ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଶପଥ ନେବାର ତାରିଖ ସାମ୍ନାକୁ ଆସିଛି । ରାଜଧାନୀର ରାମଲୀଳା ମଇଦାନରେ ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହା ପୂର୍ବରୁ ସୋମବାର (୧୭ ଫେବୃଆରୀ) ବିଜେପି ବିଧାୟକ ଦଳର ଏକ ବୈଠକ ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ମୋହର ଲାଗିବ । ବିଜେପି ସୋମବାର (୧୭ ଫେବୃଆରୀ) ବିଧାୟକ ଦଳର ଏକ ବୈଠକ ଡାକିଛି । ଏନେଇ ସମସ୍ତ ବିଧାୟକଙ୍କୁ ସୂଚନା ଦିଆଯାଇଛି । ଏହି ବୈଠକ ଦିଲ୍ଲୀ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । କେଶବ କୁଞ୍ଜରେ ନୂତନ କାର୍ଯ୍ୟାଳୟ ୧୯ ତାରିଖରେ ଉଦଘାଟିତ ହେବ ।
୧୦ ଦିନ ପରେ ହେବ ଶପଥ ଗ୍ରହଣ
ଦିଲ୍ଲୀ ବିଧାନସଭାର ନିର୍ବାଚନ ଫଳାଫଳର ଦଶ ଦିନ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ୫ ଫେବୃଆରୀରେ ଅନୁଷ୍ଠିତ ହୋଇଥିଲା, ଯାହାର ଫଳାଫଳ ୮ ଫେବୃଆରୀରେ ଘୋଷଣା ହୋଇଥିଲା । ନିର୍ବାଚନ ଫଳାଫଳର ଗୋଟିଏ ସପ୍ତାହ ପରେ ମଧ୍ୟ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇ ନାହିଁ ।
ସସପେନ୍ସ ଶେଷ ହେବ
ସୋମବାର (୧୭ ଫେବୃଆରୀ) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଥିବା ସସପେନ୍ସର ଅନ୍ତ ହେବ । ସୋମବାର ବିଧାୟକ ଦଳର ବୈଠକ ପରେ, ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ଏବଂ ଆଗାମୀ ପାଞ୍ଚ ବର୍ଷ ପାଇଁ ଦିଲ୍ଲୀର କମାଣ୍ଡ କାହାକୁ ଦିଆଯିବ ତାହା ସ୍ପଷ୍ଟ ହେବ।
କିଏ ହେବେ ମୁଖ୍ୟମନ୍ତ୍ରୀ ?
ନିର୍ବାଚନ ଫଳାଫଳ ଆସିବା ପରଠାରୁ, ଦିଲ୍ଲୀର ରାଜନୈତିକ ମହଲରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାରଙ୍କ ନାଁ ସାମ୍ନାକୁ ଆସିଛି । ଅନେକ ବରିଷ୍ଠ ବିଜେପି ନେତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୪୮ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ଜଣେ ହେବେ। ଏବେ ଦେଖିବାକୁ ବାକି ରହିଲା ଯେ, କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ।