ଭୁବନେଶ୍ଵର, ୦୭/୦୧ : ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ଵର ଆସିବେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ। ପ୍ରସ୍ତୁତି ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା। ପ୍ରବାସୀମାନେ ରାଜଧାନୀର ବିଭିନ୍ନ ମନ୍ଦିର ଓ ପାର୍କ ବୁଲିବେ। ଏଥିପାଇଁ ରାଜଧାନୀବାସୀ ନିଜ ଘର ସାମ୍ନାକୁ ସଜେଇବା ସହ ଝୋଟି ଚିତା ପକାଇ ଅତିଥିଙ୍କୁ ସ୍ଵାଗତ କରିବା ପାଇଁ ନିବେଦନ କଲେ ନଗର ଉନ୍ନୟନ ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସବୁ ବିଭାଗର ମନ୍ତ୍ରୀ ଓ ଅଫିସରମାନେ ପ୍ରସ୍ତୁତି ନେଇ ଲଗାତାର ସମୀକ୍ଷା କରୁଛନ୍ତି। ପ୍ରବାସୀମାନେ ମନ୍ଦିର ମାଳିନୀ ଭୁବନେଶ୍ୱରର ସବୁ ମନ୍ଦିର ବୁଲିବେ। ଏଥିପାଇଁ ମନ୍ଦିର ଗୁଡ଼ିକ ସଫାସୁତୁରା କରିବା ସହିତ ସାଜସଜ୍ଜା କରାଯାଇଛି। ସେହିପରି ବିଭିନ୍ନ ପାର୍କରେ ମଧ୍ୟ ସ୍ୱତନ୍ତ୍ର ସାଜସଜ୍ଜା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଛି। ଏଥିସହିତ ବଡ଼ ବଡ଼ ମଲ୍, ପେଟ୍ରୋଲ ପମ୍ପ୍ ଆଦି ମାଲିକମାନେ ମଧ୍ୟ ଆଲୋକ ମାଳାରେ ନିଜ ପ୍ରତିଷ୍ଠାନ ଆଲୋକିତ କରି ସଜେଇବାକୁ ମନ୍ତ୍ରୀ ନିବେଦନ କରିଛନ୍ତି। ସେହିପରି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆହୁରି ସୁନ୍ଦର ସୁନ୍ଦର ଫୁଲ କୁଣ୍ଡ ଆଜି ରାତି ସୁଧା ବସିବ ବୋଲି ମନ୍ତ୍ରୀ କହିଛନ୍ତି।