କରଞ୍ଜିଆ, ୧୬/୧୨: ଶିମିଳିପାଳରେ ଲଗାତାର ତିନି ଦିନ ଧରି ଜାରି ରହିଛି ତୁଷାରପାତ । ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ଥିବା ଯଶିପୁର, ରରୁଆଁ, ଶୁକ୍ରୁଳି, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଞ୍ଚଳ । ଏହି ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।
ସୋମବାର ଶିମିଳିପାଳର ଉପର ବାର୍ହାକାମୁଡ଼ା ଠାରେ ସର୍ବନିମ୍ନ ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚହଲା ଠାରେ ସର୍ବନିମ୍ନ ୩ ଡିଗ୍ରୀ ରେକର୍ଡ କରାଯାଇଛି । ନଅଣାରେ ୪ ଡିଗ୍ରୀ , ବରେହିପାଣି ୫ ଡିଗ୍ରୀ ଏବଂ ଗୁରୁଗୁଡ଼ିଆ ଠାରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ପାରଦ ତଳମୁହାଁ ହେଉଥିବାରୁ ଉପର ବାର୍ହାକାମୁଡ଼ାର ମୋଟୁଘର, ଚହଲା ଓ ବରେହିପାଣି ଠାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।