ମୁମ୍ବାଇ,୦୬/୦୧: କୌଣସି ଯୁବତୀଙ୍କୁ ଥରେ ପିଛା କରିବା ଆଇପିସି ଧାରା ୩୫୪(ଡି) ଅନୁସାରେ ପିଛା କରିବା ଶ୍ରେଣୀରେ ଆସୁନାହିଁ । ଆଇନ ଅନୁସାରେ ବାରମ୍ବାର ପିଛା କରିବା ହିଁ ଅପରାଧ ବିବେଚିତ ହେବ । ବମ୍ବେ ହାଇକୋର୍ଟ ଏକ ମାମଲାର ରାୟ ପ୍ରଦାନ କରି ଏହା କହିଛନ୍ତି ।
ବିଚାରପତି ଜି ଏ ସନପ ଯୌନ ଉତ୍ପୀଡ଼ନ ମାମଲାର ଦୁଇଜଣ ୧୯ ବର୍ଷୀୟ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଉଭୟଙ୍କ ବିରୋଧରେ ୧୪ ବର୍ଷର ନାବାଳିକାଙ୍କୁ ଯୌନ ଶୋଷଣ କରିବା ଏବଂ ଜୋର ଜବରଦସ୍ତ ଘରେ ପଶିବା ନେଇ ଅଭିଯୋଗ ରହିଥିଲା । ଜଷ୍ଟିସ୍ ସନପ କହିଛନ୍ତି, କୌଣସି ନାବାଳିକାଙ୍କୁ ପିଛା କରିବାର ଗୋଟିଏ ଘଟଣାକୁ ଅପରାଧ ବିବେଚନା କରାଯାଇ ପାରିବ ନାହିଁ ।
ଉଲ୍ଲେଖଯୋଗ୍ୟ, ମାମଲାଟି ୨୦୨୦ ଜାନୁଆରୀର । ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ନାବାଳିକାଙ୍କର ପିଛା କରିବା ସହ ତାଙ୍କୁ ବିବାହ ପାଇଁ ଇଚ୍ଛାପ୍ରକାଶ କରିଥିଲା । ସେ ମନାକରିବା ସତ୍ତେ୍ୱ ଅଭିଯୁକ୍ତ ମାନି ନ ଥିଲା । ଏମିତି କି ଝିଅଟିର ମାଆ ଏ ବାବଦରେ ଅଭିଯୁକ୍ତର ପରିବାରକୁ ଜଣାଇଥିଲେ । ତଥାପି ଅଭିଯୁକ୍ତ ନାବାଳିକାକୁ ହଇରାଣ କରିବା ଜାରି ରଖିଥିଲା ।
୨୦୨୦ ଅଗଷ୍ଟ ୨୬ରେ ନାବାଳିକାଙ୍କ ଘରେ ଅଭିଯୁକ୍ତ ପଶି ତାଙ୍କ ମୁହଁ ବନ୍ଦ କରିବା ସହ ଦୁର୍ବ୍ୟବହାର କରିଥିଲା । ଏହି ସମୟରେ ଅନ୍ୟ ଅଭିଯୁକ୍ତ ଘର ବାହାରେ ପହରା ଦେଇଥିଲା । ତଳ କୋର୍ଟ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ମାମଲା ଦାୟର କରିଥିଲେ । ବମ୍ବେ ହାଇକୋର୍ଟ ମୁଖ୍ୟ ଅଭିଯୁକ୍ତର ଦଣ୍ଡ କୋହଳ କରିବା ସହ ଅନ୍ୟ ଅଭିଯୁକ୍ତକୁ ମୁକ୍ତ କରିଛନ୍ତି । ସେ କେବଳ ଘର ବାହାରେ ଛିଡ଼ା ହୋଇଥିଲା ଏବଂ କୌଣସି ଅପରାଧ ଘଟାଇ ନ ଥିବା ଜଷ୍ଟିସ ସନପ କହିଛନ୍ତି । ମୁଖ୍ୟ ଅଭିଯୁକ୍ତ ଅଢ଼େଇ ବର୍ଷ ହେଲା ସଜା କାଟିଥିବାରୁ ତା’ର ଦଣ୍ଡ କୋହଳ ହୋଇଛି ।