିଲା । ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏସବୁର ସମାଧାନ ପାଇଁ ସରକାର ପଦକ୍ଷେପ ନେଇଛନ୍ତି ।
ବକେୟା ବିଦ୍ୟୁତ ଦେୟ ପାଇଁ ଗାଁରେ ବଡ଼ ପାନୀୟ ଜଳ ପ୍ରକଳ୍ପ ଅକାମି ହୋଇ ପଡ଼ୁଛି । ବସୁଧା ଯୋଜନା ଅଧୀନରେ ମିଳୁଥିବା ଅନୁଦାନକୁ ବ୍ୟବହାର କରି ଏହି ବିଦ୍ୟୁତ୍ ବିଲ୍ ଦେବାକୁ ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଦେଶ ଦେଇଛନ୍ତି । ଉପାନ୍ତ ଅଞ୍ଚଳରେ ପିଇବା ପାଣି ଯୋଗାଇବାକୁ ଜିଲ୍ଲାପାଳ ଓ ସରପଞ୍ଚଙ୍କୁ କ୍ଷମତା ଦିଆଯାଇଛି । ନଳକୂପ ଖନନକୁ ପୁନଃ ଅନୁମତି ଦିଆଯିବ । ଗାଁରେ ଅଚଳ ନଳକୂପ ବଦଳରେ ନୂଆ ନଳକୂପ ଖୋଳାଯିବ । ନଳକୂପ ନ ଥିବା ନୂଆ ଜନବସତି, ପାଇପ୍ ଜଳଯୋଗାଣ ହୋଇନଥିବା ତଥା ବ୍ୟକ୍ତିଗତ ନଳକୂପ ନଥିବା ଅଞ୍ଚଳରେ ନୂଆ ନଳକୂପ ହେବ ।
୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ୭୨ଟି ବୃହତ ପାନୀୟଜଳ ପ୍ରକଳ୍ପ କାମ ସରିବ । ଡିସେମ୍ବର ଶେଷ ସୁଦ୍ଧା ୫୪ଟି ବୃହତ ପାନୀୟ ଜଳ ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟ ରହିଛି । ସେହିଭଳି ୨୦୨୬ ଜୁନ୍ ଶେଷ ସୁଦ୍ଧା ୮୧ଟି ବୃହତ୍ ପାନୀୟଜଳ ପ୍ରକଳ୍ପ କାମ ସାରିବୁ । ଧାର୍ଯ୍ୟ ସମୟ ଭିତରେ ମୋଟ ୨୦୭ ବଡ଼ ପ୍ରକଳ୍ପ କାମ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଲୋକଙ୍କଠାରୁ ଅଭିଯୋଗ ଶୁଣାଣି ମାଧ୍ୟମରେ ଯେଉଁ ସବୁ ପ୍ରସ୍ତାବ ଆସୁଛି ତା ଉପରେ କାମ ଚାଲିଛି । ରାଜ୍ୟବାସୀଙ୍କ ପାନୀୟ ଜଳ ଆବଶ୍ୟକତାକୁ ପୂରା କରିବାକୁ ସରକାର ପ୍ରାଥମିକତା ଭିତ୍ତିରେ କାମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ।