ପ୍ରୟାଗରାଜ ୨୦/୦୨: ତ୍ରିବେଣୀ ସଙ୍ଗମକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଏହି ସ୍ରୋତରେ ପ୍ରୟାଗରାଜରେ ଟ୍ୟାକ୍ସି ଓ ରିକ୍ସା ଯାତାୟାତ ଠପ୍ ହୋଇଛି । ରେଳ ଷ୍ଟେସନ୍ଠୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ସବୁଠି ଭିଡ଼ । ପ୍ରୟାଗରେ ପହଞ୍ଚିବାକୁ ଲୋକଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଏହି ସ୍ଥିତିରେ ଦୁଇଚକିଆ ଟ୍ୟାକ୍ସି ସେବାର ଗୁରୁତ୍ୱ ଖୁବ୍ ବଢ଼ିଛି । ସ୍ଥାନୀୟ ଯୁବା ମୋଟରସାଇକେଲ ଓ ସ୍କୁଟରରେ ଶ୍ରଦ୍ଧାଳୁଙ୍କୁ ଭୀଷଣ ଭିଡ଼ ମଧ୍ୟରେ ମହାକୁମ୍ଭ ମେଳା କ୍ଷେତ୍ରରେ ପହଞ୍ଚାଉଛନ୍ତି । ଏହା ଦ୍ୱାରା ସେମାନେ ବେଶ ଭଲ ବ୍ୟବସାୟ କରୁଛନ୍ତି । ଖାସ୍କରି କଲେଜ ଛାତ୍ର ଓ ଛାତ୍ରୀ ବିଭିନ୍ନ ବ୍ରାଣ୍ଡ୍ର ବାଇକ୍ ଓ ସ୍କୁଟିରେ ଶ୍ରଦ୍ଧାଳୁଙ୍କୁ ଟ୍ୟାକ୍ସି ସେବା ପ୍ରଦାନ କରୁଛନ୍ତି ।
ପ୍ରତ୍ୟେକ ଥର ସେବା ଲାଗି ସେମାନେ ୧୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି । ସ୍ଥାନୀୟ ଆଇନ ଛାତ୍ର ବିଜୟ ନିଜର ବାଇକ୍କୁ ଟ୍ୟାକ୍ସିରେ ରୂପାନ୍ତର କରିଛନ୍ତି । ସେ କହିଛନ୍ତି, ମୁଁ ଦେଖିଲି ମହାକୁମ୍ଭକୁ ଆସୁଥିବା ଲୋକେ ଟ୍ରାଫିକ୍ରେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି, ତେଣୁ ସେମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲି ।’ ଅଧିକାଂଶ କଲେଜ ବିଦ୍ୟାର୍ଥୀ ମହାକୁମ୍ଭରେ ବାଇକ୍ ଟ୍ୟାକ୍ସି ସେବାର ଲାଭ ଉଠାଉଛନ୍ତି । ଏହା ଜରିଆରେ ସେମାନେ ଦିନକୁ ୩ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ବୋଲି ଜଣେ ବେକାର ସ୍ନାତକୋତ୍ତର ଛାତ୍ର ପିଟର କହିଛନ୍ତି । ଏହି ଟ୍ୟାକ୍ସି ସେବାରେ ସେ ମଧ୍ୟ ସାମିଲ ହୋଇଛନ୍ତି । କୁମ୍ଭ ମେଳା ଶେଷ ହେବା ପରେ ସେ ଚାକିରି ଖୋଜା ଆରମ୍ଭ କରିବେ ବୋଲି କହିଛନ୍ତି । ପୂନମ ନାମ୍ନୀ ଜଣେ ସରକାରୀ କର୍ମଚାରୀ କହିଛନ୍ତି, ମୁଁ ଦିଲ୍ଲୀରୁ ସଙ୍ଗମକୁ ଆସିଛି ବୁଡ଼ ପକାଇବାକୁ । ସଙ୍ଗମରେ ପହଞ୍ଚିବାକୁ ମୁଁ ଏକ ବାଇକ୍ ଟ୍ୟାକ୍ସିର ସାହାଯ୍ୟ ନେଇ ୫୦୦ ଟଙ୍କା ଦେଲି । ଫଳରେ ଗୋଟିଏ ଦିନରେ ସଙ୍ଗମରେ ବୁଡ଼ ପକାଇ ମୁଁ ଦିଲ୍ଲୀକୁ ଫେରୁଛି । କିଛି ଶ୍ରଦ୍ଧାଳୁ ଏହି ସେବାକୁ ସ୍ୱାଗତ କରୁଛନ୍ତି । ଆଉ କିଛି ଅଧିକ ଭଡ଼ା କାରଣରୁ ଏହାକୁ ସମାଲୋଚନା ବି କରୁଛନ୍ତି । ସେମାନେ ଟ୍ୟାକ୍ସି ସେବା ପରିବର୍ତ୍ତେ ନିଜ ଜିନିଷ ବୋହି ଚାଲି ଚାଲି ସଙ୍ଗମରେ ପହଞ୍ଚିବାକୁ ପସନ୍ଦ କରୁଛନ୍ତି ।