କରଞ୍ଜିଆ,୧୫/୧୨: ଶିମିଳିପାଳରେ ପୁଣି ତୁଷାରପାତ । ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ଥିବା ଯଶିପୁର, ରରୁଆଁ, ଶୁକ୍ରୁଳି, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।
ରବିବାର ଶିମିଳିପାଳର ଉପର ବାର୍ହାକାମୁଡ଼ା ଓ ଚହଲା ଠାରେ ସର୍ବନିମ୍ନ ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ନଅଣାରେ ୪ ଡିଗ୍ରୀ, ବରେହିପାଣିରେ ୫ ଡିଗ୍ରୀ ଏବଂ ଗୁରୁଗୁଡ଼ିଆ ଠାରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ପାରଦ ତଳମୁହାଁ ହେଉଥିବାରୁ ଉପର ବାର୍ହାକାମୁଡ଼ାର ମୋଟୁଘର, ଚହଲା ଓ ବରେହିପାଣି ଠାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।