ନୂଆଦିଲ୍ଲୀ ୨୦/୦୯: ଆଣ୍ଟିବାୟୋଟିକ୍ ଔଷଧର ବହୁଳ ବ୍ୟବହାର ମଣିଷ ପାଇଁ ଘାତକ ହୋଇଛି । ଆଣ୍ଟିବାୟୋଟିକ୍- ପ୍ରତିରୋଧ ସେତେବେଳେ ହୁଏ, ଯେତେବେଳେ ବ୍ୟାକ୍ଟେରିଆର ମୂଳ ରୂପରେ ପରିବର୍ତ୍ତନ ହୁଏ । ଫଳରେ ଆଣ୍ଟିବାୟୋଟିକ୍ ଔଷଧ ବ୍ୟାକ୍ଟେରିଆଙ୍କୁ ମାରି ପାରେନାହିଁ କିମ୍ବା ସେମାନଙ୍କ ବୃଦ୍ଧିକୁ ରୋକିପାରେ ନାହିଁ । ଏହାର ପରିଣାମ ସ୍ୱରୂପ ବ୍ୟାକ୍ଟେରିଆ ଜନିତ ସଂକ୍ରମଣର ଚିକିତ୍ସା ଅତ୍ୟନ୍ତ ଜଟିଳ ହୋଇପଡ଼େ । ଏହି ଜଟିଳ ସ୍ଥିତିକୁ ନେଇ ସଦ୍ୟ ଅଧ୍ୟୟନ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ।
ଆଣ୍ଟିବାୟୋଟିକ୍- ପ୍ରତିରୋଧୀ ସଂକ୍ରମଣରୁ ୨୦୫୦ ମସିହା ସୁଦ୍ଧା ପ୍ରାୟ ୪ କୋଟି ଲୋକଙ୍କ ମୃତ୍ୟୁ ହେବ । ଲାନ୍ସେଟ୍ରେ ପ୍ରକାଶିତ ଏକ ନୂଆ ଅଧ୍ୟୟନ ଏହା ଅନୁମାନ କରିଛି । ଅଧ୍ୟୟନରୁ ଜଣାପଡ଼ିଛି, ଆଣ୍ଟିବାୟୋଟିକ୍ ପ୍ରତିରୋଧ ଯୋଗୁ ମୃତ୍ୟୁ ସଂଖ୍ୟା ନିରନ୍ତର ବଢୁଛି । ଆଗାମି ଦଶନ୍ଧିମାନଙ୍କରେ ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।
ୟୁନିଭର୍ସିଟି ଅଫ୍ ୱାଶିଂଟନ୍ରେ ହୋଇଥିବା ଏହି ଅଧ୍ୟୟନ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି । ବିଶ୍ୱବିଦ୍ୟାଳୟର ଇନ୍ଷ୍ଟିଚ୍ୟୁଟ୍ ଫର ହେଲ୍ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ୍ର ନିର୍ଦ୍ଦେଶକ ତଥା ଅଧ୍ୟୟନର ବରିଷ୍ଠ ଲେଖକ ଖ୍ରିଷ୍ଟୋଫର ଜେ.ଏଲ୍. ମୁର୍ରେ କହିଛନ୍ତି, ଏହା ଏକ ବଡ଼ ସମସ୍ୟା ଏବଂ ଏହା ରହିବ ।
ଗବେଷକମାନେ ଚେତାବନୀ ଦେଇଛନ୍ତି, ଆଣ୍ଟିବାୟୋଟିକ୍ ପ୍ରତିରୋଧର ବିପଦ ବଢ଼ିବାରେ ଲାଗିଛି । ଏଗୁଡ଼ିକ ସାଧାରଣ ସଂକ୍ରମଣ ଚିକିତ୍ସାକୁ ଆହୁରି ଜଟିଳ କରୁଛି ଏବଂ ଚିକିତ୍ସା ପଦ୍ଧତିଗୁଡ଼ିକୁ ବିପଦରେ ପକାଉଛି । ଅଧ୍ୟୟନର ତଥ୍ୟରୁ ସ୍ପଷ୍ଟ ହୋଇଛି, ବୟସ୍କମାନେ ଆଣ୍ଟିମାଇକ୍ରୋବାୟଲ ରେଜିଷ୍ଟାନ୍ସ ବା ଏଏମ୍ଆର୍ ଜନିତ ମୃତ୍ୟୁ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ଏବଂ ଉଚ୍ଚ ସଂକ୍ରମଣ ବିପଦର ସମ୍ମୁଖୀନ ହେଉଛନ୍ତି ।
ଅଧ୍ୟୟନରେ ହସ୍ପିଟାଲରୁ ଡିସ୍ଚାର୍ଜ ରେକର୍ଡ, ବୀମା ଦାବି ଏବଂ ୨୦୪ ଦେଶର ମୃତ୍ୟୁ ପ୍ରମାଣପତ୍ର ସମେତ ୫୨ କୋଟି ତଥ୍ୟକୁ ବିଶ୍ଳେଷଣ କରାଯାଇଥିଲା । ସାଂଖ୍ୟିକ ମଡେଲିଂ ଜରିଆରେ ଗବେଷକମାନେ ୧୯୯୦ ଓ ୨୦୨୧ ମସିହା ମଧ୍ୟରେ ବର୍ଷକୁ ୧୦ ଲକ୍ଷରୁ ଅଧିକ ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ ବା ଏଏମ୍ଆର୍ ଜନିତ ମୃତ୍ୟୁ ହୋଇଥିବା ଆବିଷ୍କାର କରିଥିଲେ । ଏ ସମ୍ପର୍କିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଜାରି ରହିବ ବୋଲି ସେମାନେ ତଥ୍ୟ ଆଧାରରେ ଅନୁମାନ କରିଛନ୍ତି ।
ଅଧ୍ୟୟନର ମୁଖ୍ୟ କେଭିନ୍ ଆଇକୁଟା କହିଛନ୍ତି, ଆଣ୍ଟିବାୟୋଟିକ୍ ପ୍ରତିରୋଧ ସଂକ୍ରମଣରୁ ଆଗାମି ୨୫ ବର୍ଷରେ ୩.୯ ଲକ୍ଷ ମୃତ୍ୟୁ ଅନୁମାନ କରାଯାଇଥିବାବେଳେ ପ୍ରତି ମିନିଟ୍ରେ ହାରାହାରି ୩ ଜଣଙ୍କ ମୃତ୍ୟୁ ହେବ । ୫ ବର୍ଷରୁ କମ୍ ବୟସର ପିଲାଙ୍କ ମଧ୍ୟରେ ଏଏମ୍ଆର୍ ଜନିତ ମୃତ୍ୟୁ ୧୯୯୦ରୁ ୨୦୨୧ ମସିହା ମଧ୍ୟରେ ୫୦%ରୁ ଅଧିକ ହ୍ରାସ ପାଇଛି । କିନ୍ତୁ ୭୦ ଓ ତଦୁଦ୍ଧ୍ୱର୍ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ୮୦ ପ୍ରତିଶତ ବୃଦ୍ଧି ହୋଇଛି ।
ଗବେଷକଙ୍କ ଅନୁମାନ, ପିଲାଙ୍କ ମୃତ୍ୟୁ ହାର ହ୍ରାସ ଜାରି ରହିବ ଏବଂ ୨୦୫୦ ସୁଦ୍ଧା ଅଧା ହେବ । ଅନ୍ୟପକ୍ଷେ, ସମାନ ଅବଧିରେ ବୟସ୍କଙ୍କ ମୃତ୍ୟୁ ହାର ଦୁଇଗୁଣ ହେବାର ଅନୁମାନ କରାଯାଉଛି । ବିଶ୍ୱ ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ବଢୁଥିବାରୁ ଏବଂ ସଂକ୍ରମଣ ପ୍ରତି ସେମାନେ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ଏହି ପରିବର୍ତ୍ତନ ଯୋଗୁ ବୟସ୍କଙ୍କ ମଧ୍ୟରେ ଏଏମ୍ଆର ଜନିତ ମୃତ୍ୟୁ ଅନ୍ୟ ବୟସର ଲୋକଙ୍କ ମୃତ୍ୟୁକୁ ଟପିବ ।
୩.୯ କୋଟି ଏଏମ୍ଆର୍ ମୃତ୍ୟୁରୁ ଦକ୍ଷିଣ ଏସିଆରେ ୧.୧୮ କୋଟି ଲୋକଙ୍କ ମୃତ୍ୟୁ ହେବ । ଉପ-ସାହାରା ଆଫ୍ରିକାରେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆକଳନ କରାଯାଇଛି । ଆଣ୍ଟିବାୟୋଟିକ୍ଗୁଡ଼ିକର ମାତ୍ରାଧିକ ବ୍ୟବହାର ଓ ଅପବ୍ୟବହାର ବ୍ୟାକ୍ଟେରିଆ ପ୍ରତିରୋଧକୁ ବଢ଼ାଉଛି ବୋଲି ଆଇକୁତା ଗୁରୁତ୍ୱାରୋପ କରିଛନ୍ତି । ଆଣ୍ଟିବାୟୋଟିକ୍ର ମାତ୍ରାଧିକ ବ୍ୟବହାର ଉପରେ ନିୟନ୍ତ୍ରଣ ଜରୁରି ବୋଲି ସେ ଉଲ୍ଲେଖ କରିଛନ୍ତି ।
ସେହିପରି ହାର୍ଭାର୍ଡ ମେଡିକାଲ ସ୍କୁଲରେ ମେଡିସିନ୍ର ଆସୋସିଏଟ୍ ପ୍ରଫେସର ଓ ପ୍ରାଇମେରୀ କେୟାର ଫିଜିସିଆନ ଇଶାନି ଗାଙ୍ଗୁଲି ଅନାବଶ୍ୟକ ଆଣ୍ଟିବାୟୋଟିକ୍ ପ୍ରେସ୍କ୍ରିପ୍ସନ୍ଠୁ ଦୂରେଇବାର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି । ସାଧାରଣ ଥଣ୍ଡା ଭଳି ସଂକ୍ରମଣ ନିମନ୍ତେ ରୋଗୀଙ୍କ ଆଣ୍ଟିବାୟୋଟିକ୍ସ ବ୍ୟବହାରକୁ ନେଇ ସେ ସର୍ବଦା ଚିନ୍ତା ପ୍ରକଟ କରନ୍ତି । ସେଗୁଡ଼ିକର କ୍ଷତି ଏବଂ ଡାଇରିଆ ଓ ୟିଷ୍ଟ୍ ସଂକ୍ରମଣ ଭଳି ସମ୍ଭାବ୍ୟ ପାଶ୍ୱର୍ ପ୍ରତିକ୍ରିୟା ବିଷୟରେ ଆଲୋଚନା କରନ୍ତି । ବିକଳ୍ପ ଚିକିତ୍ସା ଆପଣେଇବା ଲାଗି ସେ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି।
ଆଣ୍ଟିବାୟୋଟିକ୍ ପ୍ରତିରୋଧର ମୁକାବିଲା ନିମନ୍ତେ ପ୍ରୟାସକୁ ତ୍ୱରାନ୍ୱିତ କରିବା ଉପରେ ଅଧ୍ୟୟନ ଆହ୍ୱାନ ଦେଇଛି । ନୂଆ ଆଣ୍ଟିବାୟୋଟିକ୍ସର ବିକାଶ ସମେତ ସଂକ୍ରମଣ ପ୍ରତିରୋଧ ଓ ଆଣ୍ଟିବାୟୋଟିକ୍ ଷ୍ଟିୱାର୍ଡସିପ୍ରେ ଉନ୍ନତି ଉପରେ ଏହା ଫୋକସ୍ କରିଛି । ଏ ସମସ୍ତ ପଦକ୍ଷେପ ଜରିଆରେ ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇପାରିବ ବୋଲି ଅଧ୍ୟୟନ ପ୍ରସ୍ତାବ ଦେଇଛି