ଢେଙ୍କାନାଳ, ୧୦।୨ – ଯକ୍ଷ୍ମା ଏକ ଜଟିଳ ରୋଗ ନୁହେଁ, ଆଧୁନିକ ଚିକିତ୍ସା ବଳରେ ଟିବି ସଂପୂର୍ଣ୍ଣ ବ୍ୟାପକ କରାଯାଇପାରିବ । ଏଥିପାଇଁ ରୋଗୀଙ୍କୁ ଧୈର୍ଯ୍ୟ ଧରି ସାହାସର ସହ ରୋଗକୁ ମୁକାବିଲା କରିବାକୁ ପଡିବ। ଏହି ମନ୍ତ୍ରକୁ ଆଧାର କରି ଜନସଚେତନତା ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାର ଟିବି ମୁକ୍ତ କାର୍ଯ୍ୟକ୍ରମକୁ ଜନଅଭିଯାନରେ ପରିଣତ କରିବା ପାଇଁ ଆହ୍ବାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଢେଙ୍କାନାଳ ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଟିବି ମୁକ୍ତ – ନିକ୍ଷୟ ମିତ୍ର” ଅଭିଯାନର ସାମିଲ ହେବାକୁ ଜିଲ୍ଲାର ଗୁରୁଜନ, ଯୁବ ସଂଗଠନ, ସାମାଜିକ ସଂଗଠନ ଓ ନାଗରିକମାନଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ଆମ୍ ଜୀବନ ମୂଳ ଆଧାର । ସାମାଜିକ ଜୀବନ ଏକ ଅବିଛେଦ୍ୟ ଅଙ୍ଗ । ଏହାକୁ ଦୃଷ୍ଟିରେ ରଖି ଭାରତକୁ ୨୦୨୫ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଟିବି ମୁକ୍ତ କରିବା ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ –ନିକ୍ଷୟ ମିତ୍ର ରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି।
ନିକ୍ଷୟ ମିତ୍ର ଏବଂ କମ ସମୟରେ ପ୍ରଭାବୀ ଉପଚାର ଭଳି ପଦକ୍ଷେପ ଯୋଗୁ ଓଡିଶା ଓ ଦେଶର ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଯକ୍ଷ୍ମା ବିରୋଧରେ ଲଢେଇ ପାଇଁ ଭାରତର ବୈଶ୍ବିକ ନେତୃତ୍ବ, କ୍ଷମତା ମଜବୁତ ହୋଇପାରିଛି। ଭାରତ ନୂତନ ଔଷଧ ଓ ଟେକ୍ନୋଲୋଜି ଓ ଉତ୍ତମ ନିଦାନ ଉପକରଣର ବ୍ୟବହାର ମାଧ୍ୟମରେ ଯକ୍ଷ୍ମା ସହ ଲଢେଇ କରୁଛି। ଏହି ପରିପ୍ରେକ୍ଷୀରେ ଯକ୍ଷ୍ମା ଦୂର କରିବା ପାଇଁ ଏହି ସଚେତନତା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ସେ ଆହ୍ବାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ସେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ, ଢେଙ୍କାନାଳ ମ୍ୟୁନିସିପାଲ ଚେୟାରମ୍ୟାନ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟୟ ଓ ଏସପି ଅଭିନବ ସୋନକର ଉପସ୍ଥିତ ଥିଲେ।