ଭୁବନେଶ୍ଵର, ୦୪/୦୧ : ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ଯାହାର ୫ ଏକର ଜମି ଅଛି କି ନାହିଁ, ସେହି ଦ୍ଵନ୍ଦ ପାଇଁ ଡିସେମ୍ଵର ୩୦ ଯାଏଁ ତଦନ୍ତ ହେବ ବୋଲି କୁହାଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି। ଏବେ ଅଙ୍ଗନବାଡି ଦିଦିମାନେ ଘର ଘର ବୁଲୁଛନ୍ତି। ତେଣୁ ଜାନୁଆରୀ ୧୫ପରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ।
ଉପମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ସୁଭଦ୍ରାର ୨ଟି କିସ୍ତି ମିଳିବ। ଗାଁର ଶେଷ ହିତାଧିକାରୀ ଆବେଦନ ନକଲା ଯାଏଁ ପଞ୍ଜିକରଣ ଚାଲିବ। ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା, କିନ୍ତୁ ମାର୍ଚ୍ଚ ୩୦ପରେ ଆବେଦନ କଲେବି ପ୍ରଥମ କିସ୍ତି ଟଙ୍କା ମିଳିବ। ଏଥିପାଇଁ ବ୍ୟାଙ୍କ ଗୁଡିକ ସହିତ ବୈଠକ ସରିଲାଣି।
ସୂଚନା ଥାଉକି, ଶୁକ୍ରବାର ରାଜ୍ୟ କ୍ୟାବିନେଟରେ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା ହୋଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ସୁଭଦ୍ରା କିସ୍ତି ପାଇବାକୁ ହେଲେ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ଆବେଦନ କରି ହେବ ବୋଲି କୁହାଯାଇଥିଲା। ଅର୍ଥାତ୍ ମାର୍ଚ୍ଚ ୩୧ ହିଁ ଚଳିତ ଆର୍ଥିକ ବର୍ଷର ଶେଷ ଆବେଦନ ତାରିଖ । ଏହି ସମୟ ସୀମା ଭିତରେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ବର୍ଷର ଦୁଇଟି ଯାକ ସୁଭଦ୍ରା କିସ୍ତି ଟଙ୍କା ପାଇପାରିବେ ।