ନୂଆଦିଲ୍ଲୀ, ୯/୪ : ୱାକଫ (ସଂଶୋଧନ) ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ୍ କରି ହୋଇଥିବା ପିଟିସନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଆସନ୍ତା ୧୬ ତାରିଖରେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରିବେ ବୋଲି କହିଛନ୍ତି । ବିଭିନ୍ନ ବିରୋଧୀ ଦଳ ଓ ସଙ୍ଗଠନ ପକ୍ଷରୁ ମୋଟ ୧୫ଟି ପିଟିସନ ଦାଖଲ ହୋଇଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏହି ମାମଲାରେ ଏକ କ୍ୟାଭିଏଟ୍ ଦାଖଲ କରାଯାଇଛି । ୱାକଫ ଆଇନ ବିରୋଧରେ ହୋଇଥିବା ପିଟିସନଗୁଡ଼ିକର ଏକପାଖିଆ ଶୁଣାଣିକୁ ରୋକିବା ଉଦ୍ଦେଶ୍ୟରେ ଏହା ଦାଖଲ ହୋଇଛି । ଶୁଣାଣି ବେଳେ ଯେମିତି ସରକାରଙ୍କ ପକ୍ଷ ବି ଶୁଣାଯାଏ, ସେଥିଲାଗି କ୍ୟାଭିଏଟ୍ ଦିଆଯାଇଛି । ଏହା ଏକ ଆଇନଗତ ପ୍ରକ୍ରିୟା । ଏକପାଖିଆ ରାୟ ନ ଦେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରି ଏହାର ଜବାବ ମାଗିବେ ।
ଉଲ୍ଲେଖଯୋଗ୍ୟ, ୱାକଫ ସଂଶୋଧନ ଆଇନ ବିରୋଧରେ ପ୍ରାୟ ୧୫ଟି ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହୋଇଛି । ବିଭିନ୍ନ ବିରୋଧୀ ଦଳ ନେତା, ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ ଲ’ ବୋର୍ଡ ଏବଂ ଜମିୟତ୍ ଉଲ୍ମା-ଏ-ହିନ୍ଦ୍ର ପିଟିସନ ଏଥିରେ ସାମିଲ ରହିଛି । ଏପ୍ରିଲ ୭ରେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ତ୍ୱରିତ ଶୁଣାଣିକୁ ମନା କରିଦେଇଥିଲେ । ତେବେ ଏହାକୁ ତାଲିକାଭୁକ୍ତ ପାଇଁ ବିଚାର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ସୁପ୍ରିମକୋର୍ଟରେ ଜମିୟତ୍ ଉଲ୍ମା-ଏ-ହିନ୍ଦ୍ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ୍ ହାଜର ହୋଇ ମାମଲାର ତତ୍କାଳ ଶୁଣାଣି ଲାଗି ତାଲିକାଭୁକ୍ତ ପାଇଁ ବିଚାର କରିବାକୁ ଅପିଲ୍ କରିଥିଲେ ।
ଏହି ଖବରଟିକୁ ପଢନ୍ତୁ-ବିରୋଧ ପ୍ରଦର୍ଶନ ମଧ୍ୟରେ ୱାକଫ ଆଇନ ଲାଗୁ , ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ର ; କହିଲା –ପ୍ରଥମେ ଆମ କଥା ଶୁଣାଯାଉ
କେନ୍ଦ୍ର ସରକାର ଆଣିଥିବା ନୂଆ ୱାକଫ ଆଇନ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଆଇନର ଧାରା ୧ (୨) ଅନୁସାରେ ୮ ଏପ୍ରିଲ ୨୦୨୫କୁ ୱାକଫ ସଂଶୋଧନ ଆଇନ ୨୦୨୫ କାର୍ଯ୍ୟକାରୀ ତାରିଖ ଭାବେ ବିବେଚନା କରାଯିବ । ଗତ ଏପ୍ରିଲ ୪ ତାରିଖରେ ଏହି ଆଇନ ସଂସଦର ଅନୁମୋଦନ ଲାଭ କରିଥିଲା ବେଳେ ଏହାର ଦିନକ ପରେ ଅର୍ଥାତ ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରି ଦେଇଥିଲେ । ଅନ୍ୟପକ୍ଷରେ ଏହି ଆଇନର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର କରାଯାଇଛି ।