ପ୍ରମୂଖ ଖବର
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

୨୦୨୫ରେ ଅଗ୍ରଦୂତ ରହିବ ଭାରତ, ବ୍ୟାଙ୍କ ଅଫ୍‌ ବରୋଦା ରିପୋର୍ଟ

Published By : Prameya | January 6, 2025 1:30 PM

ନୂଆଦିଲ୍ଲୀ, ୬।୧: ବିଶ୍ୱ ବଜାରର ଆହ୍ୱାନ ସହ ଆରମ୍ଭ ହୋଇଛି ବର୍ଷ ୨୦୨୫ । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ନୀତି ବିଶ୍ୱ ବଜାର ଲାଗି ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ଆଶଙ୍କା ରହିଛି । ତେବେ ଏଭଳି ସ୍ଥିତିରେ ମଧ୍ୟ ଭାରତୀୟ ଅର୍ଥନୀତି ଦୃଢ଼ତା ଦେଖାଇବା ସହ ଅଗ୍ରଦୂତ ରହିବ ବୋଲି ବିଶେଷଜ୍ଞ କହିଛନ୍ତି । ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରର ପ୍ରଦର୍ଶନ ଆଶାନୁରୂପକ ଥିବାରୁ ତୃତୀୟ ତ୍ରୈମାସରେ ଜିଡିପି ଆହୁରି ଉନ୍ନତ ହେବ ବୋଲି ଆକଳନ କରାଯାଇଛି । ଜିଏସ୍‌ଟି ସଂଗ୍ରହ, ସର୍ଭିସ ପିଏମ୍‌ଆଇ, ବିମାନ ଯାତ୍ରୀ ଅଭିବୃଦ୍ଧି, ଯାନ ପଞ୍ଜୀକରଣ ଦୃଢ଼ ହୋଇଥିବା ବ୍ୟାଙ୍କ ଅଫ୍‌ ବରୋଦା ରିପୋର୍ଟରେ କୁହାଯାଇଛି । ଏବେ ଚୀନ୍‌ର ବିନିର୍ମାଣ କ୍ଷେତ୍ର ଧୀମା ରହିଛି । ସେହିଭଳି ଆମେରିକା ଅର୍ଥନୀତି ଅଭିବୃଦ୍ଧିରେ ଦ୍ୱେତ ସିଗ୍‌ନାଲ ଦେଉଛି । ଘରୋଇ ଚାହିଦା ବଢୁଥିବାବେଳେ ରିୟଲ ଇଷ୍ଟେଟ କ୍ଷେତ୍ରର ସୁଧାର ଅର୍ଥନୀତିର ଉନ୍ନତିରେ ସହାୟକ ହେଉଛି । 

ଭାରତର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଦ୍ୱିତୀୟ ତ୍ରୈମାସରେ ଜିଡିପିର ୧.୨% ରହିଛି, ଯାହା ଗତ ଆର୍ଥିକ ବର୍ଷ ସମାନ ଅବଧିରେ ୧.୩% ରହିଥିଲା । ବ୍ୟାଙ୍କ ଅଫ୍‌ ବରୋଦାର ଅର୍ଥନୀତିଜ୍ଞ ସୋନାଲ ବଧାନ କହିଛନ୍ତି, ବାଣିଜ୍ୟ ନିଅଣ୍ଟ ଉଚ୍ଚରେ ରହିଥିବା ବେଳେ ସେବା କ୍ଷେତ୍ର ରପ୍ତାନି ଦୃଢ଼ ରହିଛି । ଦେଶ ଅଧିକ ବିଦେଶୀ ମୁଦ୍ରା ଲାଭ କରୁଥିବାରୁ ବାଣିଜ୍ୟ ନିଅଣ୍ଟ ହ୍ରାସରେ ସହାୟକ ହେବ । କ୍ୟାଲେଣ୍ଡର ବର୍ଷ ୨୦୨୪ରେ ସେନସେକ୍ସ ଏବଂ ନିଫ୍ଟି ଯଥାକ୍ରମେ ୮.୭% ଓ ୯% ବଢ଼ିଛି । ଚଳିତବର୍ଷ ସେନସେକ୍ସ ସର୍ବକାଳୀନ ରେକର୍ଡ ୮୫,୫୦୦ ପଏଣ୍ଟ ସ୍ତର ଛୁଇଁବାକୁ ସକ୍ଷମ ହୋଇଥିଲା । ଏହି ଅବଧିରେ ରିୟଲ ଇଷ୍ଟେଟ, କଞ୍ଜ୍ୟୁମର ଡ୍ୟୁରେବଲ୍ସ ଏବଂ ଆଇଟି ଭଳି କ୍ଷେତ୍ରଗୁଡିକ ବେଶ୍‌ ଭଲ ପ୍ରଦର୍ଶନ କରିଛି । ୨୦୨୪ରେ ଟଙ୍କା ୨.୮% ଦୁର୍ବଳ ହୋଇଛି । 

ତେବେ ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଟଙ୍କାର ସ୍ଥିତି ଉନ୍ନତ ରହିଛି । ତୃତୀୟ ତ୍ରୈମାସରେ ଜିଏସ୍‌ଟି ସଂଗ୍ରହ ୮.୮% ବଢ଼ି ୫.୫ ଲକ୍ଷ କୋଟି ଟଙ୍କା ରହିଛି । ପାର୍ବଣ ଚାହିଦା ବାଦ ସହରାଞ୍ଚଳ କ୍ଷେତ୍ରରେ ଚାହିଦା ଟ୍ରାକକୁ ଫେରୁଛି । ତୃତୀୟ ତ୍ରୈମାସରେ ବିମାନ ଯାତ୍ରୀ ପରିବହନ ୧୧.୬% ବଢ଼ିଛି । ସର୍ଭିସ ପିଏମ୍‌ଆଇ ୫୯.୨ ରହିଛି । ତୃତୀୟ ତ୍ରୈମାସରେ କମ୍ପାନିଗୁଡିକର ଲାଭରେ ଉନ୍ନତି ଆସିବ । ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିବାକୁ ଥିବା ବେଳେ ଜିଡିପି ମଧ୍ୟ ଟ୍ରାକକୁ ଫେରିବ ବୋଲି ଆଶା ରହିଛି । ଆସନ୍ତା ମାସରେ ଆର୍‌ବିଆଇ ଏହାର ପ୍ରମୁଖ ସୁଧ ହାରରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିପାରେ । ମୋଟାମୋଟି ଭାବେ ୫୦ରୁ ୭୫ ବେସିସ ପଏଣ୍ଟ ରେପୋ ହ୍ରାସ ହୋଇପାରେ । ଦ୍ୱିତୀୟାର୍ଦ୍ଧରେ ଉଭୟ ସରକାର ଏବଂ ଘରୋଇ କ୍ଷେତ୍ର ନିବେଶରେ ଉନ୍ନତି ଆସିବାର ଢ଼େର ସମ୍ଭାବନା ରହିଛି । ସେହିଭଳି ଶିଳ୍ପ ଅଭିବୃଦ୍ଧି ମଧ୍ୟ ଉନ୍ନତ ରହିବ ବୋଲି ଏହି ରିପୋର୍ଟରେ ଆଶା କରାଯାଉଛି ।

 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.