ନୂଆଦିଲ୍ଲୀ,୦୬/୦୧: ଭୟଙ୍କର ନିଯୁକ୍ତି ସଂକଟ ଦେଇ ଗତି କରୁଛି ଚୀନ୍ । ଏଠାରେ ଉଚ୍ଚଶିକ୍ଷିତଙ୍କୁ ମିଳୁନି ଯୋଗ୍ୟ ଚାକିରି । ଶ୍ରମିକ, ଡ୍ରାଇଭର ଚାକିରି କରିବାକୁ ବାଧ୍ୟ ହେଉଛନ୍ତି ବଡ଼ ବଡ଼ ଡିଗ୍ରୀଧାରୀ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଚୀନ୍ରେ ହାଇସ୍କୁଲରେ ସହାୟକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଖରେ ରହିଛି ଫିଜିକ୍ସରେ ମାଷ୍ଟର ଡିଗ୍ରୀ । ଜଣେ କ୍ଲିନର ଏନ୍ଭାଇରନ୍ମେଣ୍ଟାଲ ପ୍ଲାନିଂରେ ଉଚ୍ଚଶିକ୍ଷିତ । ଡେଲିଭରି ଡ୍ରାଇଭରଙ୍କ ପାଖରେ ଫିଲୋସଫି ଡିଗ୍ରୀ । ନାମୀଦାମୀ ସିଂଘୁଆ ବିଶ୍ୱବିଦ୍ୟାଳୟର ପିଏଚ୍ଡି ଗ୍ରାଜୁଏଟ୍ ସହାୟକ ପୁଲିସ ଅଧିକାରୀ ପଦରେ ଆବେଦନ କରିବାକୁ ବାଧ୍ୟ ହେଉଛନ୍ତି ।
ସଂଘର୍ଷ କରୁଥିବା ଚୀନ୍ ଅର୍ଥନୀତିର ଏହା ବାସ୍ତବ କାହାଣୀ । ସନ୍ ଝାନ୍ ନାମକ ଜଣେ ଚୀନ୍ ନାଗରିକ କୁହନ୍ତି, ନିବେଶ ବ୍ୟାଙ୍କିଙ୍ଗ୍ରେ କାର୍ଯ୍ୟ କରିବା ତାଙ୍କ ସ୍ୱପ୍ନ ଥିଲା । କିନ୍ତୁ ଏବେ ସେ ସଦର୍ଣ୍ଣ ସିଟି ନାଞ୍ଜିଙ୍ଗ୍ରେ ଏକ ହଟ୍ ପଟ୍ ରେଷ୍ଟୁରାଣ୍ଟରେ ୱେଟର ଭାବେ କାର୍ଯ୍ୟ କରୁଛନ୍ତି। ୨୫ ବର୍ଷୀୟ ଏହି ଯୁବକ ନିକଟରେ ଫାଇନାନ୍ସରେ ମାଷ୍ଟର୍ ଡିଗ୍ରୀ ହାସଲ କରିଛନ୍ତି । ସେ ସ୍ୱପ୍ନ ଦେଖିଥିଲେ ଯେ, ଏକ ଉଚ୍ଚ ବେତନଯୁକ୍ତ ଚାକିରି କରିବେ ଆଉ ଢେର ଟଙ୍କା ରୋଜଗାର କରିବେ । ଖୋଜି ଖୋଜି ଥକିଗଲେ ବି ତାଙ୍କୁ ମନ ମୁତାବକ ଚାକିରି ମିଳିଲା ନାହିଁ । ଶେଷରେ ସେ ଏକ ରେଷ୍ଟୁରାଣ୍ଟରେ ୱେଟର୍ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିବା କୁହନ୍ତି ।
ପ୍ରତିବର୍ଷ ଲକ୍ଷ ଲକ୍ଷ ଗ୍ରାଜୁଏଟ୍ ଚୀନ୍ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ବାହାରୁଛନ୍ତି କିନ୍ତୁ କେତେକ ଫିଲ୍ଡରେ ପର୍ଯ୍ୟାପ୍ତ ଚାକିରି ନ ଥିବାରୁ ଛାତ୍ରଛାତ୍ରୀ ହତାଶ ହେଉଛନ୍ତି । ଅର୍ଥନୀତିର ପ୍ରମୁଖ କ୍ଷେତ୍ର ରିୟଲ ଇଷ୍ଟେଟ୍ ଏବଂ ମାନୁଫାକ୍ଚରିଂ ଠପ୍ ହୋଇ ପଡ଼ିଛି । ଅର୍ଥନୀତିକୁ ଉଭୟ କ୍ଷେତ୍ରର ଯୋଗଦାନ ବୃହତ୍ ରହିଥିବାବେଳେ ବର୍ତ୍ତମାନ ଦୁଇଟି ଯାକ କ୍ଷେତ୍ର ସ୍ଥାଣୁ ପାଲଟିଛି । ଏହି କ୍ଷେତ୍ର ଦ୍ୱୟ ବୃହତ୍ ମାତ୍ରାରେ ନିଯୁକ୍ତି ମଧ୍ୟ ପ୍ରଦାନ କରିଥାନ୍ତି । କିନ୍ତୁ ଉଭୟ ଶିଳ୍ପ ସମସ୍ୟା ମଧ୍ୟରେ ଫସିଥିବାବେଳେ ପ୍ରଭାବିତ ହୋଇଛି ନିଯୁକ୍ତି ବଜାର ।
ଯୁବପିଢ଼ିଙ୍କ ମଧ୍ୟରେ ନିଯୁକ୍ତି ହାର ହ୍ରାସ ପାଉଛି । ଏହା ୨୦୨୪ ଅଗଷ୍ଟରେ ୧୮.୮% ଥିଲା । ନଭେମ୍ବରରେ ଏହା ୧୬.୧%କୁ ହ୍ରାସ ପାଇଛି । ବଡ଼ ବଡ଼ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରି ନିଜ ଫିଲ୍ଡରେ କାମ ପାଉନାହାନ୍ତି ଯୁବପିଢ଼ି । ନିଜ ନିଜ ଶିକ୍ଷାଗତ ଯୋଗ୍ୟତାଠାରୁ ଢ଼େର ତଳୁଆ ଚାକିରି କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ପରିବାର ଏବଂ ବନ୍ଧୁ ପରିଜନଙ୍କ ପାଖରେ ସମାଲୋଚିତ ହେଉଛନ୍ତି । ଯେବେ ସନ୍ ଝାନ୍ ୱେଟର ଚାକିରି କଲେ ମାତାପିତା ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । କାରଣ ଭଲ ସ୍କୁଲ ଏବଂ ବଡ଼ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ି ପୁଅ ୱେଟର ଚାକିରି କରିବା ସେମାନଙ୍କ ମନକୁ କଷ୍ଟ ଦେଇଥିଲା । ସେମାନେ ଚାହିଁଥିଲେ ଝାନ୍ ସରକାରୀ ଚାକିରି କରନ୍ତୁ କିମ୍ବା କୌଣସି ବଡ଼ ପଦବୀରେ ରୁହନ୍ତୁ । କିନ୍ତୁ ପରିସ୍ଥିତି ଯୋଗୁ ୱେଟର ଚାକିରି କରିବାକୁ ବାଧ୍ୟ ହୋଇଥିବା ଝାନ୍ ପ୍ରକାଶ କରିଛନ୍ତି ।
ଝାନ୍ କୁହନ୍ତି ଯେ, ସେ ଏକ ସିକ୍ରେଟ୍ ପ୍ଲାନ୍ ରଖିଛନ୍ତି । ରେଷ୍ଟୁରାଣ୍ଟରେ ୱେଟର ଚାକିରି କରିବା ସମୟରେ ସେ ରେଷ୍ଟୁରାଣ୍ଟ ବ୍ୟବସାୟ ଉପରେ ଜ୍ଞାନ ହାସଲ କରିବେ ଏବଂ ନିଜର ଏକ ରେଷ୍ଟୁରାଣ୍ଟ କରିବେ । ହଂକଂର ସିଟି ୟୁନିଭର୍ସିଟି ପ୍ରଫେସର ଝାଙ୍ଗ୍ ଜୁନ୍ କୁହନ୍ତି, ମେନ୍ଲାଣ୍ଡ୍ ଚାଇନାରେ ନିଯୁକ୍ତି ସ୍ଥିତି ଅତ୍ୟନ୍ତ ଆହ୍ୱାନମୂଳକ । ଏଣୁ ବୃହତ୍ ସଂଖ୍ୟାରେ ଯୁବପିଢ଼ିଙ୍କୁ ନିଜ ଆଶାକୁ ପୁନଃ ସଜାଡ଼ିବାକୁ ପଡ଼ିବ। ଅଧିକାଂଶ ଛାତ୍ରଛାତ୍ରୀ ଭଲ ନିଯୁକ୍ତି ଅବସର ପାଇଁ ଉଚ୍ଚ ଡିଗ୍ରୀ ହାସଲ କରୁଛନ୍ତି କିନ୍ତୁ ନିଯୁକ୍ତି ପରିବେଶର ବାସ୍ତବତା ସେମାନଙ୍କୁ ବାଧୁଛି ।
ଉ ଡାନ୍ ନାମକ ୨୯ ବର୍ଷୀୟ ଯୁବତୀ ହଂକଂ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିରୁ ଫାଇନାନ୍ସରେ ଡିଗ୍ରୀ ହାସଲ କରିଛନ୍ତି । ସ୍ୱପ୍ନ ଟାଣ ଥିଲା । କିନ୍ତୁ ଦେଶର ନିଯୁକ୍ତି ବଜାରର ବାସ୍ତବତା ମଧ୍ୟରେ ତାଙ୍କର ଏହି ସ୍ୱପ୍ନ ଫିକା ପଡ଼ିଯାଇଛି । ଫାଇନାନ୍ସରେ ଭଲ ଚାକିରିଟିଏ ପାଇଲେ ନାହିଁ । ଯେଉଁଠି ପାଇଲେ ସେଠାକାର ସର୍ତ୍ତ ତାଙ୍କୁ ସୁହାଇଲା ନାହିଁ । ବାଧ୍ୟ ହୋଇ ସେ ସାଂଘାଇରେ ଏକ ସ୍ପୋର୍ଟସ ଇନ୍ଜ୍ୟୁରୀ ମସାଜ କ୍ଲିନିକ୍ରେ ଜଣେ ଟ୍ରେନି ଭାବେ କାର୍ଯ୍ୟ କରୁଛନ୍ତି । ଆଗକୁ ନିଜର ଏକ କ୍ଲିନିକ୍ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।
ଯୁବପିଢ଼ିଙ୍କ ପାଇଁ ବର୍ତ୍ତମାନ ଚୀନ୍ରେ ସମସ୍ୟାଜନକ ସ୍ଥିତି ଉପୁଜିଛି । ବୃହତ୍ ସଂଖ୍ୟକ ଟେକ୍ନୋଲୋଜି କମ୍ପାନି ବିପୁଳି ଛଟେଇ କରିଛନ୍ତି ।