ନୂଆଦିଲ୍ଲୀ,୦୩/୦୭: ସୁନୀତା ୱିଲିୟମ୍ସ ତାଙ୍କ ସାଥୀ ବରୀ ୱିଲମୋରଙ୍କ ସହ ମହାକାଶରେ ଫଶି ରହିଛନ୍ତି। ଆରମ୍ଭରୁ ତାଙ୍କର ମିଶନ ମାତ୍ର ୮ ଦିନ ଥିଲା, କିନ୍ତୁ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ହେତୁ ସେ ଏପର୍ଯ୍ୟନ୍ତ ମହାକାଶରୁ ଫେରିପାରି ନାହାଁନ୍ତି। ଏହି ଯାତ୍ରା ଜୁନ୍ ୫ ରେ ବୋଇଙ୍ଗ ଷ୍ଟାରଲାଇନରରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପ୍ରଥମ ଉଡ଼ାଣ ସହିତ ଆରମ୍ଭ ହୋଇଥିଲା | କିନ୍ତୁ ଷ୍ଟାରଲାଇନରରେ ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟରରେ ତ୍ରୁଟି ଯୋଗୁଁ ରିଟର୍ନ ମିଶନକୁ ବନ୍ଦ କରିବାକୁ ପଡ଼ିଥିଲା। ସୁନୀତା ୱିଲିୟମ୍ସ ବର୍ତ୍ତମାନ ତାଙ୍କ ସାଥୀଙ୍କ ସହିତ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ସୁରକ୍ଷିତ ଅଛନ୍ତି, କିନ୍ତୁ ଏହା ତାଙ୍କ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମହାକାଶରେ ରହିବା ବିପଦଜନକ ପ୍ରମାଣିତ ହୋଇପାରେ ବୋଲି ମହାକାଶ ବିଶେଷଜ୍ଞ ମାନେ କହିଛନ୍ତି।
କହିରଖୁଛୁ ଯେ, ଯେତେବେଳେ ମହାକାଶଚାରୀମାନେ ମହାକାଶକୁ ଯାଆନ୍ତି, ସେଠାରେ ଥିବା ପରିବେଶ ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ, ସମସ୍ତ ସୁରକ୍ଷା ଉପକରଣ ସତ୍ତ୍ବେ ଜଣେ ଅଧିକ ସମୟ ମହାକାଶରେ ରହିପାରିବ ନାହିଁ। କାରଣ ମହାକାଶରେ ମାଇକ୍ରୋଗ୍ରାଭିଟି ଏବଂ ବିକିରଣର ବିପଦ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରେ। ସ୍ପେସ୍ ଷ୍ଟେସନରେ ଦୀର୍ଘ ସମୟ ରହିବା ବିପଜ୍ଜନକ ପ୍ରମାଣିତ ହୋଇପାରେ, କାରଣ ମହାକାଶରେ କୌଣସି ମାଧ୍ୟାକର୍ଷଣ ଶକ୍ତି ନାହିଁ। ମାଧ୍ୟାକର୍ଷଣର ଅଭାବ ହେତୁ ଶରୀରର ତରଳ ପଦାର୍ଥ ଉପରକୁ ଉଠିବା ଆରମ୍ଭ କରେ। ଏଭଳି ପରିସ୍ଥିତିରେ ମୁହଁ ଫୁଲିବା ଏବଂ ନାକ ବନ୍ଦ ହେବା ପରି ସମସ୍ୟା ଦେଖାଦେଇଥାଏ। ଗୋଡ଼ରେ ତରଳ ପଦାର୍ଥର ଅଭାବ ମଧ୍ୟ ଦେଖାଦିଏ, ଏହି କାରଣରୁ ଶରୀରରେ ରକ୍ତ ଅଭାବ ଦେଖାଦିଏ ଏବଂ ରକ୍ତଚାପରେ ଅସନ୍ତୁଳନତା ଦେଖାଯାଏ।
ମହାକାଶରେ ଦୀର୍ଘଦିନ ରହିଲେ ପ୍ରଭାବିତ ହୁଏ ଶରୀରର ହାଡ଼:
ମହାକାଶରୁ ପୃଥିବୀକୁ ଫେରିବା ପରେ ଏହାର ଗମ୍ଭୀର ପ୍ରଭାବ ମହାକାଶଚାରୀଙ୍କ ଠାରେ ଦେଖିବାକୁ ମିଳିଥାଏ। ଅନେକ ଥର ମହାକାଶ ଯାତ୍ରୀ ଠିଆ ହେବାରେ ଅସମର୍ଥ ହୋଇପଡ଼ନ୍ତି ଏବଂ ସେମାନେ ଚେତାଶୂନ୍ୟ ହେବାର ନଜିର ମଧ୍ୟ ରହିଛି। ମାଂସପେଶୀ ଉପରେ ମାଇକ୍ରୋଗ୍ରାଭିଟିର ଗମ୍ଭୀର ପ୍ରଭାବ ମଧ୍ୟ ପଡ଼ୁଛି, ଫଳତଃ ମହାକାଶଚାରୀଙ୍କ ଗୋଡ଼ ଓ ପିଠି ଉପରେ ଏହା ବିଶେଷ ପ୍ରଭାବ ପକାଇଥାଏ। ଏହାଦ୍ବାରା ହାଡ଼ଗୁଡ଼ିକ ଉପରେ ବି କ୍ଷତି ପହଞ୍ଚିଥାଏ।