ପ୍ରମୂଖ ଖବର
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ଏଡ୍‌ସ ପ୍ରବଣ ଜିଲ୍ଲା ଗଞ୍ଜାମ; ୮୦ ପଞ୍ଚାୟତରେ ସୀମିତ ସଚେତନତା, ଏଡ୍‌ସମୁକ୍ତ ସମ୍ଭାବନା ଏବେ ବି ବହୁ ଦୂରରେ

Published By : Prameya | January 6, 2025 4:30 PM

ବ୍ରହ୍ମପୁର, ୬।୧: ଦେଶର ଟପ୍‌ ଟେନ୍‌ରେ ଥିବା ଏଡ୍‌ସ୍‌ ପ୍ରବଣ ଜିଲ୍ଲା ଗଞ୍ଜାମରେ ସଂକ୍ରମଣ ଓ ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ ହୋଇଥିଲେ ହେଁ ଏହା ଆଖିଦୃଶିଆ ନୁହେଁ । ଏଡ୍‌ସମୁକ୍ତ ଗଞ୍ଜାମ ସମ୍ଭାବନା ଏବେ ବି ବହୁଦୂରରେ ଥିବା ଅନୁମାନ କରାଯାଉଛି । ରାଜ୍ୟରେ ୬୩, ୪୩୭ ସଂକ୍ରମିତ ଥିବା ବେଳେ ଗଞ୍ଜାମରେ ଏହି ସଂଖ୍ୟା ୧୮,୪୮୪ । ଅର୍ଥାତ୍‌ ରାଜ୍ୟର ୩୧ ପ୍ରତିଶତ ପଜିଟିଭ୍‌ ଗଞ୍ଜାମ ଜିଲ୍ଲାରେ । ସବୁ ବର୍ଷ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଏବେ ଜିଲ୍ଲାରେ ଏଡ୍‌ସ ସଂକ୍ରମଣ ରୋକିବା ଦିଗରେ ବିଶେଷ କାର୍ଯ୍ୟକ୍ରମ ନାହିଁ କି ସ୍ୱତନ୍ତ୍ର ପାଣ୍ଠି ମଧ୍ୟ ନାହିଁ । ଦୀର୍ଘ ୨୪ବର୍ଷ ମଧ୍ୟରେ ଜିଲ୍ଲାର ୫୦୩ ପଞ୍ଚାୟତ ମଧ୍ୟରୁ ମାତ୍ର ୮୦ ପଞ୍ଚାୟତରେ ସରକାରୀ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ଏଡ୍‌ସ ସଚେତନତା ଦିଗରେ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ନିର୍ଦ୍ଦେଶକ ଲୋକନାଥ ମିଶ୍ର ଚହିଛନ୍ତି । 

ଜିଲ୍ଲାର ଆସିକା, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, ପୋଲସରା, ବେଗୁନିଆପଡା ଓ ଖଲ୍ଲିକୋଟ ବ୍ଲକ୍‌ର ୮୦ ପଞ୍ଚାୟତରେ ଲିଙ୍କ୍‌ ୱାର୍କର ସ୍କିମ୍‌ (ଏଲ୍‌ଡବ୍ଲ୍ୟୁଏସ୍‌)ରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ପ୍ରବାସୀଙ୍କ ଶ୍ରମିକଙ୍କ ସ୍ତ୍ରୀ କିମ୍ବା ତାଙ୍କ ସହ ସମ୍ପର୍କରେ ଥିବା ମହିଳା, ସମଲିଙ୍ଗୀ ପୁରୁଷ, ମହିଳା ଯୌନ କର୍ମୀ, ଟ୍ରକ୍‌ ଡ୍ରାଇଭରଙ୍କୁ କାଉନ୍‌ସେଲିଂ କରିବା ସହ ନିରୋଧ ବଣ୍ଟନ, ପରୀକ୍ଷା କରିବାକୁ ପରାମର୍ଶ, ବିଭିନ୍ନ ପ୍ରକାର ସାମାଜିକ ସୁବିଧା ସହ ସଂଯୋଗ କରାଇବା ସହ ସରପଞ୍ଚ ଓ ଅନ୍ୟ ପଦାଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ କରି ଏଲ୍‌ଡବ୍ଲୁଏସ୍‌ କାର୍ଯ୍ୟକ୍ରମର ଆଭିମୁଖ୍ୟ ଜଣାଇବା ଆଦି କରାଯାଉଛି । ପ୍ରବାସୀ ଗ୍ରାମକୁ ଫେରିଲେ ସେମାନଙ୍କୁ କାଉନ୍‌ସେଲିଂ କରି ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ଅନ୍ୟପକ୍ଷରେ ଲକ୍ଷ୍ୟଭେଦୀ (ଟାର୍ଗେଟେଡ୍‌ ଇଣ୍ଟରଭେନସନ୍‌) ପ୍ରକଳ୍ପ ମାଧ୍ୟମରେ ବ୍ରହ୍ମପୁର ଓ ଭଞ୍ଜନଗର ଅଞ୍ଚଳରେ ପାଞ୍ଚ ଶହ ମହିଳା ଯୌନ କର୍ମୀ ଓ ସମଲିଙ୍ଗୀ ପୁରୁଷଙ୍କୁ ସତର୍କ କରାଯାଇଛି । ନିରାପଦ ଯୌନାଭ୍ୟାସ, ନିରୋଧ ବ୍ୟବହାର, ଯୌନ ସଂକ୍ରମିତ ରୋଗର ଚିହ୍ନଟ ଓ ଚିକିତ୍ସା, ଗୋଷ୍ଠୀକୁ ଏକତ୍ରିକରଣ କରି ସ୍ୱାବଲମ୍ବୀ କରାଇବା, ଅନୁଷ୍ଠାନମାନଙ୍କ ସହ ତାଙ୍କୁ ସଂଯୋଗୀକରଣ କରିବା, ସୁସ୍ଥ ବାତାବରଣରେ କାମ କରିବା ପାଇଁ ପ୍ରୋତ୍ସାହନ ଦେବା । ଏହି ଦୁଇଟି କାର୍ଯ୍ୟକ୍ରମ ପରେ ଆଉ ଏଡ୍‌ସ୍‌ ନିୟନ୍ତ୍ରଣ ପାଇଁ ଆଉ କୌଣସି ପ୍ରକଳ୍ପ ନାହିଁ । 

ଲୋକନାଥ ମିଶ୍ର କହିଛନ୍ତି, ଜିଲ୍ଲାର ୮୦ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ଯଥେଷ୍ଟ ନୁହେଁ । ସର୍ବାଧିକ ଦାଦନ ଏହି ଜିଲ୍ଲାରୁ ଯାଉଛନ୍ତି । ସମସ୍ତ ଦାଦନଙ୍କ ପରୀକ୍ଷା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ଜିଲ୍ଲାରେ ୪୦ଲକ୍ଷ ଜନସଂଖ୍ୟା ଛୁଇଁଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ୨୦ ଲକ୍ଷ ଲୋକଙ୍କ ଏଚ୍‌ଆଇଭି ପରୀକ୍ଷା କରାଯାଇଛି । ସତର୍କ ନହେଲେ ଆଗାମୀ ଦିନରେ ଜିଲ୍ଲାରେ ଏଡ୍‌ସ୍‌ ସଂକ୍ରମଣ ପୁଣି ପୂର୍ବାବସ୍ଥାକୁ ଫେରିବ । ଆମର ଜିଲ୍ଲାରୁ ୭ ଲକ୍ଷ ପ୍ରବାସୀ ଓ ବର୍ଷକୁ ୭୦ ହଜାର ଗର୍ଭବତୀ ରହୁଛନ୍ତି । କିନ୍ତୁ ଜିଲ୍ଲାରେ ମାତ୍ର ୨ ଲକ୍ଷ ପରୀକ୍ଷା କରାଯାଉଛି । ଅଧିକ ସଂଖ୍ୟାରେ ପରୀକ୍ଷା ନକରାଗଲେ ୨୦୩୦ ସୁଦ୍ଧା ଏଡ୍‌ସମୁକ୍ତ ବିଶ୍ୱ ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି । ଜିଲ୍ଲାର ୮୦ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ହେଉଥିବା ସ୍ୱୀକାର କରିବା ସହ ଡିଷ୍ଟ୍ରିକ୍ଟ ଏଡ୍‌ସ୍‌ ପ୍ରିଭେନ୍ସନ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ (ଡିଏପିସିୟୁ) ଡିପିଏମ୍‌ ହେମନ୍ତ କୁମାର ଦାଶ କହିଛନ୍ତି ଏଡ୍‌ସ୍‌ ରୋଗୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । 

ରକ୍ତ ପରୀକ୍ଷା ପାଇଁ୨୯ଟି ଆଇସିଟିସି ସେଣ୍ଟର ରହିଛି । ଭଞ୍ଜନଗର ଓ ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଉଛି । ଆସିକା, ପୋଲସରା ଓ ଖଲ୍ଲିକୋଟରେ ତିନୋଟି ଲିଙ୍କ୍‌ ଏଆର୍‌ଟି ସେଣ୍ଟର ରହିଛି । ସବୁସ୍ତରରେ ସଭା କରି ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାରେ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ୨୧, ୯୬, ୫୨୫ ଜଣଙ୍କୁ କାଉନ୍‌ସେଲିଂ କରାଯାଇଛି ଏବଂ ୨୦, ୩୬, ୯୬୧ଜଣଙ୍କ ରକ୍ତ ପରୀକ୍ଷା ହୋଇଛି । ଏଥିରୁ ୧୮୪୮୪ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୨୦୧୪ ପର୍ଯ୍ୟନ୍ତ ଜିଲ୍ଲାରେ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହେଉଥିବା ବେଳେ ୨୦୧୫ରୁ ବାର୍ଷିକ ହଜାରେରୁ କମ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୧୫ରେ ୮୪୯, ୨୦୧୬ରେ ୮୧୦, ୨୦୧୭ରେ ୬୫୯, ୨୦୧୮ରେ ୬୭୧, ୨୦୧୯ରେ ୬୭୭, ୨୦୨୦ରେ ୩୯୮, ୨୦୨୧ରେ ୪୩୦, ୨୦୨୨ରେ ୫୧୪, ୨୦୨୩ରେ ୫୧୮ ଏବଂ ୨୦୨୪ ଅକ୍ଟୋବର ସୁଦ୍ଧା ୪୪୧ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଜିଲ୍ଲାରେ ୨୦୦୦ ପରଠାରୁ ୧୮୪୭ଜଣ ପଜିଟିଭ୍‌ଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହେଲାଣି । ୨୦୨୪ରେ ୨୪, ୨୦୨୩ରେ ୨୪, ୨୦୨୨ରେ ୩୨, ୨୦୨୧ରେ ୩୪, ୨୦୨୦ରେ ୩୫ଜଣଙ୍କ ମୃତ୍ୟୁ ହୋଇଥିବା ଡିପିଏମ୍‌ଙ୍କ କାର୍ଯ୍ୟାଳୟରୁ ପ୍ରକାଶ । ଯଦିଓ ସଂକ୍ରମଣ ଓ ମୃତ୍ୟୁ ପୂର୍ବାପେକ୍ଷା କମିଛି ଏବେ ବି ଜିଲ୍ଲାରେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.