ନୂଆଦିଲ୍ଲୀ: ତିନି ସପ୍ତାହ ପୂର୍ବେ ନିର୍ବନ୍ଧ ସରିଥିଲା। ଆଉ ଦେଢ ମାସ ପରେ ପଡିଥାନ୍ତା ହାତ ଗଣ୍ଠି। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ନିଜ ବିବାହକୁ ନେଇ ସୁନେଲି ସ୍ୱପ୍ନ ବୁଣୁଥିବା ମୁକେଶ ସିଂ ମାନହସ ଦେଶ ପାଇଁ ସହିଦ ହୋଇଯାଇଛନ୍ତି। ମାତ୍ର ଦୁଇ ସପ୍ତାହ ତଳେ ନିଜ ନିର୍ବନ୍ଧ ଶେଷ କରି ମୁକେଶ ଜମ୍ମୁ କାଶ୍ମୀର ସ୍ଥିତ ନିଜ ସେନା କ୍ୟମ୍ପରେ ଯୋଗ ଦେଇଥିଲେ। ସେ ସେନାରେ ନାୟକ ପୋଷ୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ଆସନ୍ତା ଏପ୍ରିଲ ମାସରେ ହୋଇଥାନ୍ତା ବାହାଘର। ହେଲେ ଲାଇନ ଅଫ ଆକ୍ୱାଚଲ କଣ୍ଟ୍ରୋଲ(ଏଲଓସି) ନିକଟରେ ଆଇଇଡି ବିସ୍ପୋରଣ ହେବାଯୋଗୁଁ ୨୯ ବର୍ଷିୟ ମୁକେଶ ଚିରନିଦ୍ରାରେ ଶୋଇଯାଇଛନ୍ତି।
ସୂଚନା ମୁତାବକ, ଝାଡଖଣ୍ଡର କ୍ୟାପଟେନ କରମଜିତ ସିଂ ବକ୍ସିଙ୍କ ସହ ମୁକେଶ ମଙ୍ଗଳବାର ଅପରାହ୍ନ ୩ଟା ୫୦ ସମୟରେ ଅଖନୋରର ଭଟ୍ଟାଲ ଅଞ୍ଚଳରେ ଥିବା ଏକ ଫରୱାର୍ଡ ପୋଷ୍ଟ ନିକଟରେ ପାଟ୍ରୋଲିଂ ଡ୍ୟୁଟିରେ କରୁଥିଲେ। ଏହି ସମୟରେ ହଠାତ ଆଇଇଡି ବିସ୍ପୋରଣ ହେବାଯୋଗୁଁ ଉଭୟ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ବିଚ୍ଛିନତାବାଦି ଆତଙ୍କୀମାନେ ଏହି ଅଞ୍ଚଳରେ ବମ୍ ଲଗାଇଥିଲେ ବୋଲି ସୂଚନା ମିଳିଛିଯ। ତେବେ ଦୁଇ ସପ୍ତାହ ଛୁଟି ପରେ ଗତ ଜାନୁଆରୀ ୨୮ ତାରିଖରେ ମୁକେଶ ତାଙ୍କ ଆର୍ମି ୟୁନିଟରେ ଯୋଗଦାନ କରିଥିଲେ।
ତାଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ ବୁଧବାର ଦିନ ତାଙ୍କ ଗାଁ ସାମ୍ବାସ ବ୍ରି କାମିଲା କୁ ପଠାଯାଇଥିଲା। ସେଠାରେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହ ରାଷ୍ଟ୍ରିୟ ମର୍ଯ୍ୟାଦାରେ ତାଙ୍କ ଅନ୍ତିମ ସତ୍କାର କାରାଯାଇଥିଲା। ତାଙ୍କ ମୃତ୍ୟୁରେ ଗ୍ରାମବାସୀମାନେ ଶୋକ ପ୍ରକାଶ କରିବା ସହ ମୁକେଶଙ୍କ ସ୍ମୃତିଚାରଣ କରିଥିଲେ।
ମୁକେଶଙ୍କ ପିତା ଛଗାତର ସିଂ ଜଣେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ହୋଇଥିବା ବେଳେ ପୁଅଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି। ‘ମୋ ପୁଅର ବହୁତ କମ ବୟସରୁ ଦେଶ ସେବା କରିବାକୁ ଇଚ୍ଛା ଥିଲା।ମୁକେଶ ଜମ୍ମୁ କାଶ୍ମୀରରେ ପୋଷ୍ଟ ହେବା ପୂର୍ବରୁ ସିଆଚେନ୍, କାଶ୍ମୀର ଓ ପଞ୍ଜାବରେ ମଧ୍ୟ ଦେଶ ସେବା କରିଥିଲେ’ ବୋଲି ଛଗାତର ସିଂ କହିଛନ୍ତି।
ସୂଚନା ମୁତାବକ, ମୁକେଶଙ୍କର ଦୁଇ ଜଣ ଭଉଣୀ ରହିଛନ୍ତି। ଉଭୟେ ବିବାହ ମଧ୍ୟ କରିସାରିଛନ୍ତି। ତେବେ ମୁକେଶଙ୍କ ବିବାହ ଆସନ୍ତା ଏପ୍ରିଲ ୨୦ ତାରିଖରେ ସ୍ଥିର ହୋଇଥିଲା।