ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ସତ୍ୟବାଦୀ ବକୁଳବନର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଯୋଜନା; ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ଜାତି ପାଇଁ ଦେଖିଥିବା ସ୍ୱପ୍ନ ସାର୍ଥକ ହେବ କହିଲେ ଧର୍ମେନ୍ଦ୍ର ପ୍ରଧାନ

Published By : Bijay Swain | February 7, 2025 5:40 PM

ଭୁବନେଶ୍ୱର, ୦୭/୦୨- ପୁଣ୍ୟାତ୍ମା ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସତ୍ୟବାଦୀ ବକୁଳବନ ବିଦ୍ୟାଳୟର ଐତିହ୍ୟକୁ ସୁରକ୍ଷିତ ରଖାଯାଇ ଏହାର ପୁନରୁଦ୍ଧାର ଓ ବିକାଶ କରିବା ଦିଗରେ ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଐତିହ୍ୟସମ୍ପନ୍ନ ଦୃଷ୍ଟିରୁ ଗୁରୁତ୍ୱ ବହନ ରଖୁଥିବା ଏହି ପବିତ୍ର ସ୍ଥାନର ପୁନରୁଦ୍ଧାର ହୋଇପାରିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଆ ଜାତି ପାଇଁ ଦେଖିଥିବା ସ୍ୱପ୍ନ ସାର୍ଥକ ହେବ ବୋଲି ସେ କହିଛନ୍ତି।

ସତ୍ୟବାଦୀର ବକୁଳବନର ଉନ୍ନତିକରଣ ନେଇ ନିର୍ଦ୍ଦେଶ ଦେଇଥିବାରୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାରେ ସ୍ୱତନ୍ତ୍ରତା ସଂଗ୍ରାମର ନେତୃତ୍ୱ ନେବା ସହ ଦେଶ ସ୍ୱାଧୀନତା ପାଇଁ ଯେଉଁ ଯୋଜନା ଓ ପରିକଳ୍ପନା କରିଥିଲେ, ତା’ର ପ୍ରୟୋଗଶାଳା ଥିଲା ସତ୍ୟବାଦୀ ବକୁଳବନ ବିଦ୍ୟାଳୟ। ଏହି ପବିତ୍ର ସ୍ଥାନରୁ ହିଁ ପଣ୍ଡିତ ଗୋପବନ୍ଧୁଙ୍କ କଳ୍ପନାରେ ହିଁ ନୂଆ ଜାତୀୟ ଶିକ୍ଷା ନୀତିର ଅଭ୍ୟୁଦୋୟ ହୋଇଥିଲା। ତାଙ୍କ ତ୍ୟାଗପୂତ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର ଆଦି ମହାପୁରୁଷମାନେ ବକୁଳବନରେ ଛାତ୍ରଛାତ୍ରୀଙ୍କୁ ମୌଳିକ ଶିକ୍ଷା ସହ ରୋଜଗାର ଦେବା ଭଳି ଶିକ୍ଷା ପ୍ରଦାନ କରୁଥିଲେ। 

ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରୁଥିବା ଏହି ଐତିହ୍ୟସମ୍ପନ୍ନ ଅନୁଷ୍ଠାନର ମହତ୍ୱକୁ ଦୃଷ୍ଟିରେ ରଖି ଗୁଜୁରାଟର ବଡନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଠ ପଢିଥିବା ‘ପ୍ରେରଣା ସ୍କୁଲ’ର ଢାଞ୍ଚା ଅନୁସାରେ ବକୁଳ ବନ ବିଦ୍ୟାଳୟର ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ପ୍ରେରଣା ବିଦ୍ୟାଳୟ ଆଜି ଯେପରି ଶିକ୍ଷା ଓ ମୂଲ୍ୟବୋଧର ଏକ ଅନନ୍ୟ କେନ୍ଦ୍ରରେ ପରିଣତ ହୋଇଛି, ସେପରି ଭାବେ ଏହି ବକୁଳବନ ବିଦ୍ୟାଳୟର ନବୀକରଣ ହେଲେ ଆମର ବରପୁତ୍ର ଓ ମହାପୁରୁଷମାନେ ଦେଖିଥିବା ସ୍ୱପ୍ନ ସାକାର ହୋଇପାରିବ। ପ୍ରାଚୀନ ଭାରତରେ ଗୁରୁକୁଳ ପରମ୍ପରାକୁ ପୁର୍ନଜୀବିତ କରିବାର ପ୍ରୟାସ ଏହି ବକୁଳବନରୁ ହିଁ ଆରମ୍ଭ ହୋଇଥିଲା। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ। ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ। ଏହି ମଣିଷ ତିଆରି କାରଖାନାର ପୁନରୁଦ୍ଧାର ହେଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶ ଓ କଳ୍ପନାରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ଏକ ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି। 

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ପ୍ରଥମ ଥର ପାଇଁ ଶିକ୍ଷା ମନ୍ତ୍ରଣାଳୟ ଭାବେ ଦାୟିତ୍ୱ ନେଲେ, ସେତେବେଳେ ପ୍ରଥମ ଓଡ଼ିଶା ଗସ୍ତରେ ସେ ବକୁଳବନକୁ ଗସ୍ତ କରି ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାର ଐତିହାସିକ ଦିଗ ଉପରେ ଆଲୋକପାତ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.