ଭୁବନେଶ୍ଵର, ୧୦/୦୨ : ପୁଅର ଏକା ଜିଦ୍ ମୋତେ ବାହା କର। ହେଲେ ବାପା ଚାହୁଁଥିଲା ଆଗ ଭଲକରି କିଛି କାମଧନ୍ଦା କର, ତାପରେ ଯାଇ ବାହାଘର। ବାସ୍ ଏତିକିରେ କଥା ସରିଲା। ପୁଅ ମୁଣ୍ଡକୁ ଚଢିଗଲା ପିତ୍ତ। ରକ୍ତମୁଖା ପାଲଟିଲା ସୈତାନ ପୁଅ। ବାହା କରାଇବାକୁ ମନା କଲେ ବୋଲି ବାପାକୁ କଠା ଫାଳିଆରେ ପିଟିପିଟି ହତ୍ୟା କଲା ନୃସଂଶ ପୁଅ। ଯୋଡ଼ା ପୌରାଞ୍ଚଳର ୧୩ ନଂ ୱାର୍ଡ଼ ବାଂଶପାଣି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାନୁଯାୟୀ, ବାଂଶପାଣି ଅଞ୍ଚଳର ବିକାଶ ସେଠୀ। ବିବାହ କରିବା ପାଇଁ ଘରେ ବାରମ୍ବାର ଜିଦ୍ ଧରୁଥିଲେ। ପାଟିତୁଣ୍ଡ ମଧ୍ୟ କରୁଥିଲେ। ହେଲେ ରୋଜଗାର ନଥିବାରୁ ପୁଅକୁ ସଫାସଫା ମନା କରି ଦେଇଥିଲେ ବାପା ଅଜୟ ସେଠୀ। ଆଗେ କାମ ଧନ୍ଦା କର, ତାପରେ ଯାଇ ବାହାଘର ହେବୁ ବୋଲି କହି ଦେଇଥିଲେ ଅଜୟ। ହେଲେ ପୁଅର ଏକା ଜିଦ୍ ମୋତେ ବାହା କର…
ରବିବାର ରାତିରେ ବିକାଶ ପୁଣି ଥରେ ବାହା ହେବାକୁ ଜିଦ୍ ଧରି ବସିଥିଲେ। ଏଥିରେ ବାପା ଅଜୟ ଅରାଜି ହୋଇଥିଲେ। ଏହି କଥାକୁ ନେଇ ଉଭୟ ବାପ-ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଆଉ ତାପରେ ବିକାଶ ଉତକ୍ଷିପ୍ତ ହୋଇ ରକ୍ତମୁଖା ପାଲଟି ଯାଇଥିଲା। କେହି କିଛି ବୁଝିବା ଆଗରୁ ଏକ କାଠ ଫାଳିଆରେ ବାପାର ମୁଣ୍ଡକୁ ପିଟି ଦେଇଥିଲା। ମା ଛଡାଇବାକୁ ଆସିବାରୁ ତାକୁ ମଧ୍ୟ ମାରଧର କରିଥିଲା।କାଠ ଫାଳିଆ ମାଡ଼ରେ ଅଜୟ ସେଠୀ ସେହିଠାରେ ଟଳି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ୍ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଯୋଡା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଅଭିଯୁକ୍ତ ବିକାଶ ସେଠୀକୁ ଗିରଫ କରି ପଚରାଉଚରା କରୁଛି।
ଏହି ଖବରଟିକୁ ପଢନ୍ତୁ-ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର