ମୁମ୍ବାଇ: ‘ଇଣ୍ଡିଆଜ୍ ଗଟ ଲାଟେଣ୍ଟ’ ଶୋ’ ବିବାଦରେ ଫସିଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଅଭିନେତ୍ରୀ ଅପୂର୍ବା ମଖିଜା ନିଜ ଦୁଃଖ ବଖାଣିଛନ୍ତି । ବିବାଦରେ ଫସିଥିବା ବେଳେ ତାଙ୍କ ପାଖକୁ କେଉଁ ଭଳି ସବୁ ଧମକଭରା ମେସେଜ୍ ପହଞ୍ଚିଥିଲା ସେସବୁର ସେ ସ୍କ୍ରିନସଟ୍ ପୋଷ୍ଟ କରିଛନ୍ତି । ବିବାଦର ଦୁଇ ମାସ ପରେ ଅଭିନେତ୍ରୀ ପ୍ରଥମ ଥର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ତାଙ୍କର ପ୍ରଥମ ପୋଷ୍ଟର ପ୍ରଥମ ସ୍ଲାଇଡରେ ଲେଖାଥିଲା, ‘ଟ୍ରିଗର ଚେତାବନୀ: ଏହି ପୋଷ୍ଟରେ ଏସିଡ୍ ଆକ୍ରମଣ, ବଳାତ୍କାର ଧମକ ଏବଂ ମୃତ୍ୟୁ ଧମକ ଅଛି।’
ପରବର୍ତ୍ତୀ ୧୯ଟି ସ୍ଲାଇଡରେ ଘୃଣା, ଅପମାନ, ବଳାତ୍କାର ଧମକ ଏବଂ ହତ୍ୟା ଧମକପୂର୍ଣ୍ଣ ବାର୍ତ୍ତା ଏବଂ ମନ୍ତବ୍ୟ ରହିଛି । ଯେଉଁଥିରେ ‘ତୁମର ପିତାମାତା ତୁମକୁ କିଛି ଶିଖାଇ ନଥିଲେ କି?’, ‘ତୁମେ ଲଜ୍ଜିତ ନୁହଁ?’, ‘ଧ୍ୟାନ ଆକର୍ଷଣୀୟ ଆଚରଣ’ ଭଳି ମନ୍ତବ୍ୟ ଅନ୍ତର୍ଭୁକ୍ତ । ସେ ସେୟାର କରିଥିବା ଶହ ଶହ ମେସେଜର ସ୍କ୍ରିନସଟ ମଧ୍ୟରୁ ଏହି ମନ୍ତବ୍ୟଗୁଡ଼ିକ ରହିଛି ।
ପୋଷ୍ଟଟି ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଏହା ଗୋଟିଏ ପ୍ରତିଶତ ମଧ୍ୟ ନୁହେଁ।’ ପ୍ରଥମ ପୋଷ୍ଟ ସେୟାର କରିବା ପରେ, ଅପୂର୍ବା କିଛି ମିନିଟ୍ ପରେ ଆଉ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘କାହାଣୀକାର ପାଖରୁ କାହାଣୀ ଦୂରେଇ ନିଅ ନାହିଁ।’ ଅନେକ ୟୁଜର ଏବଂ ତାଙ୍କର ବନ୍ଧୁମାନେ ତାଙ୍କର ଏହି ପୋଷ୍ଟରେ ସମର୍ଥନ ଜଣାଇଛନ୍ତି ।
ଅପୂର୍ବା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଅଭିନେତ୍ରୀ । ପ୍ରଶଂସକଙ୍କ ମଧ୍ୟରେ 'ଦି ରେବେଲ୍ କିଡ୍' ଭାବରେ ଜଣାଶୁଣା। ଇନଷ୍ଟାଗ୍ରାମରେ ତାଙ୍କର ୩ ମିଲିୟନ୍ରୁ ଅଧିକ ଫଲୋୟର୍ସ ଅଛନ୍ତି। YouTuber ରଣବୀର ଆହ୍ଲାବାଦିଆ ପିତାମାତାଙ୍କୁ ନେଇ ଦେଇଥିବା ଘୃଣ୍ୟ ମନ୍ତବ୍ୟ ପରେ ଆରମ୍ଭ ହୋଇଥିବା ବିବାଦରେ ଅପୂର୍ବା ମଖିଜା ମଧ୍ୟ ଫସିଥିଲେ । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଅପୂର୍ବା ତାଙ୍କର ସମସ୍ତ ପୋଷ୍ଟ ଡିଲିଟ୍ କରିଦେଇଥିଲେ। ଏହି ବିବାଦ ରାଜନୈତିକ ଝଡ଼ ସୃଷ୍ଟି କରିଥିଲା ଏବଂ ଶୋ’ର ହୋଷ୍ଟ ସମୟ ରୈନା ଏବଂ ପ୍ୟାନେଲିଷ୍ଟ ମଖିଜାଙ୍କ ସମେତ ଶୋ ଆୟୋଜକଙ୍କ ବିରୁଦ୍ଧରେ ମାଳ ମାଳ ମାମଲା ହୋଇଥିଲା।