ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଭାରତ ସରକାର ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଆକ୍ରମଣର ପାକିସ୍ତାନୀ ଲିଙ୍କ ଥିବା ଅଭିଯୋଗରେ ଭାରତ ପାକିସ୍ତାନୀ ନାଗରିକଙ୍କ ପାଇଁ ସମସ୍ତ ଭିସା ସେବା ସ୍ଥଗିତ କରିଛି। ଏପ୍ରିଲ ୨୭ରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଜାରି ହୋଇଥିବା ସମସ୍ତ ଭିସା ବାତିଲ କରାଯାଇଛି। କେବଳ ଚିକିତ୍ସା ଭିସାରେ ଭାରତ ଆସିଥିବା ଲୋକଙ୍କ ଭିସା ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି ଜଣାପଡିଛି। ବର୍ତ୍ତମାନ ଭାରତରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ତତ୍କାଳ ପ୍ରଭାବରେ ତିନି ଦିନ ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଘୋଷଣାରେ କୁହାଯାଇଛି ଯେ "ଭାରତ ଦ୍ୱାରା ପାକିସ୍ତାନୀ ନାଗରିକଙ୍କୁ ଜାରି କରାଯାଇଥିବା ସମସ୍ତ ବୈଧ ଭିସା ୨୭ ଏପ୍ରିଲ ୨୦୨୫ ଠାରୁ ପ୍ରତ୍ୟାହାର କରାଯାଇଛି। ଏହା ବ୍ୟତିତ ପାକିସ୍ତାନୀ ନାଗରିକଙ୍କୁ ଜାରି କରାଯାଇଥିବା ମେଡିକାଲ ଭିସା କେବଳ ୨୯ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ବୈଧ ରହିବ।" ଏହା ସହ ଭାରତୀୟ ନାଗରିକଙ୍କୁ ପାକିସ୍ତାନ ଗସ୍ତ ନକରିବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ପାକିସ୍ତାନରେ ରହିଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ଭାରତ ଫେରି ଆସିବାକୁ ମଧ୍ୟ ଅନୁରୋଧ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS) ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ବ୍ୟତୀତ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି ଓ ଅଟାରୀ-ୱାଘା ବର୍ଡର ବନ୍ଦ କରିଛି। ଏହାସହ ପାକିସ୍ତାନୀ ହାଇ କମିଶନରେ ଥିବା ପ୍ରତିରକ୍ଷା, ନୌସେନା ଓ ବାୟୁସେନା ଉପଦେଷ୍ଟାମାନଙ୍କୁ ପର୍ସୋନା ନନ୍ ଗ୍ରାଟା ଘୋଷଣା କରି ସେମାନଙ୍କୁ ଏକ ସପ୍ତାହ ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି।
ମଙ୍ଗଳବାର ଦିନ ଦୁଇଟା ବେଳେ ପହଲଗାମର ବୈସରଣ ମେଡୋରେ ୫-୬ ଜଣ ଆତଙ୍କବାଦୀ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ। ଏହି ଆକ୍ରମଣରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହି ଆକ୍ରମଣର ଦାୟିତ୍ୱ ଲସ୍କର-ଏ-ତୋଇବାର ଏକ ଶାଖା ଦଳ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ନେଇଛି। ଗୁଇନ୍ଦା ସୂଚନା ଅନୁଯାୟୀ, ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୋଇବାର ଡେପୁଟି ଚିଫ୍ ସୈଫୁଲ୍ଲା କାସୁରୀ ଥିବା ସନ୍ଦେହ କରାଯାଉଛି।
ପାକିସ୍ତାନ ଭାରତର ଏହି ପଦକ୍ଷେପକୁ "ଏକତରଫା ଓ ଅନ୍ୟାୟ" ବୋଲି ଅଭିହିତ କରି ପ୍ରତିଶୋଧମୂଳକ ପଦକ୍ଷେପ ଘୋଷଣା କରିଛି। ପାକିସ୍ତାନ ମଧ୍ୟ ୱାଘା ସୀମାନ୍ତ ବନ୍ଦ କରିଛି, ଭାରତୀୟ ନାଗରିକଙ୍କ ପାଇଁ SVES ଭିସା ବାତିଲ କରିଛି ଏବଂ ଭାରତୀୟ ବିମାନ ପାଇଁ ନିଜ ବାୟୁସୀମା ବନ୍ଦ କରିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ନିଆଯାଇଛି।