ନୂଆଦିଲ୍ଲୀ,୨୩ /୦୪: ସତରେ ଜୀବନକୁ ଭରସା ନାହିଁ । କେତେବେଳ କ'ଣ ଯେ ଘଟିବ କାହାକୁ ବା ଜଣା । ସେଇଥି ପାଇଁ ତ କଥାରେ ଅଛି ନିଶ୍ୱାସକୁ ନାହିଁ ବିଶ୍ୱାସ । ଏବେ ଏବେ ତ ନୂଆ ସମ୍ପର୍କ ତିଆରି ହୋଇଥିଲା । ଧୁମଧାମରେ ବାହାଘର ହୋଇଥିଲା । କେତେ ଟା ବା ଦିନ ହୋଇଥିଲା ମାତ୍ର ୨ ମାସ । କହିବାକୁ ଗଲେ ବାହାଘରର ଉତ୍ସବ ଏବେ ବି ସରିନଥିଲା । ହେଲେ କିଏ ଜାଣିଥିଲା କୋକେଇ ଉଠିବ ବୋଲି । ସାତଜନ୍ମ ସାଥିରେ ରହିବାକୁ ଦେଇଥିବା ପ୍ରତିଶ୍ରୁତି ୭ ମାସ ବି ରହିଲାନି । ଅଧାବାଟରେ ହାତ ଛାଡି ଚାଲିଗଲେ ।
ଜମ୍ମୁ କାଶ୍ମୀର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣରେ କାନପୁର ଶୁଭମ ଦ୍ୱିବେଦୀ ଆଖି ବୁଜିଛନ୍ତି । ଦୁଇ ମାସ ତଳେ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିଲେ ଶୁଭମ । ଲାଗୁଛି ତାଙ୍କ ଖୁସିରେ ଯେମିତି ଗ୍ରହଣ ଲାଗିଗଲା ।
ଫେବୃଆରୀ ୧୨ ତାରିଖରେ ଶୁଭମଙ୍କର ବାହାଘର ହୋଇଥିଲା । ପତ୍ନୀ ଏଶାନ୍ୟାଙ୍କ ବହୁତ ଇଚ୍ଛା ଥିଲା କାଶ୍ମୀର ବୁଲିବାକୁ ଯିବାକୁ । ଭାରତର ଭୂସ୍ୱର୍ଗ କାଶ୍ମୀରର ସୁନ୍ଦର ପରିବେଶକୁ ଉପଭୋଗ କରିବାକୁ ସ୍ୱାମୀଙ୍କ ସହ ଯାଇଥିଲେ । ଏପ୍ରିଲ ୧୭ରେ ପହଲଗାମରେ ପହଞ୍ଚିଥିଲେ ଶୁଭମ ଓ ତାଙ୍କ ପରିବାର । ହେଲେ କିଏ ଜାଣିଥିଲା ମୃତ୍ୟୁ ସେଠି ଜଗି ବସିଛି ବୋଲି । ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ଶୁଭମ ଦ୍ୱିବେଦୀ ମଧ୍ୟ ରହିଛନ୍ତି । ପତ୍ନୀଙ୍କ ଆଗରେ ଆତଙ୍କୀଙ୍କ ଗୁଳିମାଡରେ ଶୁଭମଙ୍କର ମୃତ୍ୟୁ ହୋଇଛି ।
ଅଧିକ ପଢନ୍ତୁ...୬ ଦିନ ତଳେ ବାହାଘର ହୋଇଥିଲା, ଆତଙ୍କୀ ହମଲାରେ ଚାଲିଗଲା ନୌସେନା ଅଧିକାରୀଙ୍କ ଜୀବନ
ଆତଙ୍କୀଙ୍କ ଏହି ନର ସଂହାର ପରେ କାନ୍ଦି କାନ୍ଦି ଶୁଭମଙ୍କ ପତ୍ନୀ କହିଥିଲେ, ''ଆମେ ଗେଟ୍ ସମ୍ମୁଖକୁ ଯାଉଥିଲୁ । ଶୁଭମ ତାଙ୍କ ଉଉଣୀଙ୍କ ସହ ବସିଥିଲେ। ଏହି ସମୟରେ ଜଣେ ଲୋକ ଆସିଲେ ଶୁଭମଙ୍କୁ ପଚାରିଲେ ହିନ୍ଦୁ ନା ମୁସଲିମ ? ଆମେ କେହି କିଛି ବୁଝି ପାରିଲୁ ନାହିଁ । ଆମେ ଭାବିଲୁ ସେ ମଜା କରୁଛନ୍ତି ।''