ପ୍ରମୂଖ ଖବର
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଆଜିଠୁ ପ୍ରବାସୀ ଭାରତୀୟ ମହାକୁମ୍ଭ , ବିଶ୍ବ ଦେଖିବ ଓଡିଶାର କଳା, ସଂସ୍କୃତି ଓ ପରମ୍ପରା

Published By : Ankita S | January 8, 2025 8:44 AM

ଭୁବନେଶ୍ବର, ୮/୧୦: ଓଡ଼ିଶା ଲେଖିବ ନୂଆ ଇତିହାସ । ଜନତା ମଇଦାନରେ ଆଜିଠୁ ( ବୁଧବାର) ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ ।  ରାଜଧାନୀରେ ଉତ୍ସବର ମାହୋଲ । ଓଡ଼ିଶାରେ ଏକାଠି ହେବେ ସାରା ବିଶ୍ୱର ପ୍ରବାସୀ । ଏ ମହାକୁମ୍ଭରେ ଯୋଗ ଦେବେ ୬୦ ଦେଶର ଅତିଥି । ଗୋଟିଏ ଛାତ ତଳେ ଏକାଠି ହେବେ ପ୍ରବାସୀ ଭାରତୀୟ । ଭାବର ହେବ ଆଦାନ ପ୍ରଦାନ । ଜନ୍ମଭୂମି ଭାରତର ବିକାଶ ପାଇଁ ହେବ ମାନସ ମନ୍ଥନ । ନିବେଶ ଆସିବ । ପର୍ଯ୍ୟଟନ ବଢ଼ିବ । ଦେଶ ବିକାଶରେ ନୂଆ ଉଡ଼ାଣ ଭରିବ ।

ବିକଶିତ ଭାରତ ଗଠନର ରାଷ୍ଟ୍ରଦୂତ ସାଜିବେ ପ୍ରବାସୀ ଭାରତୀୟ । ଦେଶର ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି ଏ ଭବ୍ୟ ସମାରୋହ । ୮ରୁ ୧୦ ଯାଏଁ ୩ ଦିନ ଚାଲିବ ପ୍ରବାସୀ ମହାପର୍ବ । ପ୍ରବାସୀମାନେ ଏବେ ଓଡ଼ିଶାମୁହାଁ । ବୈଦେଶିକ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ।  ସମସ୍ତଙ୍କ ଅପେକ୍ଷା ଗୌରବମୟ ଉଦ୍‌ଘାଟନ ଉତ୍ସବକୁ । କାର୍ଯ୍ୟସୂଚୀ ଅନୁସାରେ, ୮ ତାରିଖ ମହାକୁମ୍ଭର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ମିଳିତ ଭାବେ ଶୁଭାରମ୍ଭ କରିବେ । ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍‌ସେ, ଆମେରିକା ‘ନ୍ୟୁଜୱିକ୍‌’ର ସିଇଓ ଡ.ଦେବ ପ୍ରଗାଡ଼ ଅତିଥି ଭାବେ ଯୋଗ ଦେବେ । 

ଦିନ ୯.୩୦ରୁ ୧୦.୩୦ ମଧ୍ୟରେ ଉଦ୍‌ଘାଟନ ପରେ ଆରମ୍ଭ ହେବ ପୂର୍ଣ୍ଣାଙ୍ଗ ଅଧିବେଶନ । ପ୍ରଥମ ଦିନ ‘ଦରିଆପାରି: ବୈଶ୍ୱିକ ପୃଥିବୀରେ ପ୍ରବାସୀ ଯୁବ-ଭାରତୀୟଙ୍କ ନେତୃତ୍ୱ’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହେବ । ଫ୍ଲିପକାର୍ଟ ସହ ପ୍ରତିଷ୍ଠାତା ବିନି ବଂଶଲ ଏହାକୁ ସଂଯୋଜନା କରିବେ । ଏହାପରେ ‘ଓଡ଼ିଶାରେ ନିବେଶ ସୁଯୋଗ’ ନେଇ ପ୍ରବାସୀ ନିବେଶକଙ୍କ ସହ ସ୍ୱତନ୍ତ୍ର ଆଲୋଚନା ହେବ । ଅପରାହ୍ନରେ ଓଡ଼ିଶାର ପର୍ଯ୍ୟଟନ ଓ ବିକଶିତ ଓଡ଼ିଶା ଗଠନ ନେଇ ଦୁଇଟି ଅଧିବେଶନରୋ ଚର୍ଚ୍ଚା ହେବ । ରାଜ୍ୟର ଭବିଷ୍ୟତ ଯୋଜନା ଓ ପ୍ରବାସୀଙ୍କ ସହଯୋଗ ସଂପର୍କରେ ବିଶଦ ଭାବେ ଆଲୋଚନା ହେବ । ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।  

୯ ତାରିଖରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ । ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ପ୍ରଧାନମନ୍ତ୍ରୀ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଆସି ପହଞ୍ଚିବେ । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିଜେ "ଏକ୍ସ'ରେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍‌ କାର୍ଲ କାଙ୍ଗାଲୁ । ପୂର୍ବାହ୍ନ ୧୦ରୁ ୧୧.୩୦ ଯାଏଁ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଚାଲିବ । ଅପରାହ୍ନ ୨.୩୦ରୁ ୪ଟା ଓ ୪.୧୫ରୁ ୫.୪୫ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ସନ୍ଧ୍ୟା ୭ଟାରୁ ୮ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । 

ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି ଚନ୍ଦକା ସ୍ଥିତ ଗୋଡ଼ିବାରି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି ।  ସେହିଭଳି ଜାନୁଆରୀ ୧୦ରେ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦ୍‌ଯାପନୀ ଉତ୍ସବରେ ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ । ସକାଳ ୯.୩୦ରୁ ୧୧ଟା ଓ ୧୧.୧୫ରୁ ୧୨.୪୫ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ । ଅପରାହ୍ନ ୩ଟାରୁ ୪.୪୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହେବ । 

୩ ଦିନରେ ୫ଟି ବିଷୟରେ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି । ‘ପ୍ରବାସୀଙ୍କ ଦକ୍ଷତାର କାହାଣୀ’, ‘ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଅବଦାନ’, ‘ ପ୍ରବାସୀ ଦିବସ: ମହିଳା ନେତୃତ୍ୱ ଓ ପ୍ରଭାବ – ନାରୀ ଶକ୍ତି’ ଏବଂ ଶେଷ ଅଧିବେଶନରେ ‘ସଂସ୍କୃତି, ସଂଯୋଗ ଏବଂ ସମ୍ପୃକ୍ତିର କାହାଣୀ’ ବିଷୟରେ ବିଶଦ ଆଲୋଚନା ହେବ ।  ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଭାରତ ପ୍ରତି ପ୍ରବାସୀ ଭାରତୀୟଙ୍କ ଚିନ୍ତାଧାରା, ସେମାନଙ୍କର ଭାବନାକୁ ଦେଶବାସୀଙ୍କ ନିକଟରେ ପ୍ରକାଶ କରିବା ସହ ସକରାତ୍ମକ କଥାବାର୍ତ୍ତା ପାଇଁ ଏହି ଦିବସ ମଞ୍ଚ ଯୋଗାଇ ଆସୁଛି । ଏହାଛଡ଼ା ନିଜ ନିଜ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟମାନଙ୍କୁ ସମ୍ମାନିତ କରିବା, ସେମାନଙ୍କଠାରୁ ଦେଶବାସୀ କ’ଣ ଆଶା କରୁଛନ୍ତି ସେ ବିଷୟରେ ଜଣାଇବା ଏବଂ ଭାରତର ଯୁବପିଢୀକୁ ପ୍ରବାସୀ ଭାରତୀୟଙ୍କ ସହ ଯୋଡ଼ିବାରେ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । 

ଭାରତକୁ ଅଧିକ ନିବେଶ ଆସିବା ସହ ବିଭିନ୍ନ କ୍ଷେତ୍ରରେ ନୂଆ ଚିନ୍ତାଧାରକୁ ନେଇ ବିକାଶ ଦିଗରେ ଏହି ମଞ୍ଚ ବେଶ ସହଯୋଗ କରି ଆସୁଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଯେଉଁ ଲକ୍ଷ୍ୟ ରଖାଯାଇଛି ତା’କୁ ସଫଳ କରିବାରେ ଏ ସମ୍ମିଳନୀ ବେଶ ସହାୟକ ହେବ ବୋଲି କୁହାଯାଉଛି ।  ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ସାରା ସହର ରଙ୍ଗୀନ ଆଲୋକମାଳାରେ ଝଲସୁଛି । କାନ୍ଥ କହୁଛି ଓଡ଼ିଆ ଅସ୍ମିତାର କଥା । ଏହି ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାର ସୁଯୋଗ ଓଡ଼ିଶା ପାଇଥିବାରୁ ଏହାକୁ ସଫଳ କରିବା ସହ ରାଜ୍ୟ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଫୁଲ ଦମରେ ଅଣ୍ଟା ଭିଡ଼ିଛନ୍ତି । 

ସହର ଏବେ ଉତ୍ସବମୁଖର । ଆଦିବାସୀ ମେଳା, ଏକାମ୍ର ଉତ୍ସବ, ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ଡ୍ୟାନ୍‌ସ ଫେଷ୍ଟିଭାଲ, ଦେଶୀୟ ଲୋକ ନୃତ୍ୟ ଓ ସଂଗୀତ ଉତ୍ସବ, ଏକାମ୍ର ପୁଷ୍ପ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଭୁବନେଶ୍ୱର, କଟକ, ପୁରୀ, କୋଣାର୍କ ଆଦି ବିଭିନ୍ନ ସହରର ପ୍ରାୟ ୩୧ଟି ପର୍ଯ୍ୟଟନସ୍ଥଳୀକୁ ଅତିଥିମାନଙ୍କୁ ପରିଭ୍ରମଣ କରିବାର ବ୍ୟବସ୍ଥା କରିଛନ୍ତି ସରକାର । ଏହି ମେଗା କାର୍ଯ୍ୟକ୍ରମ ଖବର ସଂଗ୍ରହ ପାଇଁ ୨୦୦ରୁ ଅଧିକ ପ୍ରବାସୀ ସାମ୍ବାଦିକ, ୭ଟି ଦେଶରୁ ୟୁଟ୍ୟୁବର ଓ ବ୍ଲଗରଙ୍କ ସହ ଜାତୀୟ ଗଣମାଧ୍ୟମର ଶତାଧିକ ପ୍ରତିନିଧି ଓଡ଼ିଶା ଆସିଛନ୍ତି । ଆଇନ ଶୃଙ୍ଖଳା ସହ ଟ୍ରାଫିକ ପରିଚାଳନାକୁ ଫୋକସ୍‌ କରାଯାଇଛି ।  ପ୍ରବାସୀ ମହାକୁମ୍ଭ ଓଡ଼ିଶା ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ । ବିଶ୍ୱ ଦେଖିବ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ । ଏ ସମ୍ମିଳନୀ ଓଡ଼ିଶା ପାଇଁ ଆଣିଛି ଗୌରବର ମୁହୂର୍ତ୍ତ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.