ନୂଆଦିଲ୍ଲୀ,୨୪/୦୪ ଜମ୍ମୁ-କାଶ୍ମୀରର ପହଲଗାମ୍ରେ ଘଟିଥିବା ହୃଦୟ ବିଦାରକ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଦୃଢ଼ ପଦକ୍ଷେପ ନେଉଛି ଭାରତ । ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ। ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ। ଅଟାରୀ-ୱାଘା ସୀମା ମଧ୍ୟ ବନ୍ଦ କରାଯାଇଛି। ସପ୍ତାହ ଭିତରେ ଫେରିବେ ପାକ୍ ସାମରିକ ପରାମର୍ଶଦାତା। ଭାରତକୁ ଆସିଥିବା ସମସ୍ତ ପାକିସ୍ତାନୀଙ୍କୁ ୪୮ ଘଣ୍ଟା ଭିତରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେବ । ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ ୩ ସେନାଧ୍ୟକ୍ଷଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବୁଧବାରଠୁ ଆତଙ୍କୀଙ୍କୁ ଏହି ନରହତ୍ୟାର ଜବାବ ଦେବା ଲାଗି ସୁରକ୍ଷା କର୍ମୀମାନେ ଭୟଙ୍କର ଅଭିଯାନ ଆରମ୍ଭ କରିଦେଇଛନ୍ତି । ବାରାମୂଲାରେ ଏହାର ପ୍ରଥମ ପ୍ରଭାବ ଦେଖିବାକୁ ମିଳିଛି । ସୁରକ୍ଷା ବଳଙ୍କ ଗୁଳିମାଡ଼ରେ ୨ ଆତଙ୍କୀ ନିହତ ହୋଇଛନ୍ତି । ପହଲଗାମ୍ରେ ଘଟିଥିବା ଆତଙ୍କୀ ହମଲାକୁ ନେଇ ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ଘନଘନ ବୈଠକ ଅନୁଷ୍ଠିତ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତାଙ୍କ ବାସଭବନରେ ଜରୁରି ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ (ସିସିଏସ୍) ବୈଠକ କରିଛନ୍ତି । ଅଢ଼େଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଏନ୍ଏସ୍ଏ ଅଜିତ ଡୋଭଲ ତଥା ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଗସ୍ତକୁ ଅଧାରୁ ଛାଡ଼ି ଭାରତ ଫେରିଥିଲେ । ଫେରିବା କ୍ଷଣି ଦିଲ୍ଲୀ ବିମାନବନ୍ଦରରେ ଅଜିତ ଡୋଭଲ, ଜୟଶଙ୍କର ଓ ବିଦେଶ ସଚିବ ବିକ୍ରମ ମିସ୍ରିଙ୍କ ସହ ଆଲୋଚନା କରିଥିଲେ । ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଟିମ୍ ପହଲଗାମ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ଜମ୍ମୁ-କାଶ୍ମୀର ପୁଲିସ ଓ ସୁରକ୍ଷା ବଳ ଜେରା ପାଇଁ ଶହ ଶହ ଲୋକଙ୍କୁ ଅଟକ ରଖିଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଶ୍ରୀନଗରର ପୁଲିସ କଣ୍ଟ୍ରୋଲ ରୁମ୍ରେ ପହଲଗାମ୍ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ହସ୍ପିଟାଲ ଯାଇ ଆକ୍ରମଣରେ ଆହତ ପର୍ଯ୍ୟଟକଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଆକାଶ ମାର୍ଗରୁ ଶାହ ବୈସରନ ଘାଟି ବୁଲି ଦେଖିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ପହଲଗାମ୍ ଆକ୍ରମଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉଚିତ ସମୟରେ ଭାରତ ଏଭଳି ଜବାବ ଦେବ, ଯାହାକୁ ସାରା ଦୁନିଆ ଦେଖିବ । ମୃତକଙ୍କ ଶବକୁ ବୁଧବାର ଶ୍ରୀନଗର ବିମାନବନ୍ଦର ଅଣାଯାଇଛି । ଏହାକୁ ଖୁବଶୀଘ୍ର ସେମାନଙ୍କ ରାଜ୍ୟକୁ ପଠାଯିବ । ସରକାରୀ ଅଧିକାରୀ ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଶେଷ କରାଯିବ । ପୀଡ଼ିତ ପରିବାରକୁ ଯଥାସମ୍ଭବ ସହାୟତା ଦେବା ଲାଗି ଉଦ୍ୟମ ହେଉଥିବା ସରକାର କହିଛନ୍ତି ।
ଗୁରୁବାର କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେବ । ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ ୩ ସେନାଧ୍ୟକ୍ଷଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା ମଧ୍ୟ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭାରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ବସିବ । ଘଟଣା ପରେ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସିଗୁଡ଼ିକ ପହଲଗାମ୍ ଆକ୍ରମଣର ସନ୍ଦିଗ୍ଧ ଆତଙ୍କୀଙ୍କ ସ୍କେଚ୍ ଜାରି କରିଛନ୍ତି । ସେମାନଙ୍କ ନାମ ଆସିଫ ଫୌଜି, ସୁଲେମାନ ଶାହ ଓ ଅବୁ ତଲ୍ହା ବୋଲି ଜଣାପଡ଼ିଛି ।
ସେହିଭଳି ଆକ୍ରମଣର ମାଷ୍ଟରମାଇଣ୍ଡକୁ ବି ଚିହ୍ନଟ କରାଯାଇଛି । ସେ ହେଉଛି ଲସ୍କରଏ-ତଇବା (ଏଲ୍ଇଟି)ର ଉପମୁଖ୍ୟ ସୈଫୁଲ୍ଲା ଖାଲିଦ। ସୈଫୁଲ୍ଲା ବର୍ତ୍ତମାନ ପାକିସ୍ତାନରେ ଅଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଆକ୍ରମଣ ଘଟଣାରେ ୫ ଆତଙ୍କବାଦୀ ସମ୍ପୃକ୍ତ ଥିଲେ । ଏମାନଙ୍କ ମଧ୍ୟରେ ଦୁଇଜଣ କାଶ୍ମୀରର ହୋଇଥିବା ବେଳେ ତିନିଜଣ ପାକିସ୍ତାନୀ ଆତଙ୍କୀ । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଏହି ହମ୍ଲା କରିଥିବାରୁ ଭାରତର ସମ୍ଭାବ୍ୟ ପ୍ରତିଶୋଧ ଭୟରେ ପାକିସ୍ତାନ ଛାନିଆ ହୋଇପଡ଼ିଛି । ଆଉ ଏକ ବାଲାକୋଟ ଏୟାର ଷ୍ଟ୍ରାଇକ୍ ହେବା ଭୟରେ ପ୍ରସ୍ତୁତି ଚଳାଇଛି । ସୀମା ଅଞ୍ଚଳରେ ଏହାର ସେନା ଗତିବିଧି ବଢ଼ିଛି । ଲୋକମାନଙ୍କୁ ଖାଲି କରାଯାଇଛି । କିନ୍ତୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏହି ଆକ୍ରମଣ ଘଟଣାରେ ତାଙ୍କ ଦେଶର ହାତ ନ ଥିବା କହିଛନ୍ତି । ଦେଶର ସେନା ବିଭିନ୍ନ ପ୍ରମୁଖ ଅଞ୍ଚଳରେ ସତର୍କ ହୋଇଯାଇଛି । ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଗୁରୁବାର ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକ ଡାକିଛନ୍ତି ।
ପହଲଗାମ୍ ଘଟଣାରେ କେବଳ ଭାରତ କାହିଁକି ତମାମ ବିଶ୍ୱ ସ୍ତବ୍ଧ ହୋଇଯାଇଛି । ବିଶ୍ୱନେତାମାନେ ଶୋକବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍ବାନିଜ୍ ମୋଦିଙ୍କ ସହ କଥା ହୋଇଛନ୍ତି। ଭାରତ ଗସ୍ତରେ ଥିବା ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଜୟପୁର ସିଟି ପ୍ୟାଲେସ ପରିଦର୍ଶନ ବାତିଲ କରିଛନ୍ତି ।
ଏକ ସୂତ୍ରରୁ ଜଣାପଡ଼ିଛି ଯେ ଆତଙ୍କବାଦୀମାନେ ଏପ୍ରିଲ ୧୯ରେ ଆକ୍ରମଣ ଲାଗି ଯୋଜନା କରିଥିଲେ । କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ତେବେ ଏହା ବାତିଲ ହୋଇଯାଇଥିଲା ।