ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବରେ ରାଜ୍ୟସଭାରେ କଂଗ୍ରେସକୁ ଜବାବ ଦେଇଛନ୍ତି। ବିଜେପି ସରକାରର ମୁଳମନ୍ତ୍ର ସବକା ସାଥ, ସବକା ବିକାଶ କିନ୍ତୁ କଂଗ୍ରେସ ସରକାରର ମୁଳମନ୍ତ୍ର ପରିବାର ପ୍ରଥମ ବୋଲି ପିଏମ ମୋଦି କହିଥିଲେ। ଏହାସହ କଂଗ୍ରେସ ଠୁ ବିକାଶ ଆଶା କରିବା ବହୁତ ବଡ ଭୁଲ ହେବ। ଏହା ତାଙ୍କ ଚିନ୍ତାଧାରା ଓ ରୋଡମ୍ୟାପ ବାହାରେ କାରଣ ପୁରା ଦଳ କେବଳ ଗୋଟିଏ ପରିବାରକୁ ସମର୍ପିତ ବୋଲି ପିଏମ ମୋଦି ରାଜ୍ୟସଭାରେ କହିଛନ୍ତି।
ନିଜ ସମ୍ଭାଷଣରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ପିଏମ ମୋଦି। ସଂସଦରେ ଖଡଗେ ସମସ୍ତଙ୍କୁ ଶାୟରୀ ଶୁଣାନ୍ତି ଆଉ ସମସ୍ତେ ମଜାରେ ଶୁଣନ୍ତି। ଖଡଗେଙ୍କୁ ମୁଁ ଆଜି ନୀରଜ ଜୀଙ୍କ କେତେକ ପଙ୍କ୍ତି ଶୁଣାଇବାକୁ ଚାହେଁ। କଂଗ୍ରେସ ସରକାର ସମୟରେ ହିଁ ନୀରଜ ଜୀ ଏହି କବିତା ଲେଖିଥିଲେ। “ବର୍ତ୍ତମାନ ବହୁତ ଅନ୍ଧକାର ରହିଛି, ଏବେ ସୂର୍ଯ୍ୟ ଉଦୟ ହେବାର ଆବଶ୍ୟକତା ରହିଛି, ଯେମିତିବି ହେଉ ଋତୁ ବଦଳିବାର ଆବଶ୍ୟକତା ରହିଛି” ବୋଲି ମୋଦି କବିତା ଶୁଣେଇଥିଲେ। ଗରିବ ମାନଙ୍କ ପାଇଁ ଆମେ ଯେତିକି କରିଛୁ, ଆଉ କିଏ ସେତିକି କରିନାହାନ୍ତି ବୋଲି ପିଏମ ମୋଦି ସଂସଦରେ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜରୁରୀକାଳୀନ ପରିସ୍ଥିତି ସମୟରେ କବି ମଜରୁହ ସୁଲତାନପୁରୀ ଏବଂ ଅଭିନେତା ବଲରାଜ ସାହାନୀଙ୍କ ଗିରଫଦାରୀ ଏବଂ ଦୂରଦର୍ଶନରେ ଦେବଆନନ୍ଦଙ୍କ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା କଥା ଉଲ୍ଲେଖ କରି କଂଗ୍ରେସକୁ ଉପରେ ଆକ୍ରମଣ କରିଥିଲେ। ଯେଉଁ ଦଳ ଦେଶରେ ଏମର୍ଜେନ୍ସି ଲଗାଇ ସାଧାରଣ ଲୋକ ମାନଙ୍କଠୁ ବାକ୍ ସ୍ୱାଧିନତା ଛଡାଇନେଲା ଫୁଣି ସେହି ଦଳ ସମ୍ୱିଧାନ କଥା କହୁଛି। ଏ ସମ୍ୱିଧାନ ଶବ୍ଦଟି କଂଗ୍ରେସ ମୁହଁରେ ଆଦୈ ଶୋଭାପାଉନାହିଁ ବୋଲି ପିଏମ ମୋଦି କହିଛନ୍ତି।
୨୦୧୪ ପରେ ଭାରତ ଯେଉଁ ସରକାର ପାଇଛି ତାହା ସନ୍ତୁଷ୍ଟିକରଣ ଅପେକ୍ଷା ତୁଷ୍ଠିକରଣ ଦିଗରେ ଅଧିକ ଧ୍ୟାନ ଦେଇଛି। କାରଣ ବିଜେପି ସନ୍ତୁଷ୍ଟିକରଣ ଅପେକ୍ଷା ତୁଷ୍ଠିକରଣ ଉପରେ ଅଧିକ ପ୍ରାଧାନ୍ୟ ଦେଇଥାଏ। ଯେଉଁଥିପାଇଁ ଲୋକମାନେ କଂଗ୍ରେସକୁ କ୍ଲିନସ୍ୱିପ କରିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଜାତି ଗଣନାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସିଧା ଟାର୍ଗେଟ କରିଥିଲେ ପିଏମ ମୋଦି। ପୂର୍ବରୁ ବହୁବର୍ଷ ହେବ ଓବିସି ସାଂସଦ ମାନେ ନିଜର ଏକ ପ୍ୟାନେଲ ଦାବି କରୁଥିଲେ। କିନ୍ତୁ ଉପା ସରକାର ଅମଳରେ ଏହା ସମ୍ଭବପର ହୋଇପାରି ନଥିଲା। କିନ୍ତୁ ଆମେ ଏହା ଉପରେ କାର୍ଯ୍ୟ କରିଛୁ। ଆମେ ସେମାନଙ୍କୁ ପ୍ୟାନେଲରେ ସାମ୍ୱିଧାନିକ ମାନ୍ୟତା ପ୍ରଦାନ କରିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ରାହୁଲଙ୍କ ଆମ୍ବେଦକର ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ। ବାବା ସାହେବ ଆମ୍ୱେଦକରଙ୍କୁ ନେଇ କଂଗ୍ରେସର ମନରେ କେବଳ କ୍ରୋଧ ଓ ଘୃଣା ଭରି ରହିଛି। ନଚେତ ଶାସନର ଏତେ ବର୍ଷ ପରେ ମଧ୍ୟ ସେମାନେ କିପରି ବିଆର ଆମ୍ୱେଦକରଙ୍କୁ ଭାରତ ରତ୍ନ ଦେବାକୁ କିପରି ଚିନ୍ତା କଲେନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପଡି ସେମାନେ ଜୟ ଭିମ୍ ନାରା ଦେଉଛନ୍ତି ବୋଲି ପିଏମ ମୋଦୀ କହିଛନ୍ତି।