ପ୍ରମୂଖ ଖବର
  • ସୁନ୍ଦରଗଡ : ଦୁର୍ବୃତ୍ତଙ୍କ ଗୁଳିମାଡରେ ଯୁବକ ଗୁରୁତର
  • ||
  • ନରସିଂହପୁର ଉପରକଟା ପୁରୁଣାପାଣି ଜଙ୍ଗଲରୁ ହାତୀ ମୃତଦେହ ଉଦ୍ଧାର
  • ||
  • ବାଜିଲା ନିର୍ବାଚନୀ ବିଗୁଲ, ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ; ୮ରେ ଗଣତି
  • ||
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ: ପଞ୍ଜୀକରଣ କଲେଣି ୩୫୦୦ ପ୍ରବାସୀ, ୮ରେ ଇନ୍‌ଭେଷ୍ଟ୍‌ ଓଡ଼ିଶା ସେସନ୍‌

Published By : Prameya | January 6, 2025 10:09 AM

ଭୁବନେଶ୍ୱର,୦୬/୦୧: ହାତରେ ଆଉ ଦୁଇ ଦିନ । ଏହାପରେ ଆରମ୍ଭ ହୋଇଯିବ ବହୁ  ପ୍ରତୀକ୍ଷିତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ମେଗା ଆୟୋଜନ । ପ୍ରଥମଥର ପାଇଁ ଓଡ଼ିଶା ଏହି  କାର୍ଯ୍ୟକ୍ରମ ଆୟୋଜନ କରିବାକୁଯାଉଛି । ଏହାକୁ ବିଶାଳ ଓ ଭବ୍ୟ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ  ସରକାର ଅବିଶ୍ୱସନୀୟ ପ୍ରସ୍ତୁତି କରିଛନ୍ତି । ବଡ଼ ବଡ଼  ହ୍ୟାଙ୍ଗର ଛିଡ଼ା ହୋଇଛି । ଜନତା ମଇଦାନକୁ ଗଲେ  ଏହା ବିଦେଶର ଭ୍ରମ ସୃଷ୍ଟି କରୁଛି । ପ୍ରଧାନମନ୍ତ୍ରୀ,  ରାଷ୍ଟ୍ରପତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ବୈଦେଶିକ ବ୍ୟାପାର  ମନ୍ତ୍ରୀଙ୍କ ସମେତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା  ମିଳିଛି । ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ  ଏସ୍‌.ଜୟଶଙ୍କର ଭୁବନେଶ୍ୱରରେ ପହଞ୍ଚିବେ । 

୫୦ରୁ ଅଧିକ ଓଏଏସ୍‌ ଅଫିସର ୧୮ ଘଣ୍ଟା  ଡେରା ପକାଇଛନ୍ତି ଜନତା ମଇଦାନରେ । ବରିଷ୍ଠ  ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ତୁହାକୁ  ତୁହା ବୁଲି ଦେଖୁଛନ୍ତି । ୧୦୦୦ରୁ ଅଧିକ ଶ୍ରମିକ, ଡିଜାଇନର ଓ କର୍ମଚାରୀ ଦିନରାତି ଏକ୍‌ କରି  ପ୍ରସ୍ତୁତିରେ ଲାଗିଛନ୍ତି । ଆତଙ୍କବାଦୀଙ୍କ ଧମକ ପାଇଁ  ପୂରା ମଇଦାନର ଚାରିପାଖକୁ ସିଆର୍‌ପିଏଫ୍‌ ଓ  ରାଜ୍ୟ ପୁଲିସ ଜଗିଛନ୍ତି ।  

ରବିବାର ମୁଖ୍ୟ ଶାସନ ସଚିବ ମନୋଜ  ଆହୁଜା ଜନତା ମଇଦାନକୁ ଯାଇ ପ୍ରସ୍ତୁତି ତଦାରଖ  କରିଛନ୍ତି । ସେ କହିଛନ୍ତି, ଏବେସୁଦ୍ଧା ୩୫୦୦  ପ୍ରବାସୀ ଭାରତୀୟ ପଞ୍ଜୀକରଣ କରିଛନ୍ତି । ଓଡ଼ିଶା  ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ପ୍ରବାସୀ ଭାରତୀୟ ଯେଭଳି ଏକ ଭଲ ଅନୁଭୂତି ନେଇ  ଯିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଏହା ଜରିଆରେ ପର୍ଯ୍ୟଟନର ବିକାଶ ଭଲ ସୁଯୋଗ  ରହିଛି । ରାଜ୍ୟର ପର୍ଯ୍ୟଟନସ୍ଥଳୀ, ଶିଳ୍ପ ଉଦ୍ୟୋଗ  ଓ କଳାର ବିକାଶ ହେବ । ଏହାଦ୍ୱାରା ବିଶ୍ୱସ୍ତରରେ ଓଡ଼ିଶାର ପ୍ରଚାର ହେବ । ଏହି କାର୍ଯ୍ୟକ୍ରମରେ ସାମିଲ  ହେବାକୁ ସେ ଆହ୍ୱାନ ଦେଇଛନ୍ତି ।  

ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି, ପ୍ରବାସୀ  ଭାରତୀୟ ଦିବସ ପାଇଁ ଜନତା ମଇଦାନରେ ୮୦%  କାମ ସରିଲାଣି । ୮ ତାରିଖରେ ଏକ ଘରୋଇ  ହୋଟେଲରେ ୫୦୦ ପ୍ରବାସୀ ଭାରତୀୟଙ୍କ ସହ ଏକ  ସ୍ୱତନ୍ତ୍ର ଆଲୋଚନା ହେବ । ଏହାର ବିଷୟ ରହିବ  ଇନ୍‌ଭେଷ୍ଟ ଓଡ଼ିଶା । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ  ଆଗ୍ରହୀ ଥିବା ପ୍ରବାସୀମାନେ ଏଥିରେ ସାମିଲ ହେବେ ।  ପ୍ରବାସୀମାନେ ୩୧ଟି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯିବେ । କିଛି ପ୍ରବାସୀ ଓଡ଼ିଆ ଭୁବନେଶ୍ୱର ଆସିଲେଣି ।  ସୋମବାର ସିଙ୍ଗାପୁର ଓ ଦୁବାଇରୁ ପ୍ରବାସୀ ଓଡ଼ିଆ  ପହଞ୍ଚିବେ । ୭ ତାରିଖ ସୁଦ୍ଧା ଅନ୍ୟ ଦେଶରୁ ପ୍ରବାସୀ  ଭାରତୀୟ ପହଞ୍ଚିଯିବେ । ଜନତା ମଇଦାନରେ  ପର୍ଯ୍ୟଟନ ଓ ବିକଶିତ ଓଡ଼ିଶାକୁ ନେଇ ଦୁଇଟି ଓଡ଼ିଶା  ଭିତ୍ତିକ ଅଧିବେଶନ ହେବ ବୋଲି ସେ କହିଛନ୍ତି  । 

୧୦ଟି ବିଶାଳ ହ୍ୟାଙ୍ଗର ତିଆରି ହୋଇଛି ।  ଏଥିରେ ସ୍ୱତନ୍ତ୍ର ଭାବେ ୫ଟି ପାଭିଲିୟନ୍‌ ରହିଛି ।  ଜନତା ମଇଦାନର ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ ପାଶ୍ୱର୍  ଫାଟକକୁ ଲାଗି ପ୍ରଧାନମନ୍ତ୍ରୀଙ୍କ ହୋଲ୍ଡିଂ ଏରିଆ  ତିଆରି ହୋଇଛି । ଏହା ପାଖରେ ପିଏମଓ ଅଫିସ୍‌  ପାଇଁ ସ୍ୱତନ୍ତ୍ର ହ୍ୟାଙ୍ଗର ଅଛି । ଏହାକୁ ଲାଗି ସବୁଠୁ ବଡ଼ ହ୍ୟାଙ୍ଗରରେ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ  କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ରମରେ ଏକାଧିକ  ଅଧିବେଶନ ଚାଲିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ  ଏକ ପ୍ଲେନାରୀ ହ୍ୟାଙ୍ଗର ତିଆରି ହୋଇଛି । ଏହାକୁ  ଲାଗି ଆଉ ଏକ ହ୍ୟାଙ୍ଗରରେ ଥିମ୍‌ ପାଭିଲିୟନ୍‌  ରହିଛି । ଏଠାରେ ମୋଟ ୫ଟି ପାଭିଲିୟନ୍‌ ରହିବ ।  ଓଡ଼ିଶା ପାଭିଲିୟନରେ ଐତିହ୍ୟ ଓ ସ୍ଥାପତ୍ୟ କଳାର ଝଲକ୍‌ଠାରୁ ନେଇ ମନ୍ଦିରମାଳିନୀ ସହରର ସମୃଦ୍ଧମୟ  ଇତିହାସ, ପର୍ଯ୍ୟଟନ, ନୌବାଣିଜ୍ୟ, ହସ୍ତତନ୍ତ,  ତାରକସୀ କାମ, ଶିଳ୍ପ ବିକାଶ ଓ ଆଧୁନିକ ଭିତ୍ତିଭୂମି  ବିକାଶକୁ ପ୍ରଦର୍ଶିତ କରାଯିବ । ଓଡିଆ ଭାଷା, ସାହିତ୍ୟ  ଏବଂ ସଂସ୍କୃତି ବିଭାଗ ଏହାକୁ ପ୍ରସ୍ତୁତ କରିଛି । ଏହାର ନାଁ ରହିଛି “ଗ୍ଲୋରିୟସ ଓଡ଼ିଶା: ପ୍ରାଚୀନରୁ ଆଧୁନିକ’ । ପାଭିଲିୟନକୁ ପଟ୍ଟଚିତ୍ର, ଚାନ୍ଦୁଆ ଓ  ଆଦିବାସୀ ଚିତ୍ରକଳାରେ ସୁସଜ୍ଜିତ କରାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ  ବାଲିଯାତ୍ରା ଓ ଅନ୍ୟ କୀର୍ତ୍ତିରାଜି ପ୍ରଦର୍ଶିତ ହୋଇଛି । 

‘ମଣ୍ଡାଭି ଟୁ ମସ୍କଟ୍‌’ ପାଭିଲିୟନରେ ଗୁଜୁରାଟର  ମଣ୍ଡାଭି ବନ୍ଦରରୁ ଓମାନର ମସ୍କଟ୍‌ ବନ୍ଦରର ସୁଦୀର୍ଘ  ନୌବାଣିଜ୍ୟ ଇତିହାସ ଓ ପ୍ରସ୍ତାବିତ ରୋଡ୍‌ମ୍ୟାପ  ବାବଦରେ ଅନେକ ତଥ୍ୟ ରହିଛି । ଜାତୀୟ  ଅଭିଲେଖାଗାର ପକ୍ଷରୁ ‘ଦ ରାମାୟଣ’ ପାଭିଲିୟନ୍‌  ପ୍ରସ୍ତୁତ କରାଯାଇଛି । ଏଥିରେ ରାମାୟଣର  ଗୌରବମୟ ଗାଥାକୁ ଡିଜିଟାଲ ମାଧ୍ୟମରେ  ଦେଖିହେବ । ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ସ୍ୱତନ୍ତ୍ର  ଭାବେ ଏକ ପାଭିଲିୟନ ପରିଚାଳିତ ହେବ । ଏହାର  ନାଁ ରହିବ ‘ଇନ୍‌କ୍ଲୁସିଭ୍‌ ଇଣ୍ଡିଆ’ । ଏଥିରେ ସବୁ  ସଂପ୍ରଦାୟକୁ ନେଇ କିଭଳି ବିକଶିତ ଭାରତର  ପରିକଳ୍ପନା ହୋଇଛି ତାକୁ ପ୍ରଦର୍ଶିତ କରାଯାଇଛି । ଏହା ପାଖରେ ଏକ ପ୍ରଦର୍ଶନୀ ହ୍ୟାଙ୍ଗର  ରହିବ । ଏଥିରେ ପଶାପାଲି ହସ୍ତତନ୍ତ, ତାରକସୀ  କାରୁକାର୍ଯ୍ୟ, ଟସର ହସ୍ତତନ୍ତ, କୋଟପାଡ଼ ଓ  ମାଣିଆବନ୍ଧ ହସ୍ତତନ୍ତ, ପଟ୍ଟଚିତ୍ର କାରୁକାର୍ଯ୍ୟ,  ପ୍ରସ୍ତର ଶିଳ୍ପ, ହସ୍ତଚିତ୍ରିତ ପଟ୍ଟଚିତ୍ର ଶାଢ଼ୀ, ତାଳପତ୍ର  ଖୋଦେଇ କାରୁକାର୍ଯ୍ୟକୁ ପ୍ରଦର୍ଶିତ କରାଯିବ ।  ସେହିଭଳି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ ପକ୍ଷରୁ  ମଧ୍ୟ ପ୍ରଦର୍ଶନୀ ରହିଛି। ଫୁଡ୍‌ କୋର୍ଟରେ ଓଡ଼ିଶାର  ବିଭିନ୍ନ ପ୍ରସିଦ୍ଧ ଖାଦ୍ୟ ଓ ବ୍ୟଞ୍ଜନ ଉପଲବ୍ଧ ହେବ ।  ଅନ୍ୟ ରାଜ୍ୟର ଖାଦ୍ୟ ମଧ୍ୟ ମିଳିବ । 

ନୂଆଦିଲ୍ଲୀର ଖ୍ୟାତନାମା ଦୀପାଳି ଡିଜାଇନ୍‌ସ  ଆଣ୍ଡ ଏକ୍‌ଜିବିଟ୍‌ସ ପ୍ରା.ଲିଃ ସଂସ୍ଥାକୁ ଏହି କାର୍ଯ୍ୟକ୍ରମର  ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ଦାୟିତ୍ୱ ଦିଆଯାଇଛି ।  ହ୍ୟାଙ୍ଗରଠାରୁ ନେଇ ଅନ୍ୟ ଆନୁସଙ୍ଗିକ ନିର୍ମାଣରେ  ଦିନରାତି ଲାଗିଛନ୍ତି । ଏହି ସଂସ୍ଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା,  ନ୍ୟାସନାଲ କ୍ରୀଡ଼ା, ଏସିଆ ପାସିଫିକ୍‌ କନ୍‌ଫରେନ୍ସ  ଭଳି ଅନେକ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ  ଦାୟିତ୍ୱ ତୁଲାଇଛି । କେନ୍ଦ୍ର ବୈଦେଶିକ ବ୍ୟାପାର  ମନ୍ତ୍ରାଳୟ ପକ୍ଷରୁ ଦୀପାଳି ଡିଜାଇନସ୍‌କୁ ପ୍ରବାସୀ  ଭାରତୀୟ ଦିବସର ଆୟୋଜନ ଦାୟିତ୍ୱ ଦିଆଯାଇଛି।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.