ନୂଆଦିଲ୍ଲୀ,୧୨/୦୪: ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ୧୮ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଆଇଏସଆଇ ଲିଙ୍କ୍, ହେଡ଼ଲି ସହ ସମ୍ପୃକ୍ତି ଉପରେ ଅଧିକ ଫୋକସ୍ କରିଛି ଏନଆଇଏ । ଜେରାରେ ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି ଆତଙ୍କୀ ତହବୁର ହୁସେନ ରାଣା । ପ୍ରଥମ ଦିନରେ ପାଖାପାଖି ୪ ଘଣ୍ଟା ରାଣାକୁ ଜେରା ହୋଇଥିଲା । ଏବେ ଏନଆଇଏ ରାଣାକୁ ଦୁବାଇରେ ସାକ୍ଷାତ କରିଥିବା ସେ ବ୍ୟକ୍ତି ବିଷୟରେ ପଚରାଉଚରା କରିବ । ଯିଏକି ମୁମ୍ବାଇ ଆତଙ୍କୀ ଆକ୍ରମଣ ବିଷୟରେ ଜାଣିଥିଲା ।
୨୬/୧୧ ଆକ୍ରମଣ ବିଷୟରେ ଜାଣିଥିବା ସେ ବ୍ୟକ୍ତି ବିଷୟରେ ତହବୁରକୁ ପ୍ରଶ୍ନ କରିବ ଏନଆଇଏ । ଦୁବାଇରେ ରାଣା ତାକୁ ଭେଟିଥିଲା । ତେବେ ସେ କିଏ ? ଯାହାକୁ ମୁମ୍ବାଇ ଆକ୍ରମଣ ବିଷୟରେ ପ୍ରଥମରୁ ଜଣାଥିଲା । ମୁମ୍ବାଇ ଆକ୍ରମଣରେ ଦୁବାଇ କନେକ୍ସନ କ'ଣ ? ଏନଆଇଏ ସେହି ବ୍ୟକ୍ତିର ସନ୍ଧାନ କରୁଛି । ସେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସିଂ ପାଇଁ କାମ କରୁଥିବା ସନ୍ଦେହ କରାଯାଉଛି । ସେ ୨୬/୧୧ ଆକ୍ରମଣରେ ସାମିଲ ଥିଲା କି ଭଳି ପ୍ରଶ୍ନ ତହବୁରକୁ ପଚରାଯାଇଛି । ଏହା ସହିତ ହେଡ଼ଲି ସହ ରାଣାର ସମ୍ପର୍କକୁ ନେଇ ମଧ୍ୟ ପଚରାଉଚରା କରିବ ଏନ୍ଆଇଏ ।
ଦୁବାଇରେ ସେ ବ୍ୟକ୍ତି ସହ ହେଡ଼ଲି କରାଇଥିଲା ରାଣାର ଭେଟ- ଡେଭିଡ୍ ହେଡ଼ଲି ତହବୁର ରାଣାକୁ ଦୁବାଇରେ ସେହି ବ୍ୟକ୍ତି ସହ ସାକ୍ଷାତ କରାଇଥିଲା । ୨୦୦୫ ଅଗଷ୍ଟରେ ହେଡ଼ଲି ରାଣାକୁ ଲସ୍କରର ସେହି ଷଡ଼ଯନ୍ତ୍ର ବିଷୟରେ କହିଥିଲା । ଆମେରିକାରେ ଗିରଫ ହେବା ପରେ ସେହି ବ୍ୟକ୍ତି ବିଷୟରେ ତଦନ୍ତକାରୀ ଦଳକୁ କହିଥିଲା ରାଣା । ୨୦୦୮ରେ ରାଣାକୁ ଭାରତ ନ ଆସିବାକୁ ଚେତାବନୀ ଦେଇଥିଲା ହେଡ଼ଲି ।
ଏହା ବି ପଢ଼ନ୍ତୁ...ତହବୁରକୁ ୪ ଘଣ୍ଟା ଜେରା କଲା NIA, ସହଯୋଗ ବଦଳରେ ଅସୁସ୍ଥତାର ବାହାନା କଲା ଆତଙ୍କବାଦୀ…
ହେଡ଼ଲିକୁ କେବେ ଭେଟିଥିଲା ରାଣା- ଏନ୍ଆଇଏ ଯାଞ୍ଚରେ ଜଣାପଡ଼ିଛି କି, ତହବୁର ରାଣାର ବାପା ଜଣେ ସ୍କୁଲ ପ୍ରିନ୍ସିପାଲ ଥିଲେ । ତାଙ୍କର ୩ ପୁଅ । ସେମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନ ସେନାରେ ମନସ୍ତତ୍ୱବିତ୍ ଅଛନ୍ତି । ଆଉ ଜଣେ ଭାଇ ସାମ୍ବାଦିକତା କରୁଛନ୍ତି । ତହବୁର କ୍ୟାଡ଼େଟ୍ କଲେଜ ହସନଅଦାଲା ପ୍ରଥମେ ଡେଭିଡ୍ କୋଲମ୍ୟାନ ହେଡ଼ଲିକୁ ଭେଟିଥିଲା । ଯିଏକି ମୁମ୍ବାଇ ଆତଙ୍କୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ୟୁଏସ ଜେଲରେ ଅଛି ।
ଗତକାଲି ପ୍ରଥମ ଦିନରେ ଏନଆଇଏ ରାଣାକୁ ପଚରାଉଚରା କରିଥିଲା । ତଦନ୍ତକାରୀ ସଂସ୍ଥା ଜେରାରେ ତିନୋଟି ଦିଗ ଉପରେ ଧ୍ୟାନ ଦେଉଛି । ପ୍ରଥମ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରରେ ପାକିସ୍ତାନର ଆଇଏସଆଇର ଭୂମିକା ଏବଂ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହ ରାଣାର ଲିଙ୍କ । ଡ଼ିଆଇଜି ଜୟା ରଏ ଓ ଆଇଜି ଆଶିଷ୍ ବତ୍ରାଙ୍କ ନେତୃତ୍ୱରେ ଏନଆଇର ୧୨ ଜଣିଆ ଟିମ୍ ରାଣାକୁ ପଚରାଉଚରା କରୁଛନ୍ତି । ପ୍ରଥମ ଦିନ ଜେରାରେ ତହବୁର ସହଯୋଗ କରିବା ବଦଳରେ ଅସୁସ୍ଥ ଥିବା ବାହାନା କରିଥିଲା । ରାଣାକୁ ଏନଆଇଏ ମୁଖ୍ୟାଳୟର ଏକ ସ୍ୱତନ୍ତ୍ର ସେଲ୍ରେ ଭର୍ତ୍ତି କରାଯାଇ ସିସିଟିଭ ନଜରରେ ରଖାଯାଇଛି । ୧୪/ ୧୪ ଫୁଟ୍ ଲକଅପ୍ରେ ରଖାଯାଇଛି । ପଚରାଉଚରା କରାଯାଉଥିବା ସେଲକୁ ମଧ୍ୟ ସିସିଟିଭି ନଜରରେ ରଖାଯାଇଛି ।