ମଥୁରାନଗରୀ,: ବିଶ୍ୱ ପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ତୃତୀୟ ଦିବସର ନାଟ୍ୟାଭିନୟରେ ବିଜୁଳିକନ୍ୟାର ଶୂନ୍ୟ ବାଣୀ ସହ ଅନ୍ୟାନ୍ୟ ଦୃଶ୍ୟ ଅଭିନୀତ ହୋଇଛଇ । ପିତାଙ୍କୁ ନଗ୍ର ବାହାର ଦଣ୍ଡ, ଭଉଣୀକୁ ଗର୍ଭଦଣ୍ଡ, ଜାମାତାକୁ କାରାଦଣ୍ଡ, ମହାମନ୍ତ୍ରୀ ଅକ୍ରୁରଙ୍କୁ ବିତାଡ଼ତି ଦଣ୍ଡ ସହିତ ଋଷିମୁନିଙ୍କୁ ମୃତ୍ୟୁଦଣ୍ଡ ଦେଇ ଉଦଣ୍ଡ ହୋଇଥିବା ମହାରାଜା କଂସ ଦେବକୀର ସପ୍ତମ ଗର୍ଭ ହରଣ ପରେ ପାଗଳପ୍ରାୟ ହୋଇଛନ୍ତି । ଅଷ୍ଟମ ଗର୍ଭ ନିଜ ହାତରୁ ଖସି ଉଡ଼ଯିବା ସହ କଂସ ମୃତ୍ୟୁର କାରଣ କହି ଅଟ୍ଟହାସ୍ୟ କରିବା ପରେ କଂସ ଭୟଭୀତ ହୋଇଛନ୍ତି । ପ୍ରତ୍ୟେକ ପ୍ରଜାଙ୍କୁ ନିଜର ଶତ୍ରୁ ବିବେଚନା କରୁଥିବା କଂସ ଦୈବୀବାଣୀ ପରେ ରାଜକାର୍ଯ୍ୟ ଅପେକ୍ଷା ନିଜ ମୃତ୍ୟୁ ଚିନ୍ତାରେ ଅଧିକ ସମୟ ବିତାଉଛନ୍ତି । ଶୂନ୍ୟକୁ ଉଡିଯାଇଥିବା ବିଜୁଳିକନ୍ୟାର ହସ ଓ କଂସର ମୃତ୍ୟୁ ଚେତାବନୀ ସହିତ କଂସ ମୁହଁରେ ଦେଖା ଦେଇଥିବା ସ୍ୱେଦବିନ୍ଦୁ ଓ ଭୟର ଚିହ୍ନ ଧନୁଯାତ୍ରାକୁ ଆହୁରି ଜୀବନ୍ତ କରିପାରିଥିଲା ।
ବରଗଡ଼ ଧନୁଯାତ୍ରାର ତୃତୀୟ ଦିବସରେ ରାଜଉଆସରୁ ନଗର ଭ୍ରମଣରେ ବାହାରି ମଥୁରା ନରେଶ ମହାରାଜା କଂସ ମନାବନ୍ଧପଡ଼ା ଦେଇ କାଳୀମନ୍ଦିର ଛକସ୍ଥିତ ଶ୍ୟାମେଶ୍ୱର ବାବାଙ୍କ ମନ୍ଦିରରେ ପହଞ୍ଚି ଥିଲେ । ଚିରାଚରିତ ଭାବେ ପ୍ରଜାଙ୍କ ଉପରେ କର, କଷଣ ଦେଇ ମହାରାଜା କଂସ ଅତ୍ୟାଚାରରେ ନିଜକୁ ଭୁଲାଇବା ପାଇଁ ଚେଷ୍ଟା କରୁଥିଲେ ବି ଭଉଣୀ ବାହାଘର ବେଳର ଶୂନ୍ୟବାଣୀ ତାଙ୍କୁ ପ୍ରତିକ୍ଷଣରେ ଅସ୍ଥିର କରିଦେଉଥିଲା । ଶୈବଧର୍ମ ଉପରେ ଅଗାଢ଼ ବିଶ୍ୱାସ ଯୋଗୁଁ ତାଙ୍କୁ ଆରାଧ୍ୟ ଦେବତା ତାରଣକର୍ତ୍ତା ମହାଦେବଙ୍କ ଶରଣାପନ୍ନ ହୋଇଥିଲେ । ମରଣର ନିରାକରଣ ଆଶାରେ ଭୟାତୁର କଂସ ଉଦ୍ୱିଗ୍ନ ମନରେ ମଥୁରାକଟକର ଶ୍ୟାମେଶ୍ୱର ବାବାଙ୍କୁ ପୂଜା କରି ଦୈବୀବାଣୀରୁ ମୁକ୍ତି ପାଇଁ ପ୍ରାର୍ଥନା କରିଥିଲେ ।
ସେଠାରୁ ରାଜଦରବାରକୁ ଫେରି ନିତ୍ୟ ନୈମିତ୍ୟ ଦରବାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରାଜ୍ୟର ଚିନ୍ତା ବଦଳରେ ସେହି ସମାନ ନିଜର ଜୀବନ ଚିନ୍ତା କରି ଦେବକୀର ଅଷ୍ଟମ ଗର୍ଭକୁ ନଷ୍ଟ କରିବାପାଇଁ ପାତ୍ରମନ୍ତ୍ରୀଙ୍କ ସହିତ ଆଲୋଚନା ଓ ମନ୍ତ୍ରଣା ସହ ନାନାବିଧ ମସୁଧା ଓ ଷଡ଼ଯନ୍ତ୍ର କରିଥିଲେ । ଠିକ୍ ଏ ସମୟରେ ଧଇଁସଇଁ ହୋଇ ଦରବାରକୁ ଦୌଡ଼ିଆସିଥିବା କାରାଗାର ରକ୍ଷୀଙ୍କ ଠାରୁ ଦେବକୀଙ୍କ ଅଷ୍ଟମ ଶିଶୁ ଜନ୍ମ ସୂଚନା କଂସକୁ କରିଦେଇଥିଲା ବ୍ୟସ୍ତବିବ୍ରତ । କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତ କରିବା ପାଇଁ କଟୁଆଳ, ରକ୍ଷୀମାନଙ୍କୁ ନିର୍ଦ୍ଦେଶ ଦେଇ ଭୟମିଶା କ୍ରୋଧରେ ତୁରନ୍ତ କାରାଗାରଭିମୁଖୀ ହୋଇଥିଲେ ମହାରାଜା କଂସ। ବନ୍ଦୀଥିବା ଭଉଣୀ ଭିଣୋଇଙ୍କୁ ତାଙ୍କର ଅଷ୍ଟମ ସନ୍ତାନକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମହାରାଜ କଂସ । ବାରମ୍ବାର କ୍ଷତାକ୍ତ ହୋଇଥିବା ଶିଶୁ ବିରହିଣୀ ଦେବକୀ ଶିଶୁଟିକୁ ଚାପିଧରି ଏଥର ଛାଡ଼ିଦେବାକୁ କୋହଭରା କଣ୍ଠରେ ଆକୁଳ ନିବେଦନ କରିଥିଲେବି ବଡ଼ଭାଇ ଶୁଣି ନଥିଲେ ।
୭ ଭଣଜାକୁ କଚାଡ଼ି ମାରିସାରିଥିବା ମାମୁଁ ଅଷ୍ଟମ ଶିଶୁର କୁଆଁ କୁଆଁ ଡ଼ାକରେ ଆହୁରି ବ୍ୟସ୍ତ ବିବ୍ରତ ହୋଇଯାଇ କଂସ ଭଉଣୀ ଭିଣୋଇଙ୍କ ନିବେଦନକୁ ପ୍ରତ୍ୟାଖ୍ୟାନ କରି ରାଗ ଜର୍ଜରିତ ହୋଇ ଭିଣୋଇଙ୍କୁ ଛିଂଚାଡ଼ିଦେଇ ଦେବକୀକୁ ପଦପ୍ରହାର କରିବାକୁ ପଛେଇ ନଥିଲେ । ଭଉଣୀ କୋଳରୁ ନବଜାତକକୁ ଛଡ଼ାଇ ଆଣି ନିକଟରେ ଥିବା ଦର୍ପଣ ଶିଳାରେ କଚାଡ଼ି ଦେଇଥିଲେ । ମାତ୍ର ଶିଳାରେ ପଡି଼ବା ପୂର୍ବରୁ ହିଁ ଶିଶୁଟି ଉପରକୁ ଉଡ଼ିଯାଇଥିଲା ଏବଂ ନିଜକୁ ବିଜୁଳିକନ୍ୟା ଭାବେ ପରିଚୟ ଦେଇ ଅଟ୍ଟହାସ୍ୟ କରି ‘ତୋତେ ମାରିବ ଯିଏ, ଗୋପରେ ବଢ଼ୁଛି ସିଏ' ବୋଲି ଚେତାବନୀ ଦେଇ ଆହୁରି ଉପରକୁ ଉଠିଯାଇ ଶୂନ୍ୟରେ ମିଳେଇ ଯାଇଥିଲା ।
କ୍ଷଣିକ ଭିତରେ ସ୍ୱପ୍ନ ଭଳି ଘଟିଯାଇଥିବା ଘଟଣାକ୍ରମରେ କଂସ ଅବାକ ହୋଇଯାଇଥିବା ବେଳେ କିଛିକ୍ଷଣ ପରେ ଚିତ୍କାର କରିଥିଲେ । ରଙ୍ଗମହଲକୁ ଆସିଥିଲେ ମହାରାଜ କଂସ ରଙ୍ଗମହଲ ଦାୟିତ୍ୱରେ ଥିବା ମହାମନ୍ତ୍ରୀ ସାର୍ତ୍ତକୀଙ୍କୁ କାହାରି ଉପରେ ଭରସା ନକରି ରଣସଜ୍ଜା କରିବାକୁ ଆଦେଶ ଦେଇଥିଲେ । ଭୟ ଓ ଆବେଗ ତଥା ମୃତ୍ୟୁର ଭବିଷ୍ୟତ ବାଣୀକୁ ମାନସ ପଟଳରୁ କାଢ଼ିବା ପାଇଁ ସୁରା ଓ ସାକୀର ସହାୟତା ନେଇ ମହାମନ୍ତ୍ରୀ ଶକ୍ରାଜିତଙ୍କୁ ନୃତ୍ୟ ଗୀତର ଆସର ପାଇଁ ନିର୍ଦ୍ଦଶେ ଦେଇଥିଲେ । ମହାମନ୍ତ୍ରୀ ଶକ୍ରାଜିତଙ୍କ ଘୋଷଣା କ୍ରମେ ମଥୁରା ତଥା ପଡୋଶୀ କରଦ ରାଜ୍ୟମାନଙ୍କରୁ ଆସିଥିବା ନୃତ୍ତ୍ୟଙ୍ଗନାମାନେ ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ମହାରାଜା କଂସଙ୍କ ମନ ମୋହିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ଉଭୟ ରାଜଦରବାର ଓ ରଙ୍ଗମହଲରେ ଭୁବନେଶ୍ୱରର ପୂର୍ଣ୍ଣାଙ୍ଗ ଅନୁଷ୍ଠାନ ଓଡ଼ଶୀ ନୃତ୍ୟ ପରିବେଷଣ କରିଥିବା ବେଳେ କନକବିରାର ବାରପାହାଡ଼ କଳାପରିଷଦ, ବରଗଡ଼ର ପାନପତ୍ରୀ କଳାପରିଷଦ, ସିଂଘେନପାଲିର ଛୁମକୁଛୁମା କଳାପରିଷଦ, ବରଗଡ଼ର ସାନ ଡ଼େନ୍ସ ଏକାଡ଼େମୀ, ଟିଟିଲାଗଡ଼ ବାନ୍ଦୁପଲାର ବୀଣାପାଣି କଳା ପରିଷଦ, ବରଗଡ଼ର ଢ଼ଲିଆଖୁସା, ତୋରାର ବୋଧନ ସାଂସ୍କୃତିକ ଅନୁଷ୍ଠାନ, ସୁନ୍ଦରଗଡ଼ର ଭାରତୀ କଳାକେନ୍ଦ୍ର, ବରଗଡ଼ର ସମଲେଶ୍ୱରୀ କଳାପରିଷଦ, ସାନସାହାଜବାହାଲର କୁରେଫୁଲର ଝୁପା, ବରଗଡ଼ର ଭାରତୀ କଳାକେନ୍ଦ୍ର ତଥା ଇଜେଡ଼ସିସି ତରଫରୁ ଆସିଥିବା ଦୁଇ ଜାତୀୟ ଦଳ ପୁରୁଲିଆର ଛଉ ଏବଂ କୋଲକାତାର ଆଦି ନୃତ୍ୟ ଏକାଡ଼େମୀ ବିଭିନ୍ନ ନୃତ୍ୟ ଓ ଲୋକନୃତ୍ୟ ପରିବେଷଣ କରିଥିଲେ । ସାଂସ୍କୃତିକ କମିଟିର ଆବାହକ ଗୋପାଳକୃଷ୍ଣ ଦାଶଙ୍କ ସଂଯୋଜନାରେ କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଜି ରାଜଦରବାର ଓ ରଙ୍ଗମହଲ ଦରବାରରେ ରାଜ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ମହରାଜା କଂସଙ୍କ ସହିତ ଭାବ ବିନିମୟ କରିଥିଲେ।