ନୂଆଦିଲ୍ଲୀ,୦୬/୦୧: କ୍ରିକେଟ କିମ୍ବଦନ୍ତୀ ୧୯୮୩ ବିଶ୍ବକପର ସୁପର ହିରୋ କପିଳ ଦେବ । ଭାରତରେ କ୍ରିକେଟକୁ ଦେଇଥିଲେ ପରିଚୟ । ଦେଶକୁ ପ୍ରଥମ ଦିନିକିଆ ବିଶ୍ବ କପ ଭେଟି ଦେଇଥିବା ଏହି ମହାନ କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କର ଆଜି ଜନ୍ମଦିନ । ୬୬ ବର୍ଷରେ ପାଦ ଥାପିଛନ୍ତି ସେ । ଭାରତୀୟ ପୂର୍ବତନ କ୍ରିକେଟର ତଥା ଅଧିନାୟକ କପିଳ ଦେବଙ୍କୁ ଜନ୍ମ ଦିନରେ ଛୁଟିଛି ଶୁଭେଚ୍ଛାର ସୁଅ ।
କ୍ୟାପ୍ଟେନ କପିଳ ଦେବ- ୧୯୫୯ ଜାନୁଆରୀ ୬ ତାରିଖରେ ଚଣ୍ଡିଗଡରେ କପିଳ ଦେବଙ୍କ ଜନ୍ମ । ଡିଏଭି ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା କରିଥିଲେ । ପିଲାଦିନୁ ତାଙ୍କର ଖେଳରେ ରୁଚି ଓ ପ୍ରତିଭା ଦେଖି ପ୍ରେମ ଆଜାଦଙ୍କ ପାଖକୁ କ୍ରିକେଟ ଶିଖିବାକୁ ପଠାଇଥିଲେ ବାପାମାଆ । ଭାରତରେ ସିନେମା ଓ ରାଜନୀତି ଓ କ୍ରିକେଟ ବହୁତ ପ୍ରସିଦ୍ଧ । ସମୟ ଥିଲା କ୍ରିକେଟ ବିଷୟରେ କେହି ଜାଣି ନଥିଲା । ମାତ୍ର ଦେଶରେ କ୍ରିକେଟକୁ ପରିଚିତ କରାଇଥିଲେ କପିଳ ଦେବ । ୧୯୭୮ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ କପିଳ । ୧୯୮୩ରେ ଦେଶ ପାଇ ପ୍ରଥମ ଦିନିକିଆ ବିଶ୍ବକପ ଜିତି ଇତିହାସ ରଚିଥିଲେ । ଅଲରାଉଣ୍ଡର ଥିଲେ କପିଳ ଦେବ । ୧୯୭୮ରେ ଦିନିକିଆରେ ପଦାର୍ପଣ କରିଥିଲେ । ସେହି ବର୍ଷ ଟେଷ୍ଟ ଡେବ୍ୟୁ ବି କରିଥିଲେ । ଏହା ପରେ ଭାରତୀୟ ଦଳରେ ପରମାନେଣ୍ଟ ଜାଗା ତିଆରି କରି ଦେଇଥିଲେ । ଭାରତ ପାଇଁ ସେ ୧୩୧ ଟି ଟେଷ୍ଟ ମ୍ୟାଚ ଖେଳି ୪୩୪ ୱିକେଟ ନେଇଛନ୍ତି । ୨୨୫ଟି ଦିନିକିଆ ଖେଳି ୨୫୩ଟି ୱିକେଟ ହାସଲ କରିଥିଲେ । ୧୯୯୪ରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେବେ ସେ ଭାରତର ସର୍ବାଧିକ ୱିକେଟ ଟେକର ବୋଲର ଥିଲେ ।
୧୯୮୩ ବିଶ୍ବକପର ସୁପର ହିରୋ ଥିଲେ କପିଳ ଦେବ । ଫାଇନାଲରେ ୱେଷ୍ଟ ଇଣ୍ଡିଜକୁ ମାତ ଦେଇ ଦେଶ ପାଇଁ ପ୍ରଥମ ବିଶ୍ବକପ ଭେଟି ଦେଇଥିଲେ । କପିଳ ଦେବଙ୍କ ନେତୃତ୍ବରେ ବିଶ୍ବକପ ଫାଇନାଲ ଖେଳିଥିଲା ଭାରତ । ସେବେ ଶକ୍ତିଶାଳୀ ବୋଲାଉଥିଲା ୱେଷ୍ଟଇଣ୍ଡିଜକୁ ୪୩ ରନରେ ହରାଇ ବିଶ୍ବ ବିଜୟୀ ହୋଇଥିଲା । ଏହି ସଫଳତା ପରେ କ୍ରିକେଟରେ ଭାରତର ଶକ୍ତି ଦେଖିଥିଲା ବିଶ୍ବ ।
ବିବାଦ- ମହାନ କ୍ରିକେଟର ପରିଚୟ ପାଇଥିବା କପିଳ ଦେବ ମଧ୍ୟ ବିବାଦରେ ପଡିଥିଲେ । ୨୦୦୦ ମସିହାରେ କପିଳ ଦେବଙ୍କ ସାଥୀ ଖେଳାଳି ମନୋଜ ପ୍ରଭାକର ତାଙ୍କ ଉପରେ ମ୍ୟାଚ ଫିକ୍ସିଂ କରିବା ନେଇ ଅଭିଯୋଗ କରିଥିଲେ । ୧୯୯୪ରେ ଏକ ମ୍ୟାଚରେ ପାକିସ୍ତାନର ସାଥୀ ଖେଳାଳିଙ୍କୁ ଖରାପ ପ୍ରଦର୍ଶନ କରିବାକୁ କହିଥିବା ଅଭିଯୋଗ ଆଣିଥିଲେ ମନୋଜ । ଯାହା ଫଳରେ କପିଳ ଦେବଙ୍କୁ ଭାରତୀୟ କୋଚ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ୨୦୦୭ ମେ ମାସରେ କପିଳ ଦେବ ଇଣ୍ଡିଆନ କ୍ରିକେଟ ଲିଗର ଆରମ୍ଭ କରିଥିଲେ । ବିସିସିଆଇ ଏହାର ବିରୋଧ କରିଥିଲା । ସମସ୍ତ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାପରେ ନ୍ୟାସନାଲ କ୍ରିକେଟ ଏକାଡେମୀର ଚେୟାମମ୍ୟାନ ପଦରୁ ଇସ୍ତଫା ଦେଇଥିଲେ କପିଳ ଦେବ ।
କିପଳଙ୍କ ପୁରସ୍କାର- କ୍ରିକେଟ ଜଗତରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ତାଙ୍କୁ ଅନେକ ପୁରସ୍କାର ପ୍ରଦାନ କରାଯାଇଛି । ୧୯୭୯ରେ ତାଙ୍କୁ ଅର୍ଜୁନ ଆୱାର୍ଡ, ୧୯୮୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୧୦ରେ ଆଇସିସି କ୍ରିକେଟ ହଲ ଅଫ୍ ଫେମ, ୨୦୧୩ ରେ ଦି ୨୫ ଗ୍ରେଟେଷ୍ଟ ଗ୍ଲୋବାଲ ଲିଭିଙ୍ଗ ଲେଜେଣ୍ଡ, ୨୦୧୩ରେ ସି କେ ନାୟୁଡୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ମିଳିଥିଲା ।