ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ସଙ୍ଗମ ଜଳରେ ବ୍ୟାକ୍ଟେରିଆ ଥିବା ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଲେ ଯୋଗୀ ସରକାର, କହିଲେ-‘ଦୁଷ୍ପ୍ରଚାରକୁ ବରଦାସ୍ତ କରାଯିବନି’

Published By : Prameya | February 20, 2025 8:46 AM

ପ୍ରୟାଗରାଜ ୨୦/୦୨: ସଙ୍ଗମ ଜଳରେ ଫିକଲ ବ୍ୟାକ୍ଟେରିଆର ଉପସ୍ଥିତି ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ରାଜ୍ୟ ବିଧାନସଭାରେ କହିଛନ୍ତି- ତ୍ରିବେଣୀ ଜଳର ଗୁଣବତ୍ତା ଉପରେ ପ୍ରଶ୍ନ ଉଠୁଛି । ସଙ୍ଗମ ଓ ଏହା ଆଖପାଖର ସମସ୍ତ ନାଳର ପାଣିକୁ ଶୁଦ୍ଧ କରିବା ପରେ ଛଡ଼ାଯାଉଛି । ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଣିର ଗୁଣବତ୍ତା ବଜାୟ ରଖିବା ପାଇଁ ଲଗାତାର ଆକଳନ କରୁଛି । 

ଯୋଗୀ କହିଲେ, ଆଜିର ରିପୋର୍ଟ ଅନୁସାରେ, ସଙ୍ଗମ ଆଖପାଖ ବିଓଡିର ମାତ୍ରା ୩ରୁ କମ୍‌ । ମିଶ୍ରିତ ଅକ୍ସିଜେନ୍‌ ୮-୯ ପାଖାପାଖି । ଏହାର ଅର୍ଥ ସଙ୍ଗମ ଜଳ କେବଳ ସ୍ନାନ ପାଇଁ ନୁହେଁ, ଆଚମନ ପାଇଁ ମଧ୍ୟ ଉପଯୁକ୍ତ । ଫିକଲ କୋଲିଫର୍ମ ବଢ଼ିବାର ଅନେକ କାରଣ ହୋଇପାରେ । ଯେପରିକି ସ୍ୱେରେଜ ଲିକେଜ୍‌ ଓ ପଶୁଙ୍କ ମଳ, କିନ୍ତୁ ପ୍ରୟାଗରାଜରେ ଫିକଲ କୋଲିଫର୍ମର ମାତ୍ରା ମାନକ ଅନୁସାରେ ୨୫୦୦ ଏମ୍‌ପିଏନ୍‌ ପ୍ରତି ୧୦୦ ମିଲିଲିଟରରୁ କମ୍‌ । ଏହାର ଅର୍ଥ ମିଛ ଅଭିଯାନ କେବଳ ମହାକୁମ୍ଭକୁ ବଦନାମ କରିବା ପାଇଁ । ଏନ୍‌ଜିଟି ମଧ୍ୟ କହିଛି ଯେ ଫିକଲ ବର୍ଜ୍ୟ ୨୦୦୦ ଏମ୍‌ପିଏନ୍‌ ପ୍ରତି ୧୦୦ ମିଲିଲିଟରଠୁ କମ୍‌ ଥିଲା । ଏହା ପୂର୍ବରୁ ସେଣ୍ଟ୍ରାଲ ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡ (ସିପିସିବି) ବାୟୋକେମିକାଲ ଅକ୍ସିଜେନ୍‌ ଡିମାଣ୍ଡ (ବିଓଡି) ସମ୍ବନ୍ଧରେ ନ୍ୟାସ୍‌ନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)କୁ ନଦୀମାନଙ୍କର ଜଳ ଗୁଣବତ୍ତା ବିଷୟରେ ସୂଚନା ଦେଇଥିଲା । ରିପୋର୍ଟ ଦର୍ଶାଇଥିଲା ଯେ ଗତ ଜାନୁଆରୀ ୧୨- ୧୩ରେ ଯାଞ୍ଚ୍‌ ସମୟରେ ଅଧିକାଂଶ ସ୍ଥାନରେ ନଦୀମାନଙ୍କର ଜଳ ଗୁଣବତ୍ତା ସ୍ନାନ ମାନଦଣ୍ଡକୁ ପୂରଣ କରୁନଥିଲା ।

ମହାକୁମ୍ଭକୁ ବଦ୍‌ନାମ କରିବାକୁ ପ୍ରୟାସ କରୁଥିବା ବିରୋଧୀଙ୍କୁ ଯୋଗୀ କଡ଼ା ଜବାବ ଦେଇ କହିଲେ, ସନାତନ ଧର୍ମ ପ୍ରତି ଅସମ୍ମାନକୁ ବରଦାସ୍ତ କରାଯିବ ନାହିଁ । ମହାକୁମ୍ଭ ମେଳା କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ । ଭାରତୀୟ ସଂସ୍କୃତିର ଏହା ଗର୍ବ ଓ ଗୌରବ । ବିଧାନସଭାରେ ବିପକ୍ଷ ନେତାମାନେ ମହାକୁମ୍ଭକୁ ନେଇ ଦେଇଥିବା ବୟାନ ବିଷୟରେ ଯୋଗୀ କହିଲେ, ଆଧାରହୀନ ଅଭିଯୋଗ ଜରିଆରେ ସେମାନେ ଏହି ପବିତ୍ର ଆୟୋଜନରେ ବାଧା ଉତ୍ପନ୍ନ କରିବାକୁ ଚେଷ୍ଟା କରୁଛନ୍ତି । ବିରୋଧୀ ନିରନ୍ତର ମହାକୁମ୍ଭ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଏବଂ ଏହାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୁରୁତ୍ୱକୁ ଅସମ୍ମାନ କରୁଛନ୍ତି । ଯୋଗୀ କହିଲେ, ସପା ଅଧ୍ୟକ୍ଷ (ଅଖିଳେଶ) ମହାକୁମ୍ଭକୁ ବିରୋଧ କରୁଥିଲେ, କିନ୍ତୁ ଶେଷରେ ଚୁପ୍‌ଚାପ ଯାଇ ବୁଡ଼ ପକାଇ ଆସିଲେ । ଚାଚା (ଶିବପାଲ)ଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଥାନ୍ତେ । ୧୦୧୩ରେ ତାଙ୍କର ବିବଶତା ମୁଁ ବୁଝିପାରୁଛି । କିନ୍ତୁ ୨୦୨୫ରେ ଅତିକମ୍‌ରେ ପୁଣ୍ୟର ଭାଗିଦାର ତ କରାଇଥାନ୍ତେ । ପୁତୁରା ଚାଲିଗଲେ, ଆଉ ଦାଦାଙ୍କୁ ପୁଣି ଠକିଦେଲେ ।

ଯୋଗୀ ଆହୁରି କହିଲେ, ବିଶ୍ୱର କୋଣ ଅନୁକୋଣରୁ ୫୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ଆସ୍ଥାର ବୁଡ଼ ପକାଇଲେଣି । ସବୁ ଜାତି ଓ ଧର୍ମର ଲୋକଙ୍କୁ ମହାକୁମ୍ଭ ସ୍ୱାଗତ କରୁଛି । ପ୍ରୟାଗରାଜ ମହାକୁମ୍ଭରେ କାହା ପ୍ରତି ଭେଦଭାବ କରାଯାଇ ନାହିଁ । ଯେଉଁମାନେ ହୃଦୟରେ ଭକ୍ତିଭାବର ସହ ଆସିଛନ୍ତି, ସେମାନେ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି । ଏପରିକି କ୍ରିକେଟର ମହମ୍ମଦ ଶାମି ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ବୋଲି ଯୋଗୀ କହିଲେ । ତେବେ ଶାମି ମହାକୁମ୍ଭରେ ବୁଡ଼ ପକାଇ ନାହାନ୍ତି । କିନ୍ତୁ ଗତ ବର୍ଷ ଭାରତୀୟ କ୍ରିକେଟର ମହମ୍ମଦ କୈଫ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ । ଏହି ତ୍ରୁଟିକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗୀଙ୍କୁ ଟାର୍ଗେଟ୍‌ କହିଛନ୍ତି । ନିଜର ଏକ୍ସ ହ୍ୟାଣ୍ଡେଲ୍‌ରେ ସେ ଲେଖିଛନ୍ତି ‘ଏବେ କ’ଣ କ୍ରିକେଟରଙ୍କର ବି ନାଁ ବଦଳାଇ ଦେଲେ?’ ମହାକୁମ୍ଭର ୩୮ତମ ଦିନରେ ୟୁପି କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ସଙ୍ଗମରେ ବୁଡ଼ ପକାଇଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଆସିନାହାନ୍ତି । ରାହୁଲ-ପ୍ରିୟଙ୍କା କେବେ ଆସିବେ ବୋଲି ଗତ ରବିବାର ଅଜୟ ରାୟଙ୍କୁ ଇଟାୱାରେ ପଚରାଯାଇଥିଲା । ସେ କହିଥିଲେ, ୧୯ ତାରିଖ ଆମେ ଯାଉଛୁ । ହର-ହର ମହାଦେବ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.