ଭୁବନେଶ୍ବର,୩୧।୩ : ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ ଦ୍ବାରା ବୈଶ୍ବିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୟୁନେସ୍କୋ ମାନ୍ୟତା ସକାଶେ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଏକାଡେମୀର ଜାତୀୟ ଐତିହ୍ୟରେ ତାଲିକାଭୁକ୍ତ ହେବାକୁ ପଡିଥାଏ। ସେଥିପାଇଁ ବିଧିବଦ୍ଧ ଭାବେ ଏହି ତାଲିକା ଭୁକ୍ତ ହୋଇଛି ରଥଯାତ୍ରା । ଆବେଦନ ଶେଷ ତାରିଖ ମାର୍ଚ୍ଚ ୩୧ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକ ସମୟରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା ।
ଗଜପତି ମହାରାଜାଙ୍କ ମାର୍ଗଦର୍ଶନ ତଥା ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ବରେ କମ୍ ଅବଧି ମଧ୍ୟରେ ସମସ୍ତ ପ୍ରସ୍ତୁତି ହୋଇଥିଲା। ମହାପ୍ରଭୁଙ୍କ ସେବକମାନେ ମଧ୍ୟ ଏଥିଲାଗି ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ। ଏଥିପାଇଁ ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ, ସେବକଙ୍କ ସହ ସହଯୋଗର ହାତ ବଢ଼ାଇଥିବା ବ୍ୟକ୍ତି ତଥା ଅନୁଷ୍ଠାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ।