ନୂଆଦିଲ୍ଲୀ,୦୬/୦୧: ମେଡିକ୍ଲେମ୍ ପଲିସି ରିଜେକ୍ସନକୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ଆସିଛି । ଗତ ୩ ବର୍ଷରେ ପ୍ରାୟ ଅଧା ସ୍ୱାସ୍ଥ୍ୟ ବୀମାଧାରୀଙ୍କୁ ବୀମା କମ୍ପାନି ସମ୍ପୂର୍ଣ୍ଣ ରାଶି ଦେଇ ନ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି ଯେ, ପ୍ରାୟ ଅଧା ମେଡିକ୍ଲେମ୍ ପଲିସିଧାରୀଙ୍କୁ ଗତ ୩ ବର୍ଷରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ କ୍ଲେମ୍ ରିଜେକ୍ସନର ସାମ୍ନା କରିବାକୁ ପଡ଼ିଛି ।
ସର୍ବେକ୍ଷଣ ସଂସ୍ଥା ଲୋକାଲ ସର୍କଲ୍ସ ପକ୍ଷରୁ ଗତବର୍ଷ ଜୁନ୍ରୁ ଡିସେମ୍ବର ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଏଥିରେ ୩୨୭ ଜିଲ୍ଲାର ୧ ଲକ୍ଷରୁ ଊଦ୍ଧ୍ୱର୍ ପଲିସିଧାରୀ ଅଂଶଗ୍ରହଣ କରିଥିଲେ ।
ସର୍ଭେରୁ ଜଣାପଡ଼ିଛି ଯେ, ୩୩% ପଲିସିଧାରୀଙ୍କୁ ଆଂଶିକ ପେମେଣ୍ଟ ମିଳିଛି । ଅନ୍ୟପକ୍ଷରେ, ୨୦%ଙ୍କ କ୍ଲେମ୍ ‘ଅମାନ୍ୟ’ କାରଣରୁ ଖାରଜ କରିଦିଆଯାଇଛି । ପଲିସିଧାରୀଙ୍କ ଏକ ବଡ଼ ଅଭିଯୋଗ ରହିଛି ବିଳମ୍ବ ଡିସ୍ଚାର୍ଜ । ୬୦% ଉତ୍ତରଦାତା କହିଛନ୍ତି ଯେ, ସେମାନଙ୍କୁ କ୍ଲେମ୍ ଆପ୍ରୁଭାଲ ପରେ ଡିସ୍ଚାର୍ଜ ପାଇଁ ୬ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି । ଚିନ୍ତାର ବିଷୟ ହେଉଛି, ୮୦% ପଲିସିଧାରୀ ଭାବୁଛନ୍ତି ଯେ, ଜାଣିଶୁଣି ଡିସ୍ଚାର୍ଜରେ ବିଳମ୍ବ କରାଯାଇଥାଏ, ଯାହାଫଳରେ ହିତାଧିକାରୀ କମ୍ କ୍ଲେମ୍ ରାଶିକୁ ଗ୍ରହଣ କରିନେବେ । ୮୩% ପଲିସିଧାରୀ କ୍ଲେମ୍ ପ୍ରୋସେସିଂ ପାଇଁ ୱେବ୍ଭିତ୍ତିକ ସିଷ୍ଟମ୍କୁ ଅନିବାର୍ଯ୍ୟ କରିବା ନିମନ୍ତେ ବୀମା ନିୟାମକ ଆଇଆର୍ଡିଏଆଇ ନିକଟରେ ଦାବି କରିଛନ୍ତି ।
ଇନ୍ସ୍ୟୁରାନ୍ସ ବ୍ରୋକର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ବା ଆଇବିଏଆଇର ୨୦୨୩ ମାର୍ଚ୍ଚ ତଥ୍ୟ ଅନୁସାରେ,ରାଷ୍ଟ୍ରାୟତ୍ତ କ୍ଷେତ୍ରର ବୀମା କମ୍ପାନିଗୁଡ଼ିକ କ୍ଲେମ୍ ପେମେଣ୍ଟରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଏତେ ବଡ଼ ମାତ୍ରାରେ କ୍ଲେମ୍ ରିଜେକ୍ସନ ବା ପୁରା ଫାଇଦା ନ ମିଳିବା କମ୍ପାନିଗୁଡ଼ିକର ନୀତି ଉପରେ ପ୍ରଶ୍ନ ଛିଡ଼ା କରିଛି । କ୍ଲେମ୍ ରିଜେକ୍ସନ ଦ୍ୱାରା ବୀମା ନେବାର ଉଦ୍ଦେଶ୍ୟ ଅର୍ଥହୀନ ହୋଇଯାଏ । ବୀମା କ୍ଲେମ୍ ରିଜେକ୍ଟ ହେବା ଦ୍ୱାରା ଚିକିତ୍ସା ଖର୍ଚ୍ଚର ପୁରା ବୋଝ ବୀମା ନେଇଥିବା ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ । ଅନ୍ୟପକ୍ଷରେ, ବୀମା କମ୍ପାନିଗୁଡ଼ିକ ଉପରେ ବିଶ୍ୱାସ ରୁହେ ନାହିଁ ।
କ୍ଲେମ୍ ଖାରଜ ହେବାର ଅନେକ କାରଣ ରହିଛି । ହୁଏତ ଯେଉଁ ରୋଗ ବା ଦୁର୍ଘଟଣା ପାଇଁ କ୍ଲେମ୍ କରାଯାଇଛି ତାହା ବୀମା ପଲିସିରେ ସାମିଲ ନ ଥିବ । ସେହିଭଳି କ୍ଲେମ୍ କରିବାର ପ୍ରକ୍ରିୟା ଭୁଲ ହେବା ଦ୍ୱାରା କ୍ଲେମ୍ ନାମଞ୍ଜୁର ହୋଇଯାଏ । ଏହା ବି ହୋଇପାରେ ଯେ, ବୀମା କମ୍ପାନିଗୁଡ଼ିକର ଏଭଳି କିଛି ନୀତି ଥିବ, ଯାହା କାରଣରୁ କ୍ଲେମ୍ ନାମଞ୍ଜୁର ହୋଇଥିବ । ଏଭଳି କ୍ଷେତ୍ରରେ ବୀମା ପଲିସିକୁ ଧ୍ୟାନର ସହ ପଢ଼ିବା ଦରକାର । ଏହାକୁ କିଣିବା ପୂର୍ବରୁ ସର୍ତ୍ତାବଳୀଗୁଡ଼ିକ ଉପରେ ଭଲ ଭାବେ ନଜର ପକାଇବା ଉଚିତ । କ୍ଲେମ୍ କରିବାର ପ୍ରକ୍ରିୟାକୁ ବୁଝିବାକୁ ପଡ଼ିବ । ସମସ୍ତ ଜରୁରୀ ଦସ୍ତାବିଜ୍କୁ ପ୍ରସ୍ତୁତ ରଖିବା ଆବଶ୍ୟକ । ଯଦି କ୍ଲେମ୍ ଖାରଜ ହୋଇଯାଏ ତେବେ ଓକିଲ କିମ୍ବା ଉପଭୋକ୍ତା ସୁରକ୍ଷା ସଂଗଠନର ସାହାଯ୍ୟ ନିଆଯାଇପାରିବ ବୋଲି ବିଶେଷଜ୍ଞ କୁହନ୍ତି ।