ରାୟପୁର,୦୬/୦୧: ବିଭତ୍ସ, ଭୟଙ୍କର, ଲୋମଟାଙ୍କୁରା, ଛାତିଥରା । ସବୁ ସୀମା ଟପିଯାଇଥିଲା କ୍ରୁରତା । ମୁଣ୍ଡରେ ଥିଲା ୧୫ ଆଘାତ ଚିହ୍ନ । ଫାଟି ଯାଇଥିଲା ଛାତି । ୪ ଖଣ୍ଡ ହୋଇଥିଲା କଲିଜା । ବେକ ହାଡ ଭାଙ୍ଗି ଗୁଣ୍ଡ ଗୁଣ୍ଡ ହୋଇଥିଲା । ଛତିଶଗଡ ବିଜାପୁରରେ ଯୁବ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଏହି ପରି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଛି ଏହି ବର୍ବରତା । ଯାହା ସମସ୍ତଙ୍କୁ ଚକିତ କରିଛି । ସେପଟେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସୁରେଶ ଚନ୍ଦ୍ରକାର ହାଇଦ୍ରାବାଦରୁ ଗିରଫ ହୋଇଛି ।
ଗତ ୩ ତାରିଖରେ ଛତିଶଗଡ ବିଜାପୁର ଜିଲ୍ଲାର ଜଣେ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ସେଥିରେ ତାଙ୍କୁ କିପରି ବର୍ବରତାର ସହ ହତ୍ୟା କରାଯାଇଥିବା କହିଛନ୍ତି ଡାକ୍ତର । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୨ ବର୍ଷ କ୍ୟାରିୟରରେ ଏପରି ଘଟଣା ପ୍ରଥମ ବୋଲି କହିଛନ୍ତି ପୋଷ୍ଟମର୍ଟମ କରିଥିବା ଡାକ୍ତର । ସେପଟେ ଘଟଣାର ୩ ଦିନ ପରେ ରବିବାର ରାତିରେ ହାଇଦ୍ରାବାଦରୁ ମୁଖ୍ୟ ଅଭିଯୁକ୍ତ ଠିକାଦାର ସୁରେଶ ଚନ୍ଦ୍ରକାରକୁ ହାଇଦ୍ରାବାଦରୁ ଗିରଫ କରିଛି ପୋଲିସ । ସେ ହାଇଦ୍ରାବାଦରେ ତାର ଡ୍ରାଇଭର ଘରେ ଲୁଚି ଥିଲା । ୨୦୦ ସିସିଟିଭି ଫୁଟେଜ ଯାଞ୍ଚ ଓ ୩୦୦୦ ମୋବାଇଲ ଟ୍ରେସ କରିବା ପରେ ସୁରେଶର ପତ୍ତା ମିଳିଥିଲା । ପୋଲିସ ସୁରେଶକୁ ପଚରା ଉଚରା ଜାରି ରଖିଛି । ସେ ମୁକେଶଙ୍କ ଦୂର ସମ୍ପର୍କୀୟ ହୋଇଥିବା ଜଣାପଡିଛି । ସୁରେଶର ପତ୍ନୀକୁ ମଧ୍ୟ ଛତିଶଗଡ ପୋଲିସ ହେପାଜତକୁ ନେଇ ପଚରାଉଚରା କରୁଛି । ସୁରେଶ ବ୍ୟାଙ୍କ ଆକାଉଣ୍ଟ ସିଜ କରାଯାଇଛି ।
୧ ତାରିଖ ଦିନୁ ମୁକେଶ ଚନ୍ଦ୍ରକାର ଘରୁ ବାହାରକୁ ଯାଇଥିଲେ ଆଉ ଫେରି ନଥିଲେ । ୨ ତାରିଖ ଦିନ ମୁକେଶଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କୁ ଖୋଜିବାକୁ ଏକ ଟିମ୍ ଗଠନ କରିଥିଲା । ମୁକେଶଙ୍କ ମୋବାଇଲ ଫୋନରେ ଶେଷ ଲୋକେସନକୁ ଟ୍ରାକ କରି ସୁରେଶ ଚନ୍ଦ୍ରକାର ନାମକ ଜଣେ ଠିକାଦାରଙ୍କ ଘର ସେପ୍ଟିକ ଟ୍ୟାଙ୍କରୁ ମୃତଦେହ ଉଦ୍ଧାର କରିଥିଲା । ଟାଟୁରୁ ତାଙ୍କୁ ଚିହ୍ନଟ କରାଯାଇଥିଲା ।
ତାଙ୍କୁ ହତ୍ୟା କରାଯାଇ ଟ୍ୟାଙ୍କରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ମୁକେଶଙ୍କ ଭାଇ । କିଛି ଦିନ ତଳେ ଠିକାଦାର ସୁରେଶ ଚନ୍ଦ୍ରକାର ଏକ ସଡକ ନିର୍ମାଣ କରିଥିଲେ । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଖବର ପ୍ରସାରଣ କରିଥିଲେ ମୁକେଶ । ସେଥିପାଇଁ ସମ୍ପୃକ୍ତ ଠିକାଦାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମୁକେଶଙ୍କ ଭାଇ । ଘଟଣା ନେଇ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଦୁଃଖ ପ୍ରକାଶ କରିବା ସହ ହତ୍ୟାକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି କହିଥିଲେ ।