ନୂଆଦିଲ୍ଲୀ,୨୪/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ ।ଏଥିରେ ପହଲଗାମରେ ନୀରିହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ନେଇ ସବୁ ଦଳକୁ ଜଣାଇବେ କେନ୍ଦ୍ର ସରକାର । ଏହାସହ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି, ଆଗକୁ କ’ଣ ପଦକ୍ଷେପ ନେବେ ସେ ନେଇ ମଧ୍ୟ ଅବଗତ କରାଇବେ ରାଜନାଥ ସିଂହ ।
ଏହା ମଧ୍ୟ ପଢନ୍ତୁ- ପାକିସ୍ତାନକୁ ଶକ୍ତ ଝଟକା: ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ, ୧୯୬୦ରେ ପାକ୍ ସହ ହୋଇଥିଲା ଜଳ ଚୁକ୍ତି
ସମସ୍ତ ଦଳ ସହିତ ଏ ନେଇ ନିଜେ ରାଜନାଥ ସିଂହ ଓ ଅମିତ ଶାହା ଗତକାଲି କଥା ହୋଇଥିଲେ । ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ସାରା ଦେଶ ଏକଜୁଟ୍ ଅଛି। ସେହି ସନ୍ଦେଶ ଦେବାକୁ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ସେପଟେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ।ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି । ଏବେ ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି । ଚର୍ଚ୍ଚା ହେଉଛି ସର୍ଜିକାଲ ଷ୍ଟ୍ରାଇକ ଭଳି ଭାରତ ସୀମାପାର ଆତଙ୍କବାଦକୁ ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେଇପାରେ। ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ଘନ ଘନ ବୈଠକ, ତିନି ସେନାକୁ ପ୍ରସ୍ତୁତ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଉଛି ।