ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀରର ପର୍ଯ୍ୟଟନ ବଜାର ବିପଦର ସମ୍ମୁଖୀନ ହେବାକୁ ଯାଉଛି । ଲୋକାଲ୍ ସର୍କଲ୍ସର ଏକ ସର୍ଭେରୁ ଜଣାପଡିଛି ଯେ, ୧୦ ପରିବାର ମଧ୍ୟରୁ ୬ ପରିବାର ୨୦୨୫ ପାଇଁ ସେମାନଙ୍କର କାଶ୍ମୀର ଯାତ୍ରାର ଯୋଜନା ଏବଂ ବୁକିଂ ବାତିଲ କରିବାକୁ ଯାଉଛନ୍ତି । ସର୍ଭେରେ ଅନ୍ତର୍ଭୁକ୍ତ ୧୦ ଜଣଙ୍କ ମଧ୍ୟରୁ ୩ ଜଣ ଯାତ୍ରୀ ଆଗାମୀ ୩ ବର୍ଷ ମଧ୍ୟରେ ଯେକୌଣସି ସମୟରେ କାଶ୍ମୀର ଯିବା ପାଇଁ ଯୋଜନା କରିଥିଲେ ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ଆଭିମୁଖ୍ୟ ଉପରେ ଆଧାର କରି ୧୦ ଜଣଙ୍କ ମଧ୍ୟରୁ ୩ ଜଣ କାଶ୍ମୀର ଯିବାକୁ ଯୋଜନା କରିବେ। ସର୍ଭେରେ ପ୍ରଥମେ ୨୦୨୫ରେ କାଶ୍ମୀର ଯାତ୍ରା ଲାଗି ଯୋଜନା କରିଥିବା କିମ୍ବା ବୁକ୍ କରିଥିବା ଯାତ୍ରୀମାନଙ୍କୁ ସାମିଲ କରାଯାଇଥିଲା । ତାଙ୍କୁ ପଚରାଯାଇଥିଲା ଯେ, ଆପଣ କିମ୍ବା ଆପଣଙ୍କ ପରିବାର ୨୦୨୫ ମେ-ଡିସେମ୍ବର ମଧ୍ୟରେ ଛୁଟି, ଧାର୍ମିକ ପର୍ଯ୍ୟଟନ ପାଇଁ କାଶ୍ମୀର ଯିବାକୁ ଯୋଜନା କରୁଛନ୍ତି କି?
ଏହି ପ୍ରଶ୍ନର ଉତ୍ତର ଦେଇଥିବା ୬,୮୦୭ ଜଣଙ୍କ ମଧ୍ୟରୁ ୬୨ ପ୍ରତିଶତ ଲୋକ କହିଛନ୍ତି ଯେ, ହଁ ଆମେ ଯୋଜନା କରୁଥିଲୁ। ଏହା ସହ ସେମାନେ ଏବେ ବୁକିଂ ବାତିଲ କରୁଛନ୍ତି ବୋଲି କହିଛନ୍ତି । ସେପଟେ ୩୮ ପ୍ରତିଶତ ଲୋକ ଯୋଜନା ଅନୁସାରେ ଏବେ ବି କାଶ୍ମୀର ଯିବେ ବୋଲି କହିଛନ୍ତି । ସର୍ଭେରେ ସାମିଲ ହୋଇଥିବା ୧୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ, ଯେଉଁମାନେ ଚଳିତ ବର୍ଷ ମେ ରୁ ଡିସେମ୍ବର ମଧ୍ୟରେ କାଶ୍ମୀର ଯିବାକୁ ଯୋଜନା କରୁଥିଲେ, ସେମାନଙ୍କର ବୁକିଂ ବାତିଲ ହେବାର ସମ୍ଭାବନା ରହିଛି ।
ପହଲଗାମ ଆକ୍ରମଣ ପରେ ଆଗାମୀ ୩ ବର୍ଷ ମଧ୍ୟ କାଶ୍ମୀର ଯିବାକୁ ଯୋଜନା କରୁଥିବା ଲୋକଙ୍କୁ ଏହି ସର୍ବେକ୍ଷଷରେ ସାମିଲ କରାଯାଇଛି । ଏହି ସର୍ଭେରେ ଦେଶର ୩୬୧ଟି ଜିଲ୍ଲାରେ ରହୁଥିବା ଯାତ୍ରୀଙ୍କ ଠାରୁ ୨୧୦୦୦ରୁ ଅଧିକ ପ୍ରତିକ୍ରିୟା ମିଳିଛି। ୬୩ ପ୍ରତିଶତ ପୁରୁଷ, ୩୭ ପ୍ରତିଶତ ମହିଳା ପ୍ରତିକ୍ରିୟା ଦେଇଛନ୍ତି ।