ଉଦଳା, ୧୮/୧୨: ବେଆଇନ ବାଲି ଗଚ୍ଛିତ ଥିବା ସ୍ଥାନରେ ଚଢାଉ କରିବା ବେଳେ ପୋଲିସକୁ ଦେଖି ଆକ୍ରମଣ କରିଲେ ମାଫିଆ । ଆଇଆଇସିଙ୍କୁ ମାଡ଼ ମାରିବା ସହ ଥାନା ଗାଡ଼ି ମଧ୍ୟ ଭାଙ୍ଗି ଦେଲେ । ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଥାନା ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥ ବୁଧବାର ସକାଳେ ଡାହିସାହି ଅଞ୍ଚଳରେ ଗୋଟିଏ ଜାଗାରେ ବେଆଇନ ଭାବେ ଗଚ୍ଛିତ ରଖା ଯାଇଥିବା ବାଲି ଜବତ କରିବାକୁ ଯାଇଥିଲେ । ଏହି ସମୟରେ ଆଇଆଇସି ସେଠାରେ ପହଞ୍ଚି ବାଲି କାହାର ଏବଂ କିଏ ଗଚ୍ଛିତ ରଖିଛି ବୋଲି ପଚାରିଥିଲେ । ଏହା ପଚାରିବା କ୍ଷଣି ମାଫିଆ ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ୫ ରୁ ଅଧିକ ମହିଳା ମିଶି ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଥାନା ଅଧିକାରୀଙ୍କୁ ପଥର ମାଡ଼ କରିବା ସହିତ ଥାନା ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।
ଅନ୍ୟପଟେ ଏହି ଆକ୍ରମଣରେ ଥାନା ଅଧିକାରୀଙ୍କ ବେକ, ପିଠିରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ମାଫିଆମାନେ ପୋଲିସକୁ ମଧ୍ୟ ଖାତିର ନକରି ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।