ନୂଆଦିଲ୍ଲୀ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମକେ ଷ୍ଟାଲିନ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ଅଧୀନରେ ଏଆଇଏଡିଏମକେ ଏବଂ ବିଜେପି ମଧ୍ୟରେ ଘୋଷିତ ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି। ଷ୍ଟାଲିନ ଏହି ମେଣ୍ଟକୁ "ପରାଜୟର ଦୁର୍ନୀତିଗ୍ରସ୍ତ ମେଣ୍ଟ" ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏଆଇଏଡିଏମକେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଙ୍କ ଛାନଭିନରୁ ରକ୍ଷା ପାଇବା ପାଇଁ ରାଜ୍ୟର ସ୍ୱାୟତ୍ତତାକୁ ବନ୍ଧକ ରଖିଛି। ସେ ଆହୁରି କହିଛନ୍ତି ଜେ, " ଏଆଇଏଡିଏମକେ ନିଜକୁ ବିଜେପି ନିକଟରେ ପୁରୁଣା ବନ୍ଧକ ପରି ସମର୍ପଣ କରିଛି ଏବଂ ଏହି ମେଣ୍ଟ ତାମିଲନାଡୁର ଅଗ୍ରଗତିକୁ ଅଟକାଇବା ପାଇଁ ବିଜେପିର ଷଡଯନ୍ତ୍ରର ଅଂଶ।"
ଷ୍ଟାଲିନ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦୁର୍ନୀତି ମାମଲାକୁ ଉଠାଇ ପ୍ରଶ୍ନ କରିଛନ୍ତି ଯେ, ବିଜେପି ଏପରି ଏକ ଦଳ ସହ ମେଣ୍ଟ କରି କିପରି ଦୁର୍ନୀତି ବିରୋଧରେ କାମ କରିବ ବୋଲି ଦାବି କରୁଛି? ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ତାମିଲନାଡୁର ଜନତା ଏହି ମେଣ୍ଟକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ୨୦୨୬ରେ ହେବାକୁ ଥିବା ନିର୍ବାଚନରେ ମଧ୍ୟ ଏହା ବିଫଳ ହେବ।
ତାମିଲଗା ଭେଟ୍ରି କଝଗମ (TVK) ନେତା ତଥା ଅଭିନେତା ବିଜୟ ଏହି ମେଣ୍ଟକୁ "ବାଧ୍ୟତାମୂଳକ ମେଣ୍ଟ" ବୋଲି କହି କଟାକ୍ଷ କରିଛନ୍ତି। ସେ କହିଛନ୍ତି, " ଏଆଇଏଡିଏମକେ ଓ ବିଜେପିର ପୁନଃମିଳନ ଆଶ୍ଚର୍ଯ୍ୟଜନକ ନୁହେଁ। ତଥାପି, ପ୍ରକୃତ ଲଢେଇ ଡିଏମକେ ଓ ଟିଭିକେ ମଧ୍ୟରେ ହେବାକୁ ଯାଉଛି। ଜନତା ଏହି ମେଣ୍ଟକୁ ଏକ ଉଛିତ୍ ଶିକ୍ଷା ଦେବେ।"
ଏଏମଏମକେ ସାଧାରଣ ସମ୍ପାଦକ ତଥା ଟିଟିଭି ଧୀନାକରଣ ଏନଡିଏର ସମ୍ପ୍ରସାରଣକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, "ଆମର ଏକମାତ୍ର ଲକ୍ଷ୍ୟ ହେଉଛି ଡିଏମକେକୁ ନିର୍ମୂଳ କରିବା। ଆମେ ଜୟଲଳିତାଙ୍କ ପଥ ଅନୁସରଣ କରୁଛୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସହ ରହିଛୁ।"
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଚେନ୍ନାଇ ଗସ୍ତ କରି ଏହି ମେଣ୍ଟ ଘୋଷଣା କରିଥିଲେ। ଯେଉଁଠାରେ ଏଆଇଏଡିଏମକେ ନେତା ଏଡାପାଡି କେ ପଲାନୀସ୍ୱାମୀ (ଇପିଏସ) ରାଜ୍ୟରେ ଏବଂ ନରେନ୍ଦ୍ର ମୋଦୀ ଜାତୀୟ ସ୍ତରରେ ନେତୃତ୍ୱ ନେବେ। ୨୦୨୩ରେ ବିଜେପି ରାଜ୍ୟ ସଭାପତି କେ ଅନ୍ନାମାଲାଇଙ୍କ ବିବାଦୀୟ ମନ୍ତବ୍ୟ ପରେ ଏହି ଦୁଇ ଦଳ ଅଲଗା ହୋଇଯାଇଥିଲା। ତେବେ, ବର୍ତ୍ତମାନ ଏହି ମେଣ୍ଟ ରାଜ୍ୟରେ ଡିଏମକେକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ରଣନୀତିଗତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।
ତାମିଲନାଡୁର ରାଜନୈତିକ ମଞ୍ଚରେ ଏହି ମେଣ୍ଟ ଏକ ନୂଆ ଗତିଶୀଳତା ଆଣିପାରେ, ଯେଉଁଠାରେ ଡିଏମକେ, ଏଆଇଏଡିଏମକେ, ବିଜେପି ଏବଂ ଟିଭିକେ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି।