ଭୁବନେଶ୍ୱର, ୧୦।୧୦: ହିନ୍ଦୁ ଧର୍ମରେ ଦେବୀ ମା’ଙ୍କର ରହିଛି ସ୍ୱତନ୍ତ୍ର ସ୍ଥାନ । ତେଣୁ ଦେବୀ ମା’ଙ୍କ ଆବାହନରେ ଉତ୍ସବମୁଖର ହୁଏ ପୂଜା ମଣ୍ଡପ । ଆମ ଦେଶର କେତୋଟି ଶକ୍ତିପୀଠ ରହିଛି ଯାହା ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ । ଶାରଦୀୟ ଦୁର୍ଗାପୂଜା ଅବସରରେ ଏ ସମସ୍ତ ଶକ୍ତିପୀଠଗୁଡ଼ିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । ଏହି ପୀଠଗୁଡ଼ିକ ମଧ୍ୟରୁ କିଛି ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ । ଦଶହରା ଅବସରରେ ଏହି ତନ୍ତ୍ରସାଧନାର ପୀଠଗୁଡ଼ିକୁ ଦେଶ ବିଦେଶରୁ ତନ୍ତ୍ର ସାଧକମାନେ ଆସିଥାନ୍ତି । ପୁରାଣ ଅନୁସାରେ, ଦକ୍ଷ ଯେତେବେଳେ ଯଜ୍ଞ ଅନୁଷ୍ଠାନ କରିଥିଲେ, ମାତା ସତୀ ଓ ତାଙ୍କ ପତି ଭଗବାନ ଶିବଙ୍କୁ ନିମନ୍ତ୍ରଣ କରିନଥିଲେ । ଏଥିରେ ଅପମାନିତ ମନେକରି ମାତା ସତୀ ଯଜ୍ଞକୁଣ୍ଡରେ ପ୍ରବେଶ କରିଥିଲେ । ତାଙ୍କର ଦଗ୍ଧ ଶରୀରକୁ କାନ୍ଧରେ ବହନ କରି ଭଗବାନ ଶଙ୍କର ତାଣ୍ଡବ ନୃତ୍ୟ ରଚନା କଲେ । ଏହା ଦେଖି ଭଗବାନ ବିଷ୍ଣୁ ଚକ୍ରରେ ମାତାଙ୍କ ଦଗ୍ଧିଭୂତ ଶରୀରକୁ ୫୧ ଖଣ୍ଡ କରିଥିଲେ । ସମଗ୍ର ଭାରତରେ ଦେବୀଙ୍କ ଶରୀରର ସେହି ଖଣ୍ଡିତ ଅଂଶ ପତିତ ହେବା ଫଳରେ କାଳକ୍ରମେ ସେହି ସ୍ଥାନଗୁଡ଼ିକ ଗୋଟିଏ ଗୋଟିଏ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କଲା ।
ମା' କାଳୀ: ମହାଦେବୀ ଆଦ୍ୟାଶକ୍ତିଙ୍କର ଦଶଟି ରୂପ ‘ଦଶ ମହାବିଦ୍ୟା’ ନାମରେ ପରିଚିତ । ତେଣୁ ଦଶ ମହାବିଦ୍ୟାଙ୍କୁ ତନ୍ତ୍ର ସାଧନାର ଦେବୀ ଭାବେ ପୂଜାର୍ଚ୍ଚନା କରାଯାଏ । ଦଶ ମହାବିଦ୍ୟାଙ୍କ ପ୍ରଥମ ସ୍ୱରୂପ କାଳୀ । କାଳକୁ ହରଣ କରନ୍ତି ସେ । ତେଣୁ ସେ ମା’ କାଳୀ ଭାବେ ପରିଚିତ ।
ମା’ ତାରା: ଦଶ ମହାବିଦ୍ୟାଙ୍କ ଦ୍ୱିତୀୟ ସ୍ୱରୂପ ତାରାଙ୍କ ବିଗ୍ରହର ରଙ୍ଗ ନୀଳ । ବୌଦ୍ଧ ତନ୍ତ୍ରଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଦେବୀ ମା’ ତାରା । ଯାହାଙ୍କୁ ତାନ୍ତ୍ରିକ ସରସ୍ୱତୀ ଓ ମହାନୀଳ ସରସ୍ୱତୀ ନାମରେ ଆବାହନ କରାଯାଏ । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ, ଏହି ତ୍ରିଲୋକ ବା ତ୍ରିପୁରର ସୁନ୍ଦରୀ ହେଉଛନ୍ତି ଦେବୀ ତ୍ରିପୁରାସୁନ୍ଦରୀ ବା ଲଳିତା ସୁନ୍ଦରୀ ।
ଷୋଡ଼ଶୀ ଦେବୀ: ଦଶ ମହାବିଦ୍ୟାଙ୍କର ତୃତୀୟ ସ୍ୱରୂପ ଏହି ଦେବୀଙ୍କର ଆଉ ଏକ ନାଁ ଷୋଡ଼ଶୀ । ତାନ୍ତ୍ରିକ ପାର୍ବତୀ ନାମରେ ବି ପଚିରିତ ଏହି ଦେବୀ । ଦଶ ମହାବିଦ୍ୟାଙ୍କ ଚତୁର୍ଥ ଦେବୀ ହେଲେ ଭୁବନେଶ୍ୱରୀ । ସେ ପାର୍ଥିବ ଜଗତର ଶକ୍ତିସମୂହର ପ୍ରତୀକ ।
ମା’ ଭୈରବୀ: ସେହିଭଳି ଦଶ ମହାବିଦ୍ୟାଙ୍କ ପଞ୍ଚମ ସ୍ୱରୂପ ମା’ ଭୈରବୀ । ଯାହାଙ୍କୁ ଭୟଙ୍କରୀ ଦେବୀ ବୋଲି ମଧ୍ୟ ସମ୍ବୋଧନ କରାଯାଏ ।
ଦେବୀ ଛିନ୍ନମସ୍ତା: ମହାବିଦ୍ୟାଙ୍କ ଷଷ୍ଠ ରୂପ ଦେବୀ ଛିନ୍ନମସ୍ତା, ଯିଏ ଧ୍ୱଂସର ପ୍ରତିରୂପ ।
ଦେବୀ ଧୂମାବତୀ: ଦେବୀ ଧୂମାବତୀ ହେଉଛନ୍ତି ଦଶ ମହାବିଦ୍ୟାଙ୍କ ସପ୍ତମ ରୂପ । ଅଗ୍ନି ଦ୍ୱାରା ଜଗତ ଧ୍ୱଂସ ପରେ ଭସ୍ମରାଶି ମଧ୍ୟରୁ ଯେଉଁ ଧୂମ ନିର୍ଗତ ହୁଏ ତାହାର ସ୍ୱରୂପ ହେଉଛନ୍ତି ଏହି ଦେବୀ । ତାଙ୍କୁ ଅଲକ୍ଷ୍ମୀ ବା ଜ୍ୟେଷ୍ଠାଲକ୍ଷ୍ମୀ ନାମରେ ମଧ୍ୟ ସମ୍ବୋଧନ କରାଯାଏ ।
ଦେବୀ ବଗଳାମୁଖୀ: ଦଶ ମହାବିଦ୍ୟାଙ୍କ ଅଷ୍ଟମ ରୂପ ଦେବୀ ବଗଳାମୁଖୀ, ଯିଏ ଶତ୍ରୁବିନାଶିନୀ । ଦେବତାମାନଙ୍କୁ ଦୈତ୍ୟଙ୍କ ହାତରୁ ରକ୍ଷା କରିଥିବା ଏହି ଦେବୀଙ୍କୁ ସାରସ-ମୁଣ୍ଡ ରୂପରେ ମଧ୍ୟ ଜଣାଯାଏ ।
ଦେବୀ ମାତଙ୍ଗୀ: ମହାବିଦ୍ୟାମାନଙ୍କର ନବମ ସ୍ୱରୂପ ମାତଙ୍ଗୀ । ପୁରାଣ ମତରେ ମାତଙ୍ଗ ନାମକ ଜଣେ ମୁନିଙ୍କ ଆଶ୍ରମରେ ଦେବତାମାନେ ସାଧନା କରୁଥିଲେ । ସେହି ସାଧନାରୁ ଉତ୍ପନ୍ନ ହୋଇଥିଲେ ଦେବୀ ମାତଙ୍ଗୀ ।
ମା’ କମଳା: ଦଶ ମହବିଦ୍ୟାଙ୍କର ଦଶମ ଓ ଅନ୍ତିମ ରୂପ ମା’ କମଳା ବା କମଳାତ୍ମିକା । ଶାକ୍ତ ଉପାସନାରେ ‘ମହାବିଦ୍ୟା’ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦଶ ମହାବିଦ୍ୟାଙ୍କ ଆରାଧନା ଶାକ୍ତଧର୍ମରେ ଭକ୍ତିବାଦ ସହିତ ତନ୍ତ୍ର ଉପାସନାକୁ ସୂଚାଇଥାଏ ।